ଭୁବନେଶ୍ବର : ମହର୍ଷି କଲେଜରେ ଅଣଛାତ୍ରଙ୍କ ଆତଙ୍କରାଜ ଘଟଣାକୁ ସପ୍ତାହେ ନ ପୂରୁଣୁ ଆଜି ପୁଣି ବିଜେବି କଲେଜରେ ଅଣଛାତ୍ରମାନେ ବଡ଼ଧରଣର ଗଣ୍ଡଗୋଳ କରିଛନ୍ତି। ଅଣଛାତ୍ରମାନେ କଲେଜ କ୍ରିକେଟ୍ ପଡ଼ିଆକୁ ଧସେଇ ପଶି ଖେଳୁଥିବା ଛାତ୍ରମାନଙ୍କୁ ଖଣ୍ଡାରେ ହାଣିବା ସହ ବ୍ୟାଟ୍ରେ ବାଡ଼େଇ ଆହତ କରିଛନ୍ତି। ଖଣ୍ଡା ଚୋଟରେ ଜଣେ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି। ସେହିଭଳି ବ୍ୟାଟ୍ ମାଡ଼ରେ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ତିନି ଆହତ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରମାନେ ହେଲେ, ସୌମ୍ୟରଂଜନ ପ୍ରଧାନ, ଉମାଶଙ୍କର ବେହେରା ଓ ଅଜୟ।
ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ୧୦ଟା ବେଳେ ଅଣଛାତ୍ରମାନେ କଲେଜର କ୍ରିକେଟ୍ ପଡ଼ିଆରେ ଖେଳୁଥିଲେ। ଶନିବାର ଦିନ କଲେଜ ଛୁଟିଥିବାରୁ ବି.ଆର୍ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କ୍ରିକେଟ୍ ଖେଳିବା ପାଇଁ ସେଠାକୁ ଯାଇଥିଲେ। ଅଣଛାତ୍ରମାନେ ସବୁଦିନ ଖେଳୁଥିବା ବେଳେ ଆଜି ଛୁଟିଦିନ ଥିବାରୁ ଗୋଟିଏଦିନ ପାଇଁ ସେମାନେ ପଡ଼ିଆ ଛାଡ଼ନ୍ତୁ ବୋଲି ଛାତ୍ରମାନେ କହିଥିଲେ। ଆଉ ମାତ୍ର ୨ ଓଭର ପରେ ସେମାନେ ପଡ଼ିଆ ଛାଡ଼ିବେ ବୋଲି ଅଣଛାତ୍ରମାନେ କହିଥିଲେ। ତେଣୁ ଛାତ୍ରମାନେ ଅପେକ୍ଷା କଲେ। ମାତ୍ର ଦୁଇ ଓଭର ଖେଳି ସାରିବା ପରେ ଅଣଛାତ୍ରମାନେ ପୁଣି ଆଉ ଏକ ଇଂନିସ୍ ଖେଳିଲେ। ଏହାକୁ ନେଇ ସେଠାରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ତେବେ ଗଣ୍ଡଗୋଳ ନକରି ଅଣଛାତ୍ରମାନେ ସେଠାରୁ ଚାଲି ଯାଇଥିଲେ ଏବଂ ଛାତ୍ରମାନେ ଖେଳ ଆରମ୍ଭ କରିଥିଲେ। ପ୍ରାୟ ଅଧ ଘଣ୍ଟା ପରେ ହଠାତ୍ ୩୦ରୁ ଅଧିକ ଅଣଛାତ୍ର କଲେଜ ପାଚେରି ଡେଇଁ ପଡ଼ିଆକୁ ମାଡ଼ି ଆସିଥିଲେ। ଖଣ୍ଡା, ଭୁଜାଲି, ଲୁହା ରଡ୍, ପାଇପ୍ ଭଳି ମାରଣାସ୍ତ୍ରରେ ସଜ୍ଜିତ ଅଣଛାତ୍ରମାନେ କିଛି ନକହି ଅଚାନକ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। କିପିଂ କରୁଥିବା ଛାତ୍ର ସୌମ୍ୟକୁ ସେମାନେ ଖଣ୍ଡାରେ ହାଣି ପକାଇଥିଲେ। ଫଳରେ ତାଙ୍କ କାନ୍ଧ ଓ ହାତରେ ଖଣ୍ଡା ଚୋଟ ବାଜିଥିଲା ଏବଂ ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ। ସୌମ୍ୟଙ୍କ ନିକଟରେ ଥିବା ଉମାକାନ୍ତ ତାଙ୍କୁ ବଞ୍ଚାଇବାକୁ ଯାଇ ଖଣ୍ଡା ଧରିଥିବା ଦୁର୍ବୃତ୍ତକୁ ରୋକିବା ବେଳେ ଜଣେ ଦୁର୍ବୃତ୍ତ ବ୍ୟାଟ୍ରେ ତାଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଥିଲା। ସେହିଭଳି ଆଉ ଜଣେ ଅଣଛାତ୍ର ଷ୍ଟମ୍ପରେ ପିଟି ଛାତ୍ର ଅଜୟଙ୍କୁ ଆହତ କରିଥିଲା। ୧୦ ମିନିଟ୍ ଯାଏ ଅଣଛାତ୍ରମାନେ କ୍ରିକେଟ୍ ପଡ଼ିଆରେ ଏଭଳି ଆତଙ୍କରାଜ ଖେଳାଇଥିଲେ। ଛାତ୍ରମାନଙ୍କ ପାଟି ଶୁଣି ହଷ୍ଟେଲରୁ ଅନ୍ୟ ଛାତ୍ରମାନେ ଧାଇଁ ଆସିବା ଦେଖି ଗଣ୍ଡଗୋଳକାରୀ ଅଣଛାତ୍ରମାନେ ପାଚେରି ଡେଇଁ ପଳାଇଥିଲେ ଏବଂ ପୁଣି ଦେଖିନେବେ ବୋଲି ଧମକ ଦେଇଥିଲେ।
ଅଣଛାତ୍ରମାନଙ୍କ ଏଭଳି ଅଭାବନୀୟ କାଣ୍ଡକୁ ନେଇ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ଓ ଛାତ୍ରମାନଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ବଡ଼ଗଡ଼ ଥାନା ପୁଲିସ ଶନିବାର ବିଳମ୍ବିତ ରାତିରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବାପୁଜୀ ନଗର ଝରଣାସାହିର ବିକି ନାୟକ (୧୮), ବିଜେବିନଗର ମହିଷାଖାଲ ବସ୍ତିର ଦୀପୁ ପ୍ରଧାନ (୧୯) ଓ ଲିଟୁ ବେହେରା। ପୁଲିସ୍ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଏକ ଖଣ୍ଡା ଜବତ କରି ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ଦୀପକ, ଗେଣ୍ଡୁଆ ଓ କାଶୀକୁ ପୁଲିସ୍ ଖୋଜୁଛି। ଗଣ୍ଡଗୋଳ ପରେ କଲେଜ ପରିସରରେ ଭୟର ବାତାବରଣ ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି। ମହର୍ଷି କଲେଜ ମାମଲାରେ ପୁଲିସ ନିରବଦ୍ରଷ୍ଟା ସାଜିବାରୁ ଆଜି ଅଣଛାତ୍ରମାନେ ବିଜେବି କଲେଜରେ ପଶି ଏଭଳି କାଣ୍ଡ ଭିଆଇବାକୁ ସାହସ କଲେ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।