ପାଇକ ସ୍ମାରକୀ ଜମି ପାଇଁ କୃତଜ୍ଞତା

ପୁରୁଣା ଦାବି ଦୋହରାଇଲା ବୀର ମହାସଂଘ

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୯ ଏକର ୬୮୫ ଡିସିମିଲି ଜମି ଯୋଗାଇ ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମିର ସରକାରୀ ମୂଲ୍ୟ ୩୧ କୋଟି ୯୭ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ସବୁ ଛାଡ଼ କରିଛନ୍ତି। ଏଥିପାଇଁ ଓଡ଼ିଶା ବୀର ମହାସଂଘ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି।

ଆଜି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ସେହିପରି ଏହି ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ୧୯୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ତାଙ୍କୁ ମଧ୍ୟ ବୀର ମହାସଂଘ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି। ତେବେ ଭାରତୀୟ ସେନାରେ ପାଇକ ରେଜିମେଣ୍ଟ ଗଠନ କରିବା ଓ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ଦାବିକୁ ମହାସଂଘ ପୁଣି ଦୋହରାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଗଣେଶ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ସ୍ମାରକୀ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ବିଭିନ୍ନ ଆନ୍ଦୋଳନ କରାଯାଇଥିଲା ଓ ରାଜ୍ୟ ସରକାର ମହାସଂଘର ଦାବିକୁ ସମ୍ମାନ ଦେଇଥିବାରୁ ବକ୍ତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ବକ୍ତାମାନେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଣବ ମୁଖାର୍ଜୀଙ୍କୁ ସ୍ମରଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ମୁଖାର୍ଜୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହିଥିବା ବେଳେ ଶ୍ରୀ କୋବିନ୍ଦ ବରୁଣେଇରେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ। ତେଣୁ ରାଜ୍ୟ ସରକାର ବିଧାନସଭାରେ ଏକ ସର୍ବସମ୍ମତିକ୍ରମେ ବିଲ୍ ପାସ୍ କରି କେନ୍ଦ୍ର ସରକାରଙ୍କୁ ଏହି ଦୁଇ ଦାବି ପୂରଣ ପାଇଁ ନିବେଦନ କରନ୍ତୁ ବୋଲି ବକ୍ତାମାନେ କହିଥିଲେ।

ସମ୍ବନ୍ଧିତ ଖବର