ଭୁବନେଶ୍ବର: ହୋଟେଲ ମେ’ ଫେୟାର୍‌ରେ ଆଜି ‘ଥାଇ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌’ ଉଦ୍‌ଘାଟିତ ହୋଇଯାଇଛି। ଭାରତରେ ଅବସ୍ଥାପିତ ଥାଇଲାଣ୍ଡ୍‌ ରାଷ୍ଟ୍ରଦୂତ ପଟ୍ଟାରାତ ହୋଙ୍ଗ୍‌ଟଙ୍ଗ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖାଦ୍ୟ ମେଳାର ଉଦ୍‌ଘାଟନ କରିଥିଲେ। ସେଲିବ୍ରିଟି ସେଫ୍‌ ବୀଣା ଅରୋରା ଏହି ସବୁ ଥାଇ ଖାଦ୍ୟ ପ୍ରସ୍ତୁତ କରିଥିଲେ। ୧୪୦୦ ବର୍ଷ ପୁରୁଣା ଥାଇ ଖାଦ୍ୟ ସଂସ୍କୃତି ମିଠା, ଖଟା, ପିତା ଓ ଲୁଣିଆ ଆଦି ବିଭିନ୍ନ ସ୍ବାଦର ଏକ ଅଦ୍ଭୁତ ମିଶ୍ରଣ। ଏଥିସହ ଏଥିରେ ବିଭିନ୍ନ ଔଷଧୀୟ ତତ୍ତ୍ବ ସହ ସୁଗନ୍ଧିତ ଜରିବୁଟିରେ ପରିପୂର୍ଣ୍ଣ।

Advertisment

ଥାଇ ଖାଦ୍ୟ ସଂସ୍କୃତି ଭାରତ, ଚୀନ୍‌ ଓ ପର୍ତ୍ତୃଗୀଜ୍‌ ଖାଦ୍ୟ ସଂସ୍କୃତି ଦ୍ବାରା ଅନେକ ସମୟରେ ପ୍ରଭାବିତ ହୋଇଛି। ଏହି ଖାଦ୍ୟ ମହୋତ୍ସବରେ ଖାଲି ଖାଦ୍ୟର ମଜା ନୁହେଁ, ‌ପୂରା ଥାଇଲାଣ୍ଡ୍‌ର ପରିବେଶ ବି ଅନୁଭୂତ ହେବ। କାରଣ ହୋଟେଲ ପରିସରକୁ ସମ୍ପୂର୍ଣ୍ଣ ଭାବେ ଥାଇଲାଣ୍ଡ ସହର ଭଳି ସଜାଯାଇଛି। ଯେମିତିକି ଆଗନ୍ତୁକମାନେ ଥାଇଲାଣ୍ଡର ଗଳିକନ୍ଦିରେ ବୁଲି ଥାଇ ଖାଦ୍ୟ ଖାଇବାର ଅନୁଭୂତି ନେଇପାରିବେ। ମେ’ ଫେୟାର୍‌ ଲାଗୁନ୍‌ର ଆସିଷ୍ଟାଣ୍ଟ ଭାଇସ୍‌ ପ୍ରେସିଡେଣ୍ଟ ସଞ୍ଜୀବ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଖାଦ୍ୟ ମେଳା ଆସନ୍ତା ୧୬ ତାରିଖ ଯାଏ ଚାଲିବ।