ପତିଆରା ପାଇଁ ବସ୍ତିରେ ଆତଙ୍କରାଜ; ବିଳମ୍ବିତ ରାତିରେ ଖଣ୍ଡା, ଭୁଜାଲି ଧରି କାର୍ ଓ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ, ଜଣେ ଅଟକ

ଭୁବନେଶ୍ବର : ପୁଣି ମାତିଲେଣି ଅପରାଧୀ। ବସ୍ତିରେ ପତିଆରା ଜାହିର୍ କରିବା ପାଇଁ ୧୦ରୁ ଅଧିକ ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ ଗଣ୍ଡମୁଣ୍ଡା ଲେନ୍-୪ ବସ୍ତିରେ ଆତଙ୍କ ଖେଳାଇଛନ୍ତି। ହାତରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଧରି ୨ଟି କାର୍ ଓ ୩ରୁ ଅଧିକ ବାଇକ୍ ଭଙ୍ଗାରୁଜା କରିବା ସହ ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ନାଁ ନେଇ ଗାଳିଗୁଲଜ କରିଛନ୍ତି। ଖାଲି ସେତିକି ନୁହେଁ, ସାମ୍ନାକୁ ଆସିଲେ, ଜୀବନରୁ ମାରିଦେବେ ବୋଲି ବଡ଼ ପାଟିରେ ଧମକ ମଧ୍ୟ ଦେଇଛନ୍ତି। ଏଥିରେ ଆତଙ୍କିତ ହୋଇ ସ୍ଥାନୀୟ ବାସିନ୍ଦା ଓ ଭଙ୍ଗାରୁଜା ହୋଇଥିବା ଗାଡ଼ିର ମାଲିକ ଦୁର୍ଗାପ୍ରସାଦ ସାହୁ, ସଂଜୟ କୁମାର ଭୂୟାଁ, ପୀତାମ୍ବର ସ୍ବାଇଁ ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି।

ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଛି ଯେ ଗଣ୍ଡମୁଣ୍ଡା ଅଞ୍ଚଳରେ ଗୋଟିଏ ଗୋଷ୍ଠୀ କିଛି ଦିନ ତଳେ ଦୁଇ ଭାଗ ହୋଇଯାଇଛି। ଗୋଷ୍ଠୀର କିଛି ପ୍ରମୁଖ ସଦସ୍ୟ ସ୍ଥାନୀୟ ବସ୍ତିରେ ନିଜର ପତିଆରା ଜାହିର କରିବା ପାଇଁ ଉଦ୍ୟମ କରି ଆସୁଛନ୍ତି। ଏଥିପାଇଁ ମାରଣାସ୍ତ୍ର ଦେଖାଇ ବିଭିନ୍ନ ସମୟରେ ପରସ୍ପରକୁ ଧମକାଇବା ସହ ଗଣ୍ଡଗୋଳ ହେଉଥିବା ଜଣାପଡ଼ିଛି। ତେବେ ଗତରାତି ପ୍ରାୟ ୧ଟାରେ ୧୦ରୁ ଅଧିକ ଯୁବକ ଲେନ୍‌-୪ରେ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ମାରଣାସ୍ତ୍ର ଧରି ଖୋଜିଥିଲେ। ଏହା ପରେ ଘରକୁ ଘର ବୁଲି କବାଟ ଓ ଗ୍ରିଲ୍ ପିଟି ସେମାନଙ୍କୁ ବାହାରକୁ ଡାକିଥିଲେ। କିନ୍ତୁ ଭୟରେ କେହି କବାଟ ନ ଖୋଲିବାରୁ ସେମାନେ ବାହାରେ ଥିବା ଦୁଇଟି କାର୍ (ଓଡି ୩୩ଏସ୍ ୭୮୦୩), (ଓଆର୍ ୦୨ଏଫ୍ ୮୧୭୧) ସମେତ ୩ରୁ ଅଧିକ ବାଇକ୍ ଭାଙ୍ଗି ଦେଇଥିଲେ। ଏ ସଂପର୍କ‌ରେ ଖବର ପାଇ ପୁଲିସ୍‌ ରାତିର ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସକାଳୁ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା। ଏହା ପରେ ତାରିଣୀ ବସ୍ତିର ଜଣେ ଯୁବକକୁ ଥାନାରେ ଅଟକ ରଖିଛି। ରାତି ସୁଦ୍ଧା ସମସ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର