ଭୁବନେଶ୍ବର: ରାଜଧାନୀରୁ ମୋ ବସ୍‌ ଆତଙ୍କ ଥମିବା ନାଁ ନେଉନାହିଁ। କମିସନରେଟ୍‌ ପୁଲିସ ଓ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପରେ ବି ପ୍ରାୟ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ତେଣୁ କେଉଁଠି ନା କେଉଁଠି ପ୍ରତିଦିନି ମୋ ବସ୍‌ ଧକ୍କାରେ କେହି ନା କେହି ମୃତାହତ ହେଉଛନ୍ତି। ଆଜି ପୁଣି ମୋ ବସ୍‌ ଧକ୍କାରେ ୨ଜଣ ଗୁରୁତର ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇଛି ମୋ ବସ୍‌। ଆହତମାନେ ହେଲେ ପୁରୀର ରଞ୍ଜିତ ବେହେରା ଓ ହୃଦାନନ୍ଦ ମହାନ୍ତି। ରଞ୍ଜିତଙ୍କ ଗୋଡ଼ ଉପରେ ବସ୍‌ ମାଡ଼ିଯାଇଛି ଏବଂ ହୃଦାନନ୍ଦଙ୍କ କାନ୍ଧ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ସେମାନେ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। 
ଆଜି ରଞ୍ଜିତ ଓ ହୃଦାନନ୍ଦ ଟ୍ରେନ୍‌ ଯୋଗେ ପୁରୀରୁ ଭୁବନେଶ୍ବର ଆସିଥିଲେ। ଟ୍ରେନ୍‌ରୁ ଓହ୍ଲାଇ ସେମାନେ ଷ୍ଟେସନ ବାହାରକୁ ଆସି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଅଟୋକୁ ଅପେକ୍ଷା କରିଥିଲେ। ଖରା ହେଉଥିବାରୁ ସେମାନେ ରାସ୍ତାକଡ଼କୁ ଯାଇ ଏକ ଛାଇ ଜାଗା ଦେଖି ଠିଆ ହୋଇଥିଲେ। ଏତିକିବେଳେ ମୋ ବସ୍‌(ଓଡି ୩୩ ଏଜେ ୨୬୭୧) ହଠାତ୍ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏମିତି ଏକ ଆକସ୍ମିକ ଘଟଣା ପାଇଁ ସେମାନେ ଅପ୍ରସ୍ତୁତ ଥିଲେ। ତେଣୁ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ବଡ଼ କଥା ହେଉଛି, ବସ୍‌ର ବେଗ ମଧ୍ୟ ଅଧିକ ଥିବାରୁ ଚାଳକ ଗାଡ଼ି ଅଟକାଇପାରି ନଥିଲେ। ରଞ୍ଜିତ ବସ୍‌ ତଳେ ପଡ଼ିଗଲେ ଏବଂ ତାଙ୍କ ଗୋଡ଼ ଉପ‌ରେ ଚକ ଚଢ଼ି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ରଞ୍ଜିତ ବସ୍‌ ତଳେ ପଡ଼ିଯିବା ପରେ ସମସ୍ତେ ଆଖି ବୁଜି ପକାଇଥିଲେ। ମାତ୍ର ସୌଭାଗ୍ୟକୁ ବଡ଼ଧରଣର ଅଘଟଣରୁ ସେ ବର୍ତ୍ତି ଯାଇଥିଲେ। ଏତିକିବେଳେ ବସ୍‌ ଧକ୍କାରେ ହୃଦାନନ୍ଦ କିଛି ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିଆ ହୋଇପାରିନଥିଲେ। ଏହାପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବସ୍‌ ଚାଳକକୁ ଘେରି ଯାଇଥିଲେ। ଚଳିତ ମାସରେ ମୋ ବସ୍‌ ଧକ୍କାରେ ତିନି ତିନିଜଣଙ୍କ ମୃତ୍ୟୁ ହେଲାଣି। ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ ଜଣେ ଶିଶୁକନ୍ୟା ଉପରେ ବସ୍‌ ମାଡ଼ି ଯାଇଥିଲା। ସେହିଭଳି ପାତ୍ରପଡ଼ାରେ ଜଣେ ମହିଳା ଓ ତାଙ୍କ ବୃଦ୍ଧା ମା ମୋ ବସ୍‌ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ସବୁ ଉଦାହରଣ ଦେଇ ଲୋକେ କ୍ରୁଟ୍‌ ଉପରେ ବର୍ଷିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଚାଳକଙ୍କୁ ଲୋକଙ୍କ କବଳରୁ ମୁକୁଳାଇଥିଲା। 

Advertisment

ଚାକିରି ହରାଇଲେ ଚାଳକ ଓ ଗାଇଡ୍‌ 
ଆଜିର ଦୁର୍ଘଟଣା ପରେ କ୍ରୁଟ୍ ପକ୍ଷରୁ ଡ୍ରାଇଭର୍‌ ଓ ଗାଇଡ୍‌ଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। କ୍ରୁଟ୍‌ ପକ୍ଷରୁ ସଫେଇ ଦିଆଯାଇଛି ଯେ ବସ୍‌ଟି ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ ରହଣି ସ୍ଥାନରେ ୨୦ ମିନିଟ୍‌ ରହିଥିଲା। ଖରାରୁ ବର୍ତ୍ତିବ‌ା ପାଇଁ ଯୁବକ ଦ୍ବୟ ମୋ ବସ୍‌ ଛାଇରେ ଠିଆ ହୋଇ ଯାଇଥିଲେ। ବସ୍‌ ଚାଳକ ଏହା ଜାଣି ନ ପାରି ଗାଡ଼ି ଗଡ଼ାଇ ଦେବାରୁ ସେମାନେ ବସ୍‌ରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି। ସବୁଦିନ ଚାଳକମାନଙ୍କୁ ସଚେତନ କରାଇବା ପରେ ବି ଚାଳକ ବେପରୁଆ ହେବାରୁ ଓ ଗାଇଡ୍‌ ତାଙ୍କ ଦାୟିତ୍ବ ନିର୍ବାହରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।