ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଖାରବେଳନଗର ଟେକ୍ସଟ୍-ବୁକ୍ ପ୍ରେସ୍ର ସହକାରୀ ନିର୍ଦେଶକ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ତାଙ୍କ ନାଁ ପ୍ରସନ୍ନ କୁମାର ସେନାପତି। ଘର କଟକ ଜିଲ୍ଲା ୪୨ ମୌଜାରେ। କିନ୍ତୁ ସେ କଟକ ଖାନନଗରରେ ରହନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ସଂଧ୍ୟାରେ ଭିଜିଲାନ୍ସର ୩ଟି ଟିମ୍ ୪୨ମୌଜାରେ ଥିବା ପୈତୃକ ଘର, କଟକ ଖାନନଗର ଘର ଓ ଭୁବନେଶ୍ବର ସରକାରୀ କ୍ବାର୍ଟର୍ସରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ କଟକ ଖାନନଗର ଘରୁ ନଗଦ ୧୯ଲକ୍ଷ ଟଙ୍କା, ୨୦ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ବିପୁଳ ପରିମାଣର ସୁନାଗହଣା ଠାବ କରିଛି। ଏସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି ଭିଜିଲାନ୍ସ।
କଟକ ଖାନନଗର ଘରେ ଚଢ଼ଉ
ମିଳିଲା ନଗଦ ୧୯ଲକ୍ଷ ଟଙ୍କା, ବିପୁଳ ପରିମାଣର ସୁନା, ୨୦ ଲକ୍ଷର ଫିକ୍ସ ଡିପୋଜିଟ୍
ମିଳିଥିବା ସୂଚନା ମୁତାବକ, କଟକର ନିର୍ମଳ କୁମାର ଜେନାଙ୍କ କଟକରେ ଏକ ପ୍ରିଣ୍ଟିଂ ପ୍ରେସ୍ ଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବହି ଛପାଇବାକୁ ତାଙ୍କୁ ପ୍ରତ୍ୟେକ ବର୍ଷ ଅର୍ଡର୍ ଦିଆଯାଇଥାଏ। କିନ୍ତୁ ଚଳିତ ବର୍ଷ ସହକାରୀ ନିର୍ଦେଶକ ପ୍ରସନ୍ନ ସେହି ଅର୍ଡର୍କୁ ରଦ୍ଦ କରି ଦେଇଥିଲେ। ନିର୍ମଳ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ପ୍ରସନ୍ନ କିଛି ଶୁଣି ନଥିଲେ। ୨୦ ହଜାର ଟଙ୍କା ଲାଞ୍ଚ ଦେଲେ ସେ ତାଙ୍କୁ ବହି ଛପାଇବାକୁ ଅର୍ଡର୍ ଦେବେ ବୋଲି କହିଥିଲେ। ନିର୍ମଳ ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ରେ ଅଭିଯୋଗ କରିଥିଲେ। ଆଜି ଯୋଜନା ମୁତାବକ, ଭିଜିଲାନ୍ସର ଅଧିକାରୀମାନେ ଟେକ୍ସଟ୍-ବୁକ୍ ପ୍ରେସ୍ ନିକଟରେ ଛପି ରହିଥିଲେ। ପ୍ରସନ୍ନ ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଜେରା କରାଯାଇଥିଲା। ସଂଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଘରୁ ଏତେଗୁଡ଼ିଏ ନଗଦ ଟଙ୍କା ଓ ସୁନାଗହଣା କେଉଁଠୁ ଆସିଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି, ଯଦି ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ପ୍ରମାଣ ମିଳଲେ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dg54dg564dasg564ad56g4ad56g4a56dg4ag4ag654.jpg)