ରାଜାରାଣୀ ମଉଜାରେ ଫଳୁଥିବା ପଦ୍ମକେଶରୀ ସରୁ ଚିନାମାଳି ଓ ବାସୁମତିର ବାସ୍ନା ଆଉ ନାକରେ ବାଜୁନାହିଁ। ଜଇପୁର ଗୁଡ଼ର ଚିହ୍ନବର୍ଣ୍ଣ ନାହିଁ କି ଦୟାନଦୀ ପଶ୍ଚିମପଟ ଗହୀରରେ ଆଗଭଳି ଆଖୁ ଚାଷ ହେଉନି। ଲକ୍ଷ୍ମୀସାଗରର ପାନବରଜ ଓ କେଶୁରା ବାଙ୍କୁଆଳର ବାଇଗଣକୁ ଆଉ ଅପେକ୍ଷା ରହୁନାହିଁ। ଦିନେ କୋଚିଲା, ଧଳାଙ୍କୁ ଓ ଆମ୍ବ ଗଛରେ ପରିପୂର୍ଣ୍ଣ ଏକାମ୍ର କ୍ଷେତ୍ରର ରମଣୀୟ ବନଭୂମି ଆଜି ସ୍ମାର୍ଟ ସିଟିର ରୂପ ନେଇଛି। ଏକାମ୍ର କାନନ କଂକ୍ରିଟ୍ କାନନରେ ପରିଣତ ହୋଇଛି। ମାତ୍ର ସେଦିନର ସେଇ ଅତୀତର ଘଟଣାକ୍ରମ ଜାଣିବା ପରେ ଆଜି ବି ମନ ରୋମାଞ୍ଚିତ ହୁଏ। ଭୁବନେଶ୍ୱର କ୍ରମ ବିକାଶ ଧାରା ସମ୍ପର୍କରେ ସ୍ୱର୍ଗତ ଗୁଣନିଧି ମହାପାତ୍ରଙ୍କ ରଚିତ ପୁସ୍ତକର ତଥ୍ୟ ମୁତାବକ, ଆଜି ଯେଉଁଠି ରାଜଭବନ ଛିଡ଼ା ହୋଇଛି ସେହି ପାଖରେ ଥିଲା ‘ବଳିଦାସବାଗ’ ଜଙ୍ଗଲ। ବାଘର ହୁଙ୍କାର ଯୋଗୁଁ ଲୋକଙ୍କୁ ତାଟି କବାଟ ବୁଜି ରହିବାକୁ ପଡ଼ୁଥିଲା। ଲକ୍ଷ୍ମଣ ବେହେରା ନାମକ ଜଣେ ବ୍ୟକ୍ତି ଗାଇ ଚରାଇବାକୁ ଯାଇଥିବା ବେଳେ ତାକୁ ବାଘ ମାରିନେଇ ରାଜଭବନ ପାଖ ବାଉଁଶ ଜଙ୍ଗଲରେ ପକାଇ ଦେଇଥିବା ଖବର ପ୍ରଘଟ ହୋଇଗଲା। ତେଣୁ ଭୁବନେଶ୍ୱରରୁ ପ୍ରାୟ ୫୦ ଜଣ ଲୋକ ଠେଙ୍ଗା, ବାଡ଼ି, ଲାଇଟ୍ ବାଜା ନେଇ ଲକ୍ଷ୍ମଣ ବେହେରାର ଶବ ଆଣିଥିଲେ। ହାଡ଼ୁ ବେହେରା ନାମକ ଜଣେ ବ୍ୟକ୍ତିର ବି ସମଦଶା ହୋଇଥିଲା। ହେଲେ ହାଡ଼ୁ ବେହେରା ବାଘ ସହ ଲଢ଼ି ଖଣ୍ଡିଆ ଖାବରା ହୋଇଥିଲା। କଟୁରି ଓ ପାଞ୍ଚଣରେ ବାଘ ସହ ଲଢ଼ିଥିଲା ବୋଲି ଉଲ୍ଲେଖ କରିଛନ୍ତି ସ୍ୱର୍ଗତ ମହାପାତ୍ର।
ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ
Sambad is now on WhatsApp
Join and get latest news updates delivered to you via WhatsApp
ଖଇ ଓ ମୁଢ଼ି ବରାଦ ଦିଆଯାଉଥିଲା
ଲିଙ୍ଗରାଜ ମନ୍ଦିର ପାଖରେ ହାଡ଼ୁ ସାହୁ ଆଉ ବିଶୋଇ ଦୋକାନର ଭାରି ଚାହିଦା ଥିଲା। ରସଗୋଲା, ମଗଜ ଲଡ଼ୁ, ଫେଣିଗଜା, ଲବଙ୍ଗ ଲତା, ଗଜା, ଖଜା, ନିମିକି ଖାଇବାକୁ ଭିଡ଼ ଜମୁଥିଲା। ଗଣେଶ ବିଶୋଇଙ୍କ କୋରା, ଖଇ ଆଉ ମୁଢ଼ି ନେବାକୁ ବରାଦ ଦିଆ ହେଉଥିଲା।
ଅଷ୍ଟିଅନ୍ କାର୍ରେ ବର ଯାଉଥିଲା
ଭୁବନେଶ୍ୱର ୫ଟି ସାହିକୁ ନେଇ ସେତେବେଳେ ଗାଁ’ଟିଏ ଥିଲା। ଗବେଷକ ତଥା ଲେଖକ ପଣ୍ଡିତ ମାନଗୋବିନ୍ଦ ମହାସୂପକାରଙ୍କ କହିବା ଅନୁଯାୟୀ ସେତେବେଳେ ଲିଙ୍ଗରାଜ ମନ୍ଦିରକୁ ୨ଟା ଶଗଡ଼ ଯାଆସ କରୁଥିଲା। ପରେ ବାଳକୃଷ୍ଣ ପଣ୍ଡାଙ୍କ କୋଇଲା ଇଂଜିନ୍ ବାଲା ଟାଉନ୍ ବସ୍ ଚାଲିଲା। ୧୯୪୦ ବେଳକୁ ଗୋଟେ ଘୋଡ଼ା ଗାଡ଼ି ଭୁବନେଶ୍ୱର ରେଳ ଷ୍ଟେସନ୍ ଓ ଖଣ୍ଡଗିରିକୁ ଯାତ୍ରୀଙ୍କୁ ନବା ଆଣିବା କଲା। ଏହି ସମୟରେ ପଦ ନନ୍ଦଙ୍କର ଗୋଟେ ଖୋଲା ମଟରଗାଡ଼ି ଟାଉନ୍ ବସ୍ ଭୁବନେଶ୍ୱରରୁ ଖୋର୍ଧାକୁ ଚାଲିଲା। ସେତେବେଳେ ମଟର ଗାଡ଼ିରେ ବସିବା ହିଁ ଥିଲା ସବୁଠୁ ଆନନ୍ଦ। ଆଉ ଯେବେ ବାହାଘର ହେଉଥିଲା ଅତି ଧନୀ ଲୋକମାନେ ହୁଡ଼ପକା ଛୋଟ ଅଷ୍ଟିଅନ କାର୍ରେ ବରକୁ ନେବାକୁ ପସନ୍ଦ କରୁଥିଲେ।
ବଙ୍ଗାଳୀ ଗାଁ’ର ଭ୍ରମ ସୃଷ୍ଟି ହେଉଥିଲା
ଏବେ ଯେଉଁଟା କେଦାର ଗୌରୀ କ୍ଲବ୍ ହୋଇଛି ବ୍ରିଟିସ୍ ଅମଳରେ ତାହା ଥିଲା ପିଡବ୍ଲ୍ୟୁଡି ବିଶ୍ରାମଶାଳା। କେଦାର ଗୌରୀ, ରବି ଟକିଜ୍ ରାସ୍ତା, କପିଳେଶ୍ୱର ରାସ୍ତା, ବିବେକାନନ୍ଦ ମାର୍ଗରେ ଥିବା ରାମକୃଷ୍ଣ ମିସନ୍ ପର୍ଯ୍ୟନ୍ତ ଏତେ ବଙ୍ଗାଳୀ ଘର ଥିଲା ଯେ ଏଠିକୁ ଯିଏ ଆସୁଥିଲା ତାକୁ ବଙ୍ଗଳା ଗାଁ’ର ଭ୍ରମ ସୃଷ୍ଟି ହେଉଥିଲା। ସ୍ମୃତି ରୋମନ୍ଥନ କରି ସେ ଉଲ୍ଲେଖ କରିଛନ୍ତି, ଲିଙ୍ଗରାଜ ମନ୍ଦିରକୁ ସାରା ଦେଶରୁ ସେତେବେଳେ ବି ବହୁ ଲୋକ ଆସୁଥିଲେ। ଟ୍ରେନ୍ରେ ଆସି ପହଞ୍ଚିବା ପରେ ଲୋକଙ୍କୁ ନେବା ଆଣିବା କରିବାକୁ ଶଗଡ଼ ଠିଆ ହେଉଥିଲା। ସେତେବେଳେ ଦୃଷ୍ଟିହୀନ ଧଡ଼ୁ ବେହେରାର ଗୋଟେ ଭଲ ଟିଣସିଟ୍ ବାଲା କତାଗଦି ପକା ତାଟ ଶଗଡ଼ର ଭଲ ଚାହିଦା ଥିଲା।