ପାର୍ବଣ ପୂର୍ବରୁ ସିନ୍ଧିଚୋରଙ୍କ ଆତଙ୍କ: ପୋଛିନେଲେ ଅଧକୋଟିର ଗହଣା ଓ ଟଙ୍କା

ତିନିଜଣିଆ ଗ୍ୟାଙ୍ଗ୍‌ର ସଂପୃକ୍ତି! ଲୁଟ୍ ପୂର୍ବରୁ ରେକି କରାଯାଇଥିବା ସନ୍ଦେହ

ଭୁବନେଶ୍ବର : ପାର୍ବଣରେ ନିଶା କାରବାରକୁ ନେଇ ରାଜଧାନୀ ଅଶାନ୍ତ ହୋଇ ଉଠିଛି। ନିଶା କାରବାରକୁ ନେଇ ଦାଦାବଟି ଆଦାୟ, ହତ୍ୟାକାଣ୍ଡ ଭଳି ଅପରାଧ ଘଟିଥିବାରୁ କମିସନରେଟ୍ ପୁଲିସ ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍’ ଆଧାରରେ ମାଫିଆଙ୍କୁ ଗିରଫ କରିବା ଆରମ୍ଭ କରିଛି। ସଂଧ୍ୟା‌ରେ ବିଭିନ୍ନ ଛକ ଓ ଅସାମାଜିକଙ୍କ ଆଡ଼ାରେ ପଇଁତରା ମାରି ଖଟି ଭାଙ୍ଗୁଛି। ରାତି ତମାମ୍ ବ୍ଲକିଂ, ଚେକିଂ ଏବଂ ଅଧରାତିରେ ହୋଟେଲ୍‌ ଓ ବାର୍‌‌‌‌‌‌ରେ ବି ଅତର୍କିତ ଚଢ଼ଉ ‌େହଉଛି। ହେଲେ ସବୁ ଯୋଜନା ଫଳପ୍ରଦ ହୋଇପାରୁନି। କାରଣ ପାର୍ବଣ ପୂର୍ବରୁ ଗୋଟିଏ ଦିନରେ ସିନ୍ଧିଚୋର ରାଜଧାନୀରେ ଆତଙ୍କ ଖେଳାଇଛନ୍ତି। ପ୍ରମୁଖ ୨ ଥାନା ଅଞ୍ଚଳ ଖଣ୍ଡଗିରି ଓ ନୂଆପଲ୍ଲୀରେ ପଶି ଦିନ ଦି’ପହରେ ପ୍ରାୟ ଅଧକୋଟି ଟଙ୍କାର ସୁନା, ରୁପା ଗହଣା ଓ ନଗଦ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାଦ୍ବୟକୁ ପ୍ରାୟ ୨୪ ଘଣ୍ଟା ବିତିଥିଲେ ବି ପୁଲିସ ଏ ପର୍ଯ୍ୟନ୍ତ ଅପରାଧୀଙ୍କ ପାଖ ପହଞ୍ଚି ପାରିନାହିଁ।

ଅଭିଯୋଗ ଅନୁସାରେ, ଆନନ୍ଦ ପ୍ରସାଦ ମିଶ୍ର ଓ ତାଙ୍କ ପତ୍ନୀ କୋମଲ ମେହେର୍ ପାତ୍ରପଡ଼ାସ୍ଥିତ ଉଦୟଗିରି ବିହାରରେ ରୁହନ୍ତି। ଗତକାଲି ଉଭୟ ପୂର୍ବାହ୍ନ ୧୦ଟାରେ ଘର ତାଲା ପକାଇ ଅଫିସ୍ ବାହାରିଥିଲେ। ପରେ ତାଙ୍କ ପତ୍ନୀ କୋମଲ୍ ଅପରାହ୍‌ଣରେ ଘରକୁ ଫେରିବା ବେଳକୁ ଝରକା ଭଙ୍ଗାଯାଇଥିଲା ଏବଂ ଗ୍ରିଲ୍ ତଡ଼ାଯାଇଥିଲା। ବ୍ୟତିବ୍ୟସ୍ତ ହୋଇ ସେ ଘର ଭିତରକୁ ଯାଇ ଦେଖିବାରୁ ଜାଣିଥିଲେ ଯେ ଲକର୍ ଭାଙ୍ଗି ପ୍ରାୟ ୨୫୦ଗ୍ରାମ୍‌ର ସୁନା, ୩୦ହଜାର ଟଙ୍କାର ରୁପା ଗହଣା ଓ ନଗଦ ୩ଲକ୍ଷ ଟଙ୍କା ତାଙ୍କ ଲକର୍‌ରୁ ଗାଏବ୍ ହୋଇଥିଲା। ପରେ ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସାଂକେତିକ ଫଟୋ

ଅନୁରୂପ ଭାବେ ନୂଆପଲ୍ଲୀସ୍ଥିତ ଭିଆଇପି ଏରିଆ ଭାବେ ଜଣାଶୁଣା ଏନ୍-୪ ଆଇଆର୍‌ସି ଭିଲେଜ୍‌ରୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ଘରେ ପଶି ପ୍ରାୟ ୨୦୦ଗ୍ରାମ୍ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଶୁଭାଶିଷ ସାମଲଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ସେ ଯାଜପୁର ଶାନ୍ତିପୁରସ୍ଥିତ ଗାଁକୁ ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ଶ୍ବଶୁର ପୁଷ୍ପକ କୁମାର ଦାସ ମଝିରେ ମଝିରେ ଆସି ତାଙ୍କ ଘର ବୁଲି ଯାଉଥିଲେ। ଗତକାଲି ସେ ରାତି ପ୍ରାୟ ୮ଟା ୪୫ରେ ମେଡିକାଲ୍‌ରୁ କାମ ସାରି ଜ୍ବାଇଁ ଶୁଭାଶିଷଙ୍କ ଘରକୁ ଯାଇଥିବା ବେଳେ ଘର କବାଟ ତଡ଼ାଯାଇଥିବା ଦେଖିଥିଲେ। ଏନେଇ ସେ ଶୁଭାଶିଷଙ୍କୁ ଖବର ଦେବା ପରେ ଘରେ ଆସି ଦେଖିବାରୁ ୩ଟି ସୁନାହାର, ୩ଟି ଚେନ୍, ୧୦ରୁ ଅଧିକ ସୁନା ମୁଦି ଓ ଅନ୍ୟାନ୍ୟ ଗହଣା ମିଶି ପ୍ରାୟ ୨୦୦ଗ୍ରାମ୍‌ର ସୁନା ଚୋରି ହୋଇଥିବା ଜାଣିଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫୋରେନ୍ସିକ୍ ଟିମ୍ ଉଭୟ ଘରକୁ ଆସି ଚୋରି ହୋଇଥିବା ଘରୁ ପ୍ରାୟ ୩ରୁ ୪ଜଣ ଦୁର୍ବୃତ୍ତଙ୍କ ଫିଙ୍ଗର ପ୍ରିଣ୍ଟ୍ ଲ୍ୟାବ୍‌କୁ ନେଇଛି। କିଛି ପେସାଦାର୍ ଲୁଟେରା ପାର୍ବଣ ସମୟରେ ରାଜଧାନୀକୁ ଟାର୍ଗେଟ କରି ଲୁଟୁଥିବା ପୁଲିସ ସନ୍ଦେହ କରୁଛି। ପ୍ରାଥମିକ ତଦନ୍ତ କରି ପୁଲିସ ସୂଚନା ଦେଇଛି, ଏହି ଗ୍ୟାଙ୍ଗ୍‌ରେ ୩ଜଣ ସଦସ୍ୟ ରହିଛନ୍ତି। ମାତ୍ର ଗ୍ୟାଙ୍ଗ୍‌ର ମାଷ୍ଟର୍‌ମାଇଣ୍ଡ୍ ଅନ୍ୟତ୍ର ବସି ପୂରା ବ୍ଲୁ ପ୍ରିଣ୍ଟ୍‌କୁ ବାସ୍ତବ ରୂପ ଦେଉଛି। ସିସିଟିଭିରୁ ଜଣାପଡ଼ିଛି, ୩ଜଣ ଦୁର୍ବୃତ୍ତ ଘର ଝରକା ଭାଙ୍ଗି ପଶିଥିବା ବେଳେ କଟର୍ ମେସିନ, ରେଞ୍ଚି ଓ ଅନ୍ୟାନ୍ୟ ଯନ୍ତ୍ରାଂଶରେ ଲକର୍ ଭାଙ୍ଗି ଲୁଟ୍‌ପାଟ୍ କରିଛନ୍ତି। ବଡ଼କଥା ହେଉଛି, ଲୁଟ୍ ପୂର୍ବରୁ ଉକ୍ତ ଘର ଭିତର ଓ ବାହାର ଭଲ ଭାବେ ରେକି କରାଯାଇଥିବାରୁ ଲୁଟେରାମାନେ କିଛି ଖୋଜାଖୋଜି ନ କରି ସିଧା ଲକର୍ ନିକଟରେ ପହଞ୍ଚିଛନ୍ତି। ଏପରିକି ଲକର୍ ସାମ୍ନାରେ ଥିବା ଏକ ଟେବୁଲ୍‌ରେ ୧୦ହଜାର ଟଙ୍କା ରଖାଯାଇଥିବା ବେଳେ ତାହା ସେମାନଙ୍କ ନଜରରେ ଆସିନାହିଁ।

ସିନ୍ଧି ଚୋରଙ୍କୁ ଠାବ କରିବାରେ ରାଜଧାନୀ ପୁଲିସ ବିଫଳ
କମିସନରେଟ୍ ପୁଲିସ ଦେଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ରାଜଧାନୀରେ ପ୍ରାୟ ୧୫୯୫ ସିନ୍ଧିଚୋରି ଅଭିଯୋଗ ହୋଇଛି। ହେଲେ ସେଥିମଧ୍ୟରୁ ମାତ୍ର ୪୪ ପ୍ରତିଶତ ମାମଲାରେ ପର୍ଦ୍ଦାଫାସ କରିଥିବା ବେଳେ ୮୦୧ ସିନ୍ଧିଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅର୍ଥାତ୍ ଏବେ ବି କମିସନରେଟ୍ ପୁଲିସ ପାଇଁ ପ୍ରାୟ ୫୬ ପ୍ରତିଶତ ମାମଲାରେ ଅସଫଳ। ପ୍ରତିବର୍ଷ ରାଜଧାନୀରେ ଏହି ସିନ୍ଧିଚୋରିର ଅଭିଯୋଗ ମଧ୍ୟ ଉପରମୁହାଁ ହେବାରେ ଲାଗିଛି। ଚଳିତବର୍ଷ ମଧ୍ୟ ଭୋଟପଡ଼ା ଡକାୟତି ମାମଲାଠୁ ଆରମ୍ଭ କରି ନୂଆପଲ୍ଲୀର ଆଇନଜୀବୀଙ୍କ ଘରୁ ଚୋରି ହେବା ମାମଲାରେ ପୁଲିସ ସଫଳତା ପାଇନାହିଁ। ପ୍ରାୟ ଶତାଧିକ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସ ପାଇଁ ଅଧିକାଂଶ ମାମଲାରେ ଅସଫଳ ରହିଛି।

ଧରାପଡ଼ିନଥିବା ସିନ୍ଧିଚୋରି
୧୧ ସେପ୍ଟେମ୍ବର: ଚନ୍ଦ୍ରଶେଖରପୁରରେ ଥିବା ଏସ୍‌ଏସ୍‌ ଫ୍ରୋଜେନ୍ ଵାର୍ଲ୍ଡରେ ପଶି କିଛି ଲୁଟେରା ନଗଦ ୫ଲକ୍ଷ ୪୨ହଜାର ୨୪୨ଟଙ୍କା ଲୁଟି ନେଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଦୋକାନ ମାଲିକ ସୌମ୍ୟରଂଜନ ସ୍ବାଇଁ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନାହାନ୍ତି।

୩୦ ଅଗଷ୍ଟ: ଶୈଳଶ୍ରୀବିହାର ଫେଜ୍-୨ରେ ରହୁଥିବା ନିର୍ମଳ କୁମାର ନାୟକଙ୍କ ଘରୁ ସନ୍ଧ୍ୟା ସମୟରେ ଚୋରି ହୋଇଥିଲା। ସେ ତାଙ୍କ ଝିଅକୁ ଟ୍ୟୁସନ୍ ନେଇ ଯାଇଥିବା ବେଳେ ଲୁଟେରା ଘରେ ପଶି ଆଲ୍‌ମିରା ଭାଙ୍ଗି ନଗଦ ଅଢ଼େଇ ଲକ୍ଷ ଟଙ୍କା ସମେତ ମଙ୍ଗଳସୂତ୍ର, ହାର, ହଳେ କାନଫୁଲ, ମୁଦି ଆଦି ଲୁଟ୍ ହୋଇଥିଲା। ଅଭିଯୋଗକୁ ପ୍ରାୟ ୨ସପ୍ତାହ ବିତିଥିଲେ ଲୁଟେରାଙ୍କ ପତ୍ତା ମିଳିନାହିଁ।

ଜୁଲାଇ: ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ଆଇନଜୀବୀଙ୍କ ଘରୁ ୧୬ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଘରେ କେହି ନଥିବା ବେଳେ ୨ଜଣ ସୁରକ୍ଷାକର୍ମୀ ବାହାରେ ଜଗିଥିଲେ। ଏହି ସମୟରେ ଆଇନଜୀବୀଙ୍କ ଘରୁ ଲୁଟ୍ ହୋଇଥିଲା। ପ୍ରାୟ ୨ମାସରୁ ଅଧିକ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ଲୁଟେରା ଧରାପଡ଼ିନାହାନ୍ତି।

ସମ୍ବନ୍ଧିତ ଖବର