ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଖଣ୍ଡା ମୁନରେ ଅଧିକାରୀଙ୍କୁ ଭୟଭୀତ କଲେ

ଟିଭି, କମ୍ପ୍ୟୁଟର, ଲାପ୍‌ଟପ୍‌, ପ୍ରିଣ୍ଟର ଭାଙ୍ଗିଲେ, ପୁଲିସ ସାଜିଲା ଦେଖଣାହାରୀ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ। ଦୁଇ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡାମୁନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ସେମାନେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ତେବେ ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିଲେ ହେଁ ନିକଟରେ ଥିବା ନନ୍ଦନକାନନ ଥାନା ପୁଲିସ ଟେର ପାଇନଥିଲା। ସେହି ସମୟରେ ନନ୍ଦନକାନନ ଥାନା ପୁଲିସକୁ ଫୋନ କରାଯାଇଥିଲା। ମାତ୍ର ପୁଲିସ ପିସିଆର୍‌ ଭ୍ୟାନ ପ୍ରାଣୀଉଦ୍ୟାନ ଫାଟକ ବାହାରେ କିଛି ସମୟ ଧରି ଛିଡ଼ା ହୋଇ ଦେଖଣାହାରୀ ସାଜିଥିଲା। ଏହି ଘଟଣା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦାରୁଠେଙ୍ଗ ଗ୍ରାମର ପ୍ରଶାନ୍ତ କୁମାର ପାହାଡ଼ସିଂହ ଓରଫ ଖୋବା ଓ ଗୋବିନ୍ଦ ସାହୁ ଓରଫ ପଞ୍ଚୁଆ।

ଆଜି ସୋମବାର ଥିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ବନ୍ଦ ରହିଥିଲା। ସନ୍ଧ୍ୟା ୫ଟା ସମୟରେ ଦୁର୍ବୃତ୍ତମାନେ ପ୍ରାଣୀଉଦ୍ୟାନ ଭିତରକୁ ଯାଇ ଏପରି କାଣ୍ଡ ଘଟାଇଛନ୍ତି। ଦୁର୍ବୃତ୍ତମାନେ ସିଧା ପ୍ରାଣୀଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ତା’ପରେ ପ୍ରାଣୀଉଦ୍ୟାନର ଏସିଏଫ୍ (ଏସଏମ୍) ଏବଂ ଏସିଏଫ୍ (ଭିଏମ୍) କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା ସହ ଭୟ ଓ ଆତଙ୍କ ଖେଳାଇଥିଲେ। ସେମାନେ ଅଫିସର ବାୟୋଲୋଜିଷ୍ଟ ଡାକ୍ତର ରାଜେଶ ମହାପାତ୍ର, ଡାକ୍ତର ସୁଦୀପ୍ତ ପଣ୍ଡା ଏସିଏଫ୍ (ଏସବିଜି), ଡାକ୍ତର ରଶ୍ମି ରଂଜନ ସ୍ବାଇଁ ଏସିଏଫ୍ (ଏସ୍‌ଏମ) ଏବଂ ଅଡିଟ ଅଫିସର ଆଶୁତୋଷ କାମ୍ପାଙ୍କୁ ଖଣ୍ଡା ମୁନରେ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ଦୁଇ ଦୁର୍ବୃତ୍ତ କାର୍ଯ୍ୟାଳୟର ଆସବାବପତ୍ର ସମେତ କମ୍ପ୍ୟୁଟର, ଲାପଟପ୍‌, ପ୍ରିଣ୍ଟର, ଟିଭି ଓ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ସେମାନେ ଅଡିଟ ଅଫିସରଙ୍କ ମୋବାଇଲ ଫୋନକୁ ଭାଙ୍ଗି ଦେଇଥିଲେ। ତେବେ ପ୍ରାଣୀଉଦ୍ୟାନ ସୋମବାର ବନ୍ଦ ରହୁଥିବା ବେଳେ ଦୁର୍ବୃତ୍ତ କିପରି ଭିତରକୁ ପଶିଲେ ତାକୁ ନେଇ ତନାଘନା ଚଲିଛି। ନନନ୍ଦନକାନନ ପ୍ରାଣୀଉଦ୍ୟାନର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସିପି ରମେଶ ବିଶୋଇ, ନନ୍ଦନକାନନ ଥାନା ଆଇଆଇସି ପହଞ୍ଚି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର