ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍ଟୁଓ ସ୍ପା’ରୁ ଉଦ୍ଧାର ହୋଇଥିବା ୮ଜଣ ଥାଇଲାଣ୍ଡ ଯୁବତୀ ଆଜି ଦେଶ ଛାଡ଼ିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ସେମାନେ ଥାଇଲାଣ୍ଡ ଅଭିମୁଖେ ବାହାରି ଯାଇଛନ୍ତି। ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ଗୃହ ମନ୍ତ୍ରାଳୟ ଓ ଥାଇଲାଣ୍ଡ ଦୂତାବାସକୁ ଅବଗତ କରି ଦିଆଯାଇଛି। ଅନ୍ୟପକ୍ଷରେ ଯେଉଁ ଘରେ ଏଚ୍ଟୁଓ ସ୍ପା’ ଚାଲୁଥିଲା, ସେହି ଘରକୁ ବେଶ୍ୟାଳୟ ଘୋଷଣା କରିବାକୁ କମିସନରେଟ୍ ପୁଲିସ ଯୋଜନା କରୁଛି। ଏ ନେଇ ଖୁବ୍ ଶୀଘ୍ର କମିସନରେଟ୍ ପୁଲିସ ପକ୍ଷରୁ ଏହା ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସ୍ପା’ରୁ ଥାଇଲାଣ୍ଡ ଯୁବତୀ ଉଦ୍ଧାର ହେବା ପରେ ସେମାନଙ୍କୁ ଏକ ସଟ୍ର୍ ଷ୍ଟେ’ ହୋମ୍ରେ ରଖାଯାଇଥିଲା। ସେମାନେ କୋଲକାତାର ଏକ ସଂସ୍ଥା ମାଧ୍ୟମରେ ଭୁବନେଶ୍ୱରର ଏଚ୍ଟୁଓ ସ୍ପାରେ ନିଯୁକ୍ତି ପାଇଥିଲେ। ଏହି ୮ ଜଣ ଯୁବତୀଙ୍କ ମଧ୍ୟରୁ ୬ ଜଣ ବିଜିନେସ୍ ଭିସା ଓ ୨ ଜଣ ଟୁରିଷ୍ଟ ଭିସାରେ ଭାରତକୁ ଆସିଥିଲେ। ୬ ଜଣ ବିଜିନେସ୍ ଭିସାରେ ଆସିଥିଲେ ମଧ୍ୟ ସେମାନେ ନିଜ ସମ୍ପର୍କରେ ପୁଲିସକୁ ଜଣାଇ ନଥିଲେ। ଆଇଭିଏଫ୍ଆର୍ (ଇଣ୍ଡିଆନ୍ ଭିସା ଫରେନର୍ ରେଜିଷ୍ଟର୍) ଆକ୍ଟ ଅନୁଯାୟୀ ଓଡ଼ିଶାକୁ ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ ନିକଟରେ ରହିବା କଥା। କିନ୍ତୁ ଏଭଳି ନିୟମକୁ ସେମାନେ ବେଖାତିର କରିଥିଲେ। ସେହିପରି ଦୁଇଜଣ ଯୁବତୀ ଟୁରିଷ୍ଟ ଭିସାରେ ଆସି ସ୍ପା’ରେ ଅନୈତିକ କାର୍ଯର୍୍ୟରେ ଲିପ୍ତ ରହିବା ମଧ୍ୟ ଆଇନଗତ ଭାବେ ଅପରାଧ ଅଟେ। ତେଣୁ ଯୁବତୀମାନଙ୍କୁ ଦେଶ ଛାଡ଼ିବାକୁ (କୁଇଟ୍ ଇଣ୍ଡିଆ) ନୋଟିସ୍ ହୋଇଥିଲା।
ଆଜି ସଂଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍ ପାଇବା ପରେ ସେମାନେ ଭୁବନେଶ୍ୱରରୁ ବିମାନ ଯୋଗେ ଥାଇଲାଣ୍ଡ ଫେରି ଯାଇଛନ୍ତି। ତେବେ ବିଦେଶୀମାନେ ଟ୍ରାକିଂ ହେଉ ନଥିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୁଲିସ ଡିଜି ଓ କ୍ରାଇମ୍ବ୍ରାଞ୍ଚ ଏଡିଜି। ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଡିସିପିଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଆସିଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ହୋଇଥିଲା। କିନ୍ତୁ ଏଯାଏ କ୍ୟାପିଟାଲ ଥାନା ପୁଲିସ ସ୍ପା’ ମାଲିକ କିମ୍ବା ଯୁବତୀମାନଙ୍କୁ ଘର ଭଡ଼ା ଦେଇଥିବା ଘର ମାଲିକଙ୍କୁ ଗିରଫ କରିବାକୁ ସକ୍ଷମ ହୋଇ ପାରି ନାହିଁ।