ଥାଲାସେମିଆ ନିରାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନା

ଭୁବନେଶ୍ବର: ଥାଲାସେମିଆ କେୟାର୍‌ ସୋସାଇଟି ଓଡ଼ିଶା ଓ ଆଷ୍ଟର୍‌ ସିଏମ୍‌ଆଇ ହସ୍ପିଟାଲ, ବେଙ୍ଗାଲୁରୁର ମିଳିତ ଉଦ୍ୟମରେ ଆଜି ଆଇଏମ୍‌ଏ ହଲ୍‌ରେ ଥାଲାସେମିଆ ନିରାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ‌ଯୋଗଦେଇ ଇଟାଲିର ବ୍ରେସିଆ ଶିଶୁ ଚିକିତ୍ସାଳୟର ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଡାକ୍ତର ଫୋଲଭିଓ ପୋର୍ଟା ଯୋଗଦେଇ କହିଲେ, କେବଳ ଭାରତରେ ନୁହେଁ, ଇଟାଲିରେ ମଧ୍ୟ ଥାଲାସେମିଆ ସମସ୍ୟା ରହିଛି। ତେବେ ଅସ୍ଥିମଜ୍ଜା ପ୍ରତିରୋପଣ ଏବେ ଶତପ୍ରତିଶତ ସଫଳ ହୋଇପାରୁଛି। ବିଜ୍ଞାନ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ତେଣୁ ଲୋକମାନେ ନିରୁତ୍ସାହିତ ନହୋଇ ଆଶାବାଦୀ ହୁଅନ୍ତୁ। ଥାଲାସେମିଆ ଏକ ଜିନ୍‌ଗତ ରୋଗ ହୋଇଥିବା ବେଳେ ଏଥିରେ ପରିବର୍ତନ ପାଇଁ ଗବେଷଣା ଜାରି ରହିଛି। ଆଜିର ସମୟରେ ଅସ୍ଥିମଜ୍ଜା ପ୍ରତିରୋପଣ କରୁଥିବା ୯୦ପ୍ରତିଶତ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରୁଛନ୍ତି ବୋଲି ଡା. ପୋର୍ଟା ମତ ଦେଇଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଡିଏସ୍‌ଏସ୍‌ଓ ସନ୍ୟାସୀ ବେହେରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ସାଗର ଭଟ୍ଟାଡ଼ା, ଡା. ସି.ପି ରୁଘରାମ ପ୍ରମୁଖ ଥାଲାସେମିଆ ରୋଗର ପରିଚାଳନା ଉପରେ ନିଜର ମତ ରଖିଥିଲେ। ସୋସାଇଟିର ସାଧାରଣ ସଂପାଦକ ନିରାକାର ପଣ୍ଡା ଥାଲାସେମିଆ ରୋଗୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଗ୍ଲୋବାଲ ଥାଲାସେମିଆ ୟୁନିଟ୍‌ ପ୍ରତିଷ୍ଠା କରିବା, ରକ୍ତ ସଂଚାରଣ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ନିଯୁକ୍ତି, ଅସ୍ଥିମଜ୍ଜା ପ୍ରତିରୋପଣ କ୍ଷେତ୍ରରେ ସରକାର ସମସ୍ତ ଖର୍ଚ ବହନ କରିବା ଭଳି ଦାବି ଉପସ୍ଥାପନ କରିଥିଲେ। ଟିଏସ୍‌ଓ ରାଜ୍ୟ ସଭାପତି ବିଜୟ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ସଂପାଦକ ଦୀପକ ଜାଲି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର