ଥାଲାସେମିଆ ରୋଗୀଙ୍କ ପ୍ରେରଣା ‘ପ୍ରଣବ’

‘ଆମ ଓଡ଼ିଶା’, ‘ଜୀବନ ବିନ୍ଦୁ’କୁ ଧନ୍ୟବାଦ ଦେଲେ

ଭୁବନେଶ୍ବର: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର୍‌ ମାନିଯାଏ। ଯେତେ ବାଧାବିଘ୍ନ ଆସିଲେ ବି ତାହା ସଫଳତାରେ ଅନ୍ତରାୟ ସାଜି ପା‌ରେନା। ଏ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଆଇନଜୀବୀ ପ୍ରଣବ ମିଶ୍ର। ମାତ୍ର ୨ ବର୍ଷ ବୟସରୁ ଥାଲାସେମିଆ ଭଳି ଦୁରାରୋଗ୍ୟରେ ପୀଡ଼ିତ ପ୍ରଣବଙ୍କ ଜୀବନରେ ବହୁ ଘାତପ୍ରତିଘାତ ଆସିଥିଲେ ହେଁ ନିଜର ଦୃଢ଼ ମନୋବଳ ଓ କିଛି କରି ଦେଖାଇବାର ଇଚ୍ଛା ତାଙ୍କୁ ଆଜି ଜଣେ ସଫଳ ମଣିଷ ଭାବେ ଗଢ଼ି ତୋଳିଛି। ତାଙ୍କ ଜୀବନୀ ସବୁ ଥାଲାସେମିଆ ରୋଗୀଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛି। ଶୈଶବରୁ କୈଶୋର ଓ ଯୁବାବସ୍ଥାରେ ଥାଲାସେମିଆ ଓ ଏହା ଜନିତ ଅନ୍ୟାନ୍ୟ ଜଟିଳତା, ସାମାଜିକ ବାଧାବିଘ୍ନ ସତ୍ତ୍ବେ ସେ ଆଜି ଏକ ଉନ୍ନତ ଜୀବନଯାପନ କରୁଛନ୍ତି।

ଏନେଇ ପ୍ରଣବ କହନ୍ତି, ‘ଥାଲାସେମିଆ’ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ କଷ୍ଟ ଦେଇଥିଲେ ହେଁ ଜୀବନକୁ ଭିନ୍ନ ଭାବେ ଜିଇଁବାର କଳା ଶିଖାଇଛି। ତାଙ୍କର ଏହି ସଂଘର୍ଷ‌ରେ ତାଙ୍କୁ ସହଯୋଗ କରିଥିବା ତାଙ୍କ ପରିବାର, ଡାକ୍ତର, ନର୍ସ ଏବଂ ‘ଥାଲାସେମିଆ’ ରୋଗୀଙ୍କ ପାଇଁ କାମ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବିଶେଷକରି ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ବିପ୍ଳବ ଆଣିଥିବା ‘ଆମ ଓଡ଼ିଶା’ ଓ ଏଭଳି ଏକ ନିଆରା ବିଚାରଧାରାର ଜନକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସେ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ ସଂକଳ୍ପ ନେଇ ୨୦୦୬ ମସିହାରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରି ଆସୁଥିବା ‘ଆମ ଓଡ଼ିଶା’ ରକ୍ତଦାନ କ୍ଷେତ୍ରରେ ରାଜ୍ୟ‌ରେ ଏକ ବିପ୍ଳବ ସୃଷ୍ଟି କରିଛି। ଆଦିବାସୀ ମହିଳାଙ୍କଠାରୁ ଆରମ୍ଭ କରି ଶିକ୍ଷିତ ନାଗରିକ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ବିଧାରେ ଆମ ଓଡ଼ିଶାର ରକ୍ତଦାନ ଶିବିରରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥା’ନ୍ତି। ଦେଶର ଅନ୍ୟ କୌଣସି ରାଜ୍ୟ, ଏପରିକି ବଡ଼ବଡ଼ ବିକଶିତ ଦେଶରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଭଳି ବିଚାରଧାରା ଦେଖିବାକୁ ମିଳିନାହିଁ। ଏହି ଅଭିଯାନ ଦ୍ବାରା ବହୁ ଜୀବନ ବଞ୍ଚି ପାରୁଥିବା ବେଳେ ଥାଲାସେମିଆ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇପାରିଛି। ସେହିପରି ସମାନ ବିଚାରାଧାରାରେ ରାଜ୍ୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର