ଭୁବନେଶ୍ବର : ଆତଙ୍କବାଦୀମାନେ ଓଡ଼ିଶାକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ସେମାନେ ଓଡ଼ିଶାରେ ରହି ନିଜର ନେଟ୍ୱର୍କ ବିସ୍ତାର କରୁଛନ୍ତି। ବାହାର ଦେଶର ସ୍ଲିପର ସେଲ୍ ଓ ଆତଙ୍କବାଦୀ ରାଜ୍ୟରେ ରହି ନିଜ ସଂଗଠନର କାର୍ଯ୍ୟକଳାପ ଚଳାଉଛନ୍ତି। ବିଦେଶରୁ ପ୍ରବାସୀ ଭାବେ ଆସି ଏଠାରେ ରହିବା ପରେ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ଲିକ୍ କରୁଛନ୍ତି। ଏପରିକି ଡିଆର୍ଡିଓ, ଆଇଟିଆର୍ରେ କାର୍ଯ୍ୟରତ କର୍ମଚାରୀଙ୍କୁ ହନିଟ୍ରାପ୍ର ଶିକାର କରାଯାଉଛି। ପରେ ସେମାନଙ୍କ ଦ୍ବାରା ବିଭିନ୍ନ କ୍ଷେପଣାସ୍ତ୍ର ଘାଟିର ଯୁଦ୍ଧାସ୍ତ୍ର ନିର୍ମାଣ ସଂପର୍କିତ ତଥ୍ୟ ହାସଲ କରି ବିଦେଶୀ ଗୁଇନ୍ଦା ସଂସ୍ଥାକୁ ବିକ୍ରି ମଧ୍ୟ କରାଯାଉଛି। ଏହା ସହିତ ବିଭିନ୍ନ ରାଜ୍ୟରେ ମାଓ ସଂଗଠନକୁ ସକ୍ରିୟ ତଥା ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଲଗାତାର ଭାବେ ପାଣ୍ଠି ଯୋଗାଉଛନ୍ତି ଆତଙ୍କବାଦୀ। ତେବେ ଗତ କିଛି ବର୍ଷ ମଧ୍ୟରେ ଦେଶକୁ ବିପଦରେ ପକାଉଥିବା ଏହିଭଳି ମାଳମାଳ ଦୃଷ୍ଟାନ୍ତ ଓଡ଼ିଶାରେ ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ର କରି ଅନେକ ସମୟରେ କେନ୍ଦ୍ରୀୟ ସୁରକ୍ଷା ବଳ ବିଶେଷ କରି ଏନ୍ଆଇଏ, ସିବିଆଇ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା ଓଡ଼ିଶାରେ ଚଢ଼ଉ କରି ବିଦେଶୀ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ଏଜେଣ୍ଟ୍, ସ୍ଲିପର ସେଲ୍ ଏପରିକି ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଥିବା ଦେଖାଯାଇଛି। ଓଡ଼ିଶାରେ ଏହିଭଳି ୫୦ରୁ ଅଧିକ ସ୍ଲିପର ସେଲ୍ ଥିବା କୁହାଯାଉଛି।
/sambad/media/post_attachments/wp-content/uploads/2022/02/nia.jpg)
ଗତକାଲି ମଧ୍ୟ ଏନ୍ଆଇଏ ଚଢ଼ଉ କରି ଭୁବନେଶ୍ବରର କ୍ୟାପିଟାଲ ଥାନା ଅଞ୍ଚଳରୁ କିଛି ଦେଶୀ ବନ୍ଧୁକ ଜବତ କରିଥିଲା। ଏସବୁ ଆତଙ୍କବାଦୀଙ୍କ ପାଣ୍ଠିରେ କିଣାଯାଇଥିବା ବେଳେ ମାଓ ସଂଗଠନକୁ ଦେବା ପାଇଁ ରହିଥିବା ଜଣାପଡ଼ିଥିଲା। ଗତ ୧୪ ଅକ୍ଟୋବର ୨୦୧୯ରେ ମଧ୍ୟ ଏନ୍ଆଇଏର ତତ୍କାଳୀନ ଡିଜି ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ସଂପର୍କରେ ସୂଚନା ଦେଇ କହିଥିଲେ, ରାଜ୍ୟରେ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାତ୍ ଉଲ୍ ମୁଜାହିଦ୍ଦିନ ଧୀରେ ଧୀରେ କାୟା ବିସ୍ତାର କରୁଛି। ଜଳପଥରେ ଆସି ରାଜ୍ୟ ସୀମାରେ ପ୍ରବେଶ କରିବା ପରେ ପ୍ରବାସୀ ଭାବେ ରହି କାମ କରୁଛନ୍ତି। ଏହି ବାହାନାରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରୁ ତଥ୍ୟ ଲିକ୍ କରୁଛନ୍ତି। ତେଣୁ ବାରମ୍ବାର ଏହିଭଳି ଆତଙ୍କୀ କାର୍ଯ୍ୟକଳାପ ଓ ସଂପୃକ୍ତି ରାଜ୍ୟରେ ଦେଖା ଦେଉଥିବାରୁ ଚଳିତ ଜାନୁଆରିରେ ଭୁବନେଶ୍ବର ସମେତ ଦେଶର ଅନ୍ୟ ୬ଟି ସହରରେ ଏନ୍ଆଇଏ ଶାଖା ଖୋଲିବାକୁ ଗୃହ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ଏହି କ୍ରମରେ ଓଡ଼ିଶାରେ ଖୋଲିବାକୁ ଥିବା ଏନ୍ଆଇଏ ଶାଖାକୁ ଜଣେ ଏସ୍ପି ରୢାଙ୍କ୍ର ଅଫିସର ନେତୃତ୍ବ ନେଉଥିବା ବେଳେ ୫ଜଣ ଇନ୍ସପେକ୍ଟର ରହିବେ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/10/arrest-ff.jpg)
କିଛି ପ୍ରମୁଖ ଘଟଣା
୧୪ ସେପ୍ଟେମ୍ବର ୨୦୨୧: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଚାନ୍ଦିପୁର କ୍ଷେପାଣସ୍ତ୍ର ଘାଟି ଆଇଟିଆର୍ର ୫ରୁ ଅଧିକ କର୍ମଚାରୀ କ୍ଷେପଣାସ୍ତ୍ର ସଂପର୍କିତ ତଥ୍ୟ ବିକ୍ରି କରିଥିଲେ। ଉତ୍ତରପ୍ରଦେଶର ହ୍ୟାଣ୍ଡଲରଙ୍କ ସହାୟତାର ସ୍ଲିପର ସେଲ୍ ସଦସ୍ୟ ଯୋଗାଯୋଗ କରିଥିଲେ। ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶକୁ ଏହି ଗୋପନୀୟ ଏଜେଣ୍ଟମାନେ କାର୍ଯ୍ୟକାରୀ କରିଥିଲେ। ଏନ୍ଆଇଏ ଓ ବାଲେଶ୍ବର ପୁଲିସ ଚଢ଼ଉ କରି ଏକାଧିକ କର୍ମଚାରୀଙ୍କୁ ଗିରଫ କରିଥିଲେ।ନଭେମ୍ବର ୨୦୧୭: ଆତଙ୍କବାଦୀଙ୍କ ସହ ସଂପୃକ୍ତି ଅଭିଯୋଗରେ କଟକ ସାମନ୍ତରାପୁର ଅଞ୍ଚଳର ଏନ୍ଆଇଏ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।୨୦୦୬: ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଶେଖ ନଇମ୍ ନାମକ ଜଣେ ଆତଙ୍କୀକୁ କଟକ ଜିଲ୍ଲାରେ ଅବଦୁଲ ରେହମାନ ନାମକ ବ୍ୟକ୍ତି ରହିବାକୁ ଆଶ୍ରୟ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଅବଦୁଲ ରେହମାନକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।୨୩ ଜାନୁଆରି ୨୦୧୫: ପାକିସ୍ତାନ ଆଇଏସଆଇର ଗୁପ୍ତଚର ଭାବେ କାମ କରୁଥିବା ଆଇଟିଆରର ଠିକା କର୍ମଚାରୀ ଈଶ୍ବର ଚନ୍ଦ୍ର ବେହେରାକୁ ଏନଆଇଏ ଗିରଫ କରିଥିଲା। ବାଲେଶ୍ବରରେ ସେ ସ୍ଲିପର ସେଲ୍ର ହ୍ୟାଣ୍ଡଲର୍ ଭାବେ କାମ କରୁଥିଲା। ଗତ ବର୍ଷ ଦେଶଦ୍ରୋହ ମାମଲାରେ ଈଶ୍ବରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା।୧୬ ଫେବ୍ରୁଆରି ୨୦୧୬: ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭ୍ମେଣ୍ଟ ଅଫ୍ ଇଣ୍ଡିଆ (ସିମି)ର ୪ ଜଣ କୁଖ୍ୟାତ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କୁ ୨୦୧୬ ଫେବ୍ରୁଆରି ୧୬ ତାରିଖରେ ରାଉରକେଲା ନାଲାରୋଡ କ୍ୟୁରେସି ମହଲାରୁ ଗିରଫ କରାଯାଇଥିଲା।