କିନ୍ନର ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ଚନ୍ଦ୍ରଶେଖରପୁର ଆଇଆଇସିଙ୍କ ବିରୋଧରେ ମାତ୍ରାଧିକ ବଳପ୍ରୟୋଗ ଅଭିଯୋଗ

ଚନ୍ଦ୍ରଶେଖରପୁର: ଓ୍ଵାର୍ଡ଼ ନଂ ୬ ଅନ୍ତର୍ଗତ ପ୍ରଗତି ବିହାରରେ ଥିବା ଏକ କିନ୍ନର ବସ୍ତି ଉଚ୍ଛେଦ ବେଳେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ବିଡ଼ିଏ, ବିଏମ୍‌ସିର ମିିଳିତ ଉଚ୍ଛେଦକାରୀ ଦଳ ଉକ୍ତ ବସ୍ତିରେ ପହଞ୍ଚ କିନ୍ନରମାନଙ୍କ ବସ୍ତି ଭାଙ୍ଗିବାକୁ ଯୋଜନା କରୁଥିବା ବେଳେ କିନ୍ନରମାନେ ସଂଘବଦ୍ଧ ହୋଇ ପ୍ରତିବାଦ କରିଥିଲେ। ବିଡ଼ିଏ ଓ ବିଏମ୍‌ସି ଉଛେଦ ଅଧିକାରୀଙ୍କ ସହିତ କିନ୍ନରମାନଙ୍କର ଯୁକ୍ତିତର୍କ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଘଟଣାସ୍ଥଳରେ ପୁଲିସବଳ ସହିତ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିଥିଲେ। ତେବେ ଓ୍ଵାର୍ଡ଼ ନଂ-୬ର ସରକାରୀ ଜମି ପ୍ଲଟ ନଂ-୪୨୪, ପ୍ରଗତି ବିହାରରେ ରହୁଥିବା ଏହି ଜାଗାରୁ ସେମାନଙ୍କୁ ହଟାଇ ବହୁ ଜମି ମାଫିଆ, ସ୍ଥାନୀୟ କର୍ପୋରେଟର ଓ ଅନ୍ୟାନ୍ୟ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜେ ଜବର ଦଖଲ କରିବା ପାଇଁ ଯୋଜନା କରିଥିବା ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନର, ସୁଇଟ୍‌ ସାହୁ, ପୂଜା କିନ୍ନର, ମିଠି କିନ୍ନର, ବବି କିନ୍ନର, ରୀନା କିନ୍ନର, ସୁରମା କିନ୍ନର ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ ପ୍ରରୋଚନାରେ ଚନ୍ଦ୍ରଶେଖରପୁର ଆଇଆଇସି କିନ୍ନରମାନଙ୍କ ଉପରେ ମାତ୍ରାଧିକ ବଳପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ପୂର୍ବରୁ ମଧ୍ୟ ସ୍ଥାନୀୟ ଗୁଣ୍ଡାଙ୍କ ସହିତ ମିଶି କିନ୍ନରମାନଙ୍କୁ ବାଡ଼େଇବା ପାଇଁ ଯୋଜନା କରିଥିଲେ। ଓ କିଛି ପୋଲିସ୍‌ କର୍ମଚାରୀମାନଙ୍କୁ ପ୍ଲାଷ୍ଟିକ୍‌ ପାଇପ୍‌ ନେଇ ବାଡ଼େଇବା ପାଇଁ ଯୋଜନା କରିଥିଲା। କିନ୍ନରମାନଙ୍କୁ ଥଇଥାନ କରିବା ନିମନ୍ତେ ନାଲ୍‌ସା ରାୟକୁ ଲାଗୁ କରିବା ପାଇଁ ଦାବି ଉଠିଛି। ଆଜିର ଉତ୍ତେଜନା ପରେ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଛେଦକାରୀ ଦଳକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ମାତ୍ର କିନ୍ନରମାନଙ୍କ ସହିତ ଆଲୋଚନା ପରେ ସେମାନେ ନିଜେ ନିଜେ ଉକ୍ତ ସରକାରୀ ଜାଗାରୁ ସେମାନେ ସ୍ଥାନାନ୍ତର ହୋଇଯିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ଏନେଇ ଶତାଧିକ କିନ୍ନର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର