ନୂଆ ସଫେଇ ସଂସ୍ଥାକୁ ଅନୁକମ୍ପା

କାର୍ଯ୍ୟାନୁଷ୍ଠାନ ବଦଳରେ ସହଯୋଗ କରୁଛି ବିଏମ୍‌ସି, ପୁରୁଣା ସଂସ୍ଥାଙ୍କ ଅବଧି ଆଉ ୨ ମାସ ବଢ଼ିଲା

ଭୁବନେଶ୍ବର: ସଫେଇ ଦାୟିତ୍ବ ନେଇଥିବା ନୂଆ ସଂସ୍ଥା ଏଯାଏଁ ପୂରା ପ୍ରସ୍ତୁତ ହୋଇ ନାହାନ୍ତି। କିନ୍ତୁ ବିଏମ୍‌ସି ସେମାନଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। ୧୬ ତାରିଖରୁ ଏମାନେ କାମ ଆରମ୍ଭ କରିବା ସହ ପୁରୁଣା ସଂସ୍ଥା ବିଦା ହେବା କଥା। କିନ୍ତୁ ଏମାନେ ସକ୍ଷମ ନ ହେବାରୁ ପୁରୁଣା ସଂସ୍ଥାଙ୍କ ଅବଧି ଅଗଷ୍ଟ ୩୦ ଯାଏଁ ବୃଦ୍ଧି କରାଯାଇଥିଲା। ଆଜି ପୁଣି ଥରେ ବିଏମ୍‌ସି ପୁରୁଣା ସଂସ୍ଥାଙ୍କର ଅବଧି ଆଉ ଦୁଇ ମାସ ବଢ଼ାଇଛି। କାହିଁକି ଏତେ ଅନୁକମ୍ପା? ନା ନୂଆ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇବା ଆଳରେ ପୁରୁଣା ସଂସ୍ଥାଙ୍କୁ ଆଉ ଥରେ ଦାୟିତ୍ବ ଦେବାକୁ ଯୋଜନା ହୋଇଛି?

ନୂଆ ସଂସ୍ଥାଙ୍କୁ ଲେଟର ଅଫ୍‌ ଆୱାର୍ଡ ମେ’ ୧୨ ତାରିଖରେ ଦିଆଯାଇଛି। ଏହାର ଏକ ମାସ ମଧ୍ୟରେ କାମ ଆରମ୍ଭ କରିବା କଥା। ଏହି ଅବଧି ମଧ୍ୟରେ କାମ ଆରମ୍ଭ ନ କଲେ ଚୁକ୍ତିନାମାରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟରୁ ବିଦା କରିବା ପାଇଁ ପ୍ରାବଧାନ ରହିଛି। ଜୁନ୍‌ ୧୨ ତ ଦୂରର କଥା, ଆଉ ଦୁଇ ମାସ ଅର୍ଥାତ ଅଗଷ୍ଟ ୧୬ ପର୍ଯ୍ୟନ୍ତ ସମୟ ଦିଆଗଲା। ସେହି ସମୟରେ ବି ଦୁଇଟି ନୂଆ ସଂସ୍ଥା କାମ କରିବାକୁ ସମର୍ଥ ହେଲେ ନାହିଁ। ବିଏମ୍‌ସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅହେତୁକ ଅନୁକମ୍ପା ଦେଖାଉଥିବାରୁ ଆଗକୁ ନିଜେ ବିଏମ୍‌ସି ଅଡ଼ୁଆରେ ପଡ଼ିବାର ଆଶଙ୍କା ଜଳଜଳ ଦେଖାଯାଉଛି। ଅନ୍ୟପଟେ ନୂଆ ସଂସ୍ଥାର କାମକୁ ଅନେକ କର୍ପୋରେଟର ପସନ୍ଦ କରିନାହାନ୍ତି।

ଯେଉଁଠି ୫ଟି ଲୋକ ଲାଗି କାମ କରୁଥିଲେ ସେଠାରେ ନୂଆ ସଂସ୍ଥା ଗୋଟିଏ ଲୋକ ଲଗାଉଛି। ଫଳରେ ଶତପ୍ରତିଶତ ସଫା କରିବ‌ା ସମ୍ଭବ ହେଉ ନାହିଁ। ତା ଛଡ଼ା ଗୋଟିଏ ସଂସ୍ଥା ଘରୁ ଆବର୍ଜନା ସଂଗ୍ରହ କରୁଥିବା ବେଳେ ଆଉ ଗୋଟି ସଂସ୍ଥା ରାସ୍ତା କଡ଼ରୁ ଆବର୍ଜନା ଉଠାଉଛି। ଆଉ ଗୋଟିଏ ସଂସ୍ଥା ରାସ୍ତା ଓଳାଉଛି। ଫଳରେ ତିନିଟି ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରିବା ସମ୍ଭବ ହେଉ ନାହିଁ। ନିକଟ ଅତୀତରେ ଏକ ସମୀକ୍ଷା ବୈଠକରେ କର୍ପୋରେଟରମାନେ ଏହାକୁ ଘୋର ବିରୋଧ କରିଥିଲେ। ଅନ୍ୟପଟେ ପୁରୁଣା ସଂସ୍ଥାଙ୍କୁ ସେମାନଙ୍କର ଅନିଚ୍ଛା ସତ୍ତ୍ବେ ଦାୟିତ୍ବ ଦିଆଯାଉଥିବାରୁ ସେମାନେ ଶତପ୍ରତିଶତ କାମ କରି‌ବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ରଶ୍ନ ଉଠୁଛି, ଯଦି ନୂଆ ସଂସ୍ଥା ପ୍ରସ୍ତୁତ ନଥିଲେ, ବିଏମ୍‌ସି ସେମାନଙ୍କୁ ଦାୟିତ୍ବ ଦେଉଥିଲା କାହିଁକି? ନବନିର୍ବାଚିତ ଜନପ୍ରତିନିଧି (ମେୟର, କର୍ପୋରେଟର)ମାନେ ଦାୟିତ୍ବ ନେବାର ୧୫ ଦିନ ପୂର୍ବରୁ କାହିଁକି ତରବରିଆ ଭା‌ବେ ଏହି ନୂଆ ସଂସ୍ଥାଙ୍କୁ ଦାୟିତ୍ବ ଦେଇ ଦିଆଗଲା? ଏଭଳି ଅନେକ ପ୍ରଶ୍ନ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ସ୍ବଚ୍ଛତା ଉପରକୁ ଆଙ୍ଗୁଠି ଉଠାଇଛି। ଉଲ୍ଲେଖଯୋଗ୍ୟ, ୪୬, ୫୨, ୬୨, ୬୩, ୬୪, ୬୫ ଓ ୬୬ ରେ ‘ଆୱାରଲ୍ୟାଣ୍ଡ’ ସଫେଇ କରୁଥିବା ବେଳେ ୫୪, ୫୮, ୫୯, ୬୦, ୬୧ ଓ ୬୭ ନମ୍ବର ୱାର୍ଡ ‘ଗ୍ରିନ୍‌ ସର୍କଲ’ ଦାୟିତ୍ବରେ ରହିଛି। ଏମାନଙ୍କୁ ବିଏମ୍‌ସି ସହଯୋଗ କରୁଛି।

ଭୁଆସୁଣିକୁ ଗଲା ଅଳିଆ

ଭୁବନେଶ୍ବର: ଡମ୍ପିଂୟାର୍ଡ ସମସ୍ୟା ସମାଧାନ ହେବା ପରେ ଆଜି ଠାରୁ ଭୁଆସୁଣିକୁ ଆବର୍ଜନା ଯିବା ଆରମ୍ଭ କରିଛି। ପ୍ରଥମ ଦିନରେ ୭୦ ଟ୍ରିପ୍‌ ଯାଇଛି। ଆସନ୍ତାକାଲି ଠାରୁ ଚୁକ୍ତି ମୁତାବକ ଆବର୍ଜନା ଯିବ। ଦାରୁଠେଙ୍ଗ ପଞ୍ଚାୟତବାସୀ ବୁଝାମଣା ମୁତାବକ ବିରୋଧ କରିନଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଡମ୍ପିଂୟାର୍ଡରେ ବିଭ୍ରାଟ ଦେଖାଦେଇଛି। ଭିତରେ ଆବର୍ଜନାକୁ ଖେଳାଇବା ପାଇଁ ନି‌ୟୋଜିତ ଜେସିବି ଖରାପ ଥିବାରୁ ସମସ୍ୟା ହୋଇଥିଲା। ପ୍ରଥମ ଦିନ ଯଥେଷ୍ଟ ପରିମାଣର ଆବର୍ଜନା ଯିବା ସମ୍ଭବ ହୋଇନଥିଲା। ଆସନ୍ତାକାଲି ନୂଆ ଜେସିବି ବିଏମ୍‌ସି ଯୋଗାଇ ଦେବାକୁ ସ୍ଥିର କରିଛି।

ଏଣେ ଆବର୍ଜନା ପରିବହନ କରୁଥିବା ଠିକାସଂସ୍ଥା ରାତି ୯ଟା ପର୍ଯ୍ୟନ୍ତ ଆବର୍ଜନା ବୋହିବା ପାଇଁ ସ୍ବୀକୃତି ମାଗିଛି। ଦିନକୁ ୨ଶହ ଟ୍ରିପ୍‌ ବୁହା ଆରମ୍ଭ ହେ‌‌ଲେ ସହରରୁ ଆବର୍ଜନା ସଫା ହେବ। ଏଣେ ଆବର୍ଜନା ପରିବହନ କହୁଥିବା ଗାଡ଼ିଗୁଡ଼ିକ ଅଧିକ ଭଡ଼ା ଦାବି କରୁଛନ୍ତି। ଡିଜେଲ୍‌ ଦାମ୍‌ ବଢ଼ି ଯାଇଥିବାରୁ ଭଡ଼ା ବଢ଼ାଇବାକୁ ସେମାନେ କହିଛନ୍ତି। ଏଣୁ ଆଜି ଯଥେଷ୍ଟ ପରିମାଣର ଗାଡ଼ି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର