ବାଲିପାଟଣା: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମଠରେ ବେଶ୍‌ ଗହଳଚହଳ ଲାଗିରହିଥିଲା। ସକାଳୁ ଶ୍ରଦ୍ଧାଳୁମାନେ ପ୍ରଭୁ ରାଧାମୋହନ ଓ ଜଗନ୍ନାଥଙ୍କ ଦର୍ଶନ ପାଇଁ ମଠକୁ ଆସୁଥିଲେ। ବଡ଼ କଥା ହେଉଛି ରାସ ଉତ୍ସବର ଶେଷ ଦିନ ଥିବାରୁ ଶ୍ରଦ୍ଧାଳୁମାନେ ଅଧିକ ସଂଖ୍ୟାରେ ମଠରେ ଭିଡ଼ ଜମାଇଥିଲେ। କିନ୍ତୁ ଅପରାହ୍ଣରେ ସବୁ ଚିତ୍ର ବଦଳିଗଲା। ହଠାତ୍ ଦେଖାଗଲା ରାସ ପାଇଁ ବିଗ୍ରହମାନଙ୍କରେ ଲାଗିଥିବା ସୁନା ଅଳଙ୍କାର ଗାଏବ ହୋଇଯାଇଛି। ଏତେ ଭିଡ଼ ଭିତରେ ଠାକୁରଙ୍କ ସୁନା ଅଳଙ୍କାର ଲୁଟ୍‌ ହେବା ଯେତିକି ବିସ୍ମୟକର ଥିଲା, ରାସ ପୂର୍ଣ୍ଣିମାରେ ଘଟିଥିବା ଅଘଟଣ ଶ୍ରଦ୍ଧାଳୁଙ୍କୁ ସେତିକି ବ୍ୟଥିତ କରିଥିଲା। ଘଟଣାଟି ଘଟିଛି ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ଦେୱାନପାଟଣା ମହରଣାସାହିର ଷଡ଼ଙ୍ଗୀ ମଠରେ।   
ଏହି ମଠର ଆରାଧ୍ୟ ଦେବତା ହେଉଛନ୍ତି ରାଧାମୋହନ ଦେବ। ସେହିଭଳି ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ବିଗ୍ରହ, ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଲୋକନାଥ ମହାଦେବ ଓ ମହାବୀରଙ୍କ ବିଗ୍ରହ ପୂଜା ପାଉଛନ୍ତି। ଆଜି ଥିଲା ରାସ ଉତ୍ସବର ଉଦ୍‌ଯାପନୀ ପର୍ବ। ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ଜଣାପଡ଼ିଲା ଯେ ରାଧାମୋହନ ଦେବଙ୍କ ସୁନା ନାକଚଣା ଓ ଜଗନ୍ନାଥଙ୍କ ୮ଟି ସୁନା ପଦକରେ ନିର୍ମିତ କଣ୍ଟିମାଳ ଚୋରି ହୋଇଯାଇଛି। କଣ୍ଟିମାଳଟି ଜଗନ୍ନାଥଙ୍କ ମଥାରେ ବନ୍ଧା ହୋଇଥିଲା। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଦୁଇ ଜଣ ପୂଜକ ପୂଜାର୍ଚ୍ଚନା କରୁଥିବା ବେଳେ କେହି ଦୁର୍ବୃତ୍ତ କିଭଳି ବିଗ୍ରହଙ୍କ ଦେହରୁ ଅଳଙ୍କାର ଲୁଟିନେଲା, ତାହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ତୁରନ୍ତ ଗାଁରେ ବୈଠକ ବସିଥିଲା। ଗ୍ରାମବାସୀଙ୍କ ମଧ୍ୟରୁ କେତେଜଣଙ୍କ କହିବା କଥା ମଠକୁ ଆଜି ୩ଜଣ ଅଚିହ୍ନା ଯୁବକ ଗୋଟିଏ ସ୍କୁଟିରେ ଆସିଥିଲେ। ସେମାନେ ମଠ ଭିତରେ ଠାକୁର ଦର୍ଶନ କରୁଥିବା ବେଳେ ପ୍ରବଳ ଭିଡ଼ ହୋଇଥିଲା। ତେଣୁ ସେହିମାନେ ହିଁ ହାତ ସଫେଇ ବଳରେ ଠାକୁରଙ୍କ ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି। 

Advertisment