ଟେଷ୍ଟ୍‌ ଡ୍ରାଇଭ୍‌ ଆଳରେ ଠକେଇ : ଧରାପଡ଼ିଲା ଠକ, ୧୧ ଗାଡ଼ି ଜବତ

ଭୁବନେଶ୍ବର : ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ୍‌ ଆଳରେ ଗାଡ଼ି ଲୁଟୁଥିବା ଜଣେ ଠକକୁ ଧରିବାରେ ସଫଳତା ପାଇଛି କମିସନରେଟ୍‌ ପୁଲିସ। ଦୀର୍ଘ ୧୫ ଦିନର କସରତ ପରେ ଜଣେ ସ୍ପେସାଲ ସ୍କ୍ବାଡ୍‌ ଠକକୁ ଧରିବା ସହ ତା’ ଠାରୁ ୧୧ଟି ଗାଡ଼ି ଜବତ କରିଛି। ଅଭିଯୁକ୍ତ ହେଉଛି ଗଞ୍ଜାମ କବିସୂର୍ଯ୍ୟନଗର ବେଲଗୁଣ୍ଡା ରଥସାହିର ଅମିତ ପାତ୍ର। ୧୧ଟି ଗାଡ଼ି ଭିତରୁ କେବଳ ୯ଟି ସ୍କୁଟି ରହିଛି। ତା’ ନାମରେ ନୂଆପଲ୍ଲୀ, ବଡ଼ଗଡ଼, ଇନ୍‌ଫୋସିଟି, ତମାଣ୍ଡୋ, ଚନ୍ଦ୍ରଶେଖରପୁର ଥାନାରେ ୭ଟି ମାମଲା ରହିଛି।

ଓଏଲ୍‌ଏକ୍ସରେ ଗାଡ଼ି ବିଜ୍ଞାପନ ଦେଖିବା ପରେ ଅମିତ ଗାଡ଼ି କିଣିବା ପାଇଁ ଫୋନ୍‌ କରୁଥିଲା।‌ ଟେଷ୍ଟ ଡ୍ରାଇଭ୍‌ କରିବା ପାଇଁ ଗାଡ଼ି ନେଇ ଫେରାର ହୋଇ ଯାଉଥିଲା। ଗାଡ଼ିଗୁଡ଼ିକୁ ନେଇ ସେ କୋରାପୁଟ୍‌, ବ୍ରହ୍ମପୁର, ବୌଦ୍ଧ ଓ ଛତ୍ରପୁର ଅଞ୍ଚଳରେ ବିକ୍ରି କରୁଥିଲା। ଏହି ସବୁ ଅଞ୍ଚଳରେ ଅଧିକାଂଶ ବ୍ୟବସାୟୀ ସ୍କୁଟି ବ୍ୟବହାର କରୁଥିବାରୁ ସେ ଏହି ଅଞ୍ଚଳକୁ ଟାର୍ଗେଟ କରିଥିଲା। ପ୍ରଥମେ ସେ ଗ୍ରାହକଠାରୁ ୧୦ରୁ ୧୫ ହଜାର ଟଙ୍କା ଆଣୁଥିଲା। ପରେ କାଗଜପତ୍ର ଦେଲେ ଯାଇ ବାକି ପଇସା ଦେବାକୁ କହୁଥିଲା। କିନ୍ତୁ ଆଉ ଧରାଛୁଆଁ ଦେଉନଥିଲା। ଚୋରି ଗାଡ଼ି ଧରି ଗ୍ରାହକ ଫସୁଥିଲା।

କୌତୂହଳର ବିଷୟ ହେଲା, ପୂର୍ବରୁ ୨୦୧୯ ଏପ୍ରିଲ ୨୬ ତାରିଖରେ ଅମିତ ଗିରଫ ହୋଇଥିଲା। ସେଦିନ ମଧ୍ୟ ସ୍ପେସାଲ ସ୍କ୍ବାଡ୍‌ ତାକୁ ଗିରଫ କରି ତା’ଠାରୁ ୧୬ ବାଇକ୍‌ ଜବତ କରିଥିଲା। ସେ ଗିରଫ ହୋଇ ଜେଲ୍‌ ଯାଇଥିଲା। ସେତେବେଳେ ତା’ ନାମରେ ଖଣ୍ଡଗିରି, ଲିଙ୍ଗରାଜ, ନୂଆପଲ୍ଲୀ, ଲକ୍ଷ୍ମୀସାଗର ଓ କଟକ ମର୍କତନଗର ଥାନାରେ ମାମଲା ଥିଲା। ଏହି ସବୁ ଅଞ୍ଚଳରୁ ସେ ପାଖାପାଖି ୨୦ ବାଇକ୍‌ ଚୋରି କରିଥିଲା। ମାତ୍ର ୮ ମାସରେ ସେ ଜେଲ୍‌ରୁ ବାହାରିଥିଲା ଏବଂ ପୁଣି ଥରେ ତା’ର ପୁରୁଣା ଠକାମି କାରବାରରେ ଲାଗି ପଡ଼ିଥିଲା। ଓଏଲ୍‌ଏକ୍ସରେ ସବୁବେଳେ ଗାଡ଼ି ମିଳୁନଥିଲା। ଏଣୁ ଭୁବନେଶ୍ବରର ଜନଗହଳିପୁର୍ଣ୍ଣ ଜାଗାରୁ ମଧ୍ୟ ସେ ଗାଡ଼ି ଚୋରି କରୁଥିବା ସେତେବେଳେ ସ୍ବୀକାର କରିଥିଲା। ଅଭିଯୋଗ ବଢ଼ିବାରୁ କମିସନରେଟ୍‌ ପୁଲିସ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦେଇଥିଲା। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ସଦଳବଳ ଚଢ଼ଉ କରି କବିସୂର୍ଯ୍ୟ ନଗରରୁ ତାକୁ ଗିରଫ କରିଥିଲେ।

ଗତ ଦୁଇମାସ ହେବ ଭୁବନେଶ୍ବରରେ ଓଏଲ୍‌ଏକ୍ସ ଜରିଆରେ ଗାଡ଼ି ଚୋରି ବଢ଼ିବାରୁ ଡିସିପି ଉମାଶଙ୍କର ଦାଶ ତଦନ୍ତ ପାଇଁ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦେଇଥିଲେ। ସମସ୍ତ ଘଟଣାରେ ପ୍ରକ୍ରିୟା ଏକା ଭଳି ଥିବାରୁ ସ୍ପେସାଲ ସ୍କ୍ବାଡ୍‌ ପ୍ରଥମେ ଅମିତ ଉପରେ ସନ୍ଦେହ କରିଥିଲା। ଅମିତ ଫେରାର ଥିବାରୁ ସନ୍ଦେହ ବଢ଼ିଥିଲା। ଏଣୁ ଅମିତକୁ ପିଛା କରି ଗଞ୍ଜାମରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର