ବାଲିଅନ୍ତା ବଜାର(ଗଦାଧର ଜେନା): ସ୍ବାଧୀନତା ସଂଗ୍ରାମ ତଥା ସ୍ୱଦେଶୀ ଆନ୍ଦୋଳନ ସପକ୍ଷରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ବିଭିନ୍ନ ସମୟରେ ଓଡ଼ିଶା ଆସିଥିଲେ। ସେହିଭିତରେ ସେ ୧୯୩୪ ମସିହା ମେ’ ୯ ତାରିଖ ଦିନ ପୁରୀ ସିଂହଦ୍ୱାରରୁ ଆରମ୍ଭ କରିଥିଲେ ହରିଜନ ପଦଯାତ୍ରା। ଏହିକ୍ରମରେ ସେ ପହଞ୍ଚିଥିଲେ ବାଲିଅନ୍ତାରେ। ବାଲିଅନ୍ତା ବଜାରସ୍ଥିତ ନିକୁଞ୍ଜ ବିହାରୀ ମନ୍ଦିର ନିକଟରେ ତାଙ୍କର ରହଣି ହୋଇଥିଲା।

Advertisment

ମେ’ ୧୨ ତାରିଖ ଦିନ ମହାତ୍ମା ଗାନ୍ଧୀ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଦଯାତ୍ରାରେ ସିଉଳାରେ ପହଞ୍ଚିଥିଲେ। ସେଠାରେ ସଭାକରି ସେହିଦିନ ବାଳକାଟି ଆସିବା ସମୟରେ ତାଙ୍କ ଦୃଷ୍ଟିରେ ପଡିଥିଲା ଧଉଳି ପାଦଦେଶରେ ଐତିହାସିକ କଳିଙ୍ଗଯୁଦ୍ଧ ସଂଘଟିତ ହୋଇଥିବା ଅଞ୍ଚଳ ଉପରେ। ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବାର କାହାଣୀକୁ ଶୁଣି ମହାତ୍ମା ଚମତ୍କୃତ ହୋଇଥିଲେ। ମେ’ ୧୩ ତାରିଖ ଦିନ ବାଳକାଟି ସଭାରେ ଗାନ୍ଧିଜୀ ହରିଜନଙ୍କୁ ଅଧିକାର ପ୍ରଦାନ ପ୍ରସଙ୍ଗରେ ଜନମତ ସୃଷ୍ଟି କରିବା ଦିଗରେ ପ୍ରୟାସ କରିଥିଲେ। ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା ଜାତିଭେଦ ବିରୋଧରେ ଜନସଚେତନତା ସୃଷ୍ଟି କରିବା। ଏହା ସହିତ ସ୍ବାଧୀନତା ପାଇଁ ଜାଗରଣ ସୃଷ୍ଟି ମଧ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଯାତ୍ରା ସମୟରେ ଓଡ଼ିଶା ଗ୍ରାମାଞ୍ଚଳର ଲୋକଙ୍କ ଦରିଦ୍ରତା ଦେଖି ସେ ବିଶେଷ ଚିନ୍ତିତ ହୋଇଥିଲେ। ଗାଁ ଗହଳି ଭିତରେ ରହୁଥିବା ଲୋକମାନେ କେବଳ କୃଷି ଉପରେ ନିର୍ଭର ନକରି କିପରି ଗ୍ରାମ୍ୟଶିଳ୍ପ ଉପରେ ଗୁରୁତ୍ବ ଦେବେ, ସେନେଇ ସେ ଲୋକଙ୍କୁ ବୁଝାଉ ଥିଲେ। ଏହି ପଦଯାତ୍ରା ସମୟରେ ସେ ରଥିଯେମା ଓ ବଇଁଚୁଆର କଂସା ପିତଳ କାରିଗରମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ହାତଗଢ଼ା କାରୁକାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ।

ପଦଯାତ୍ରା ଦ୍ୱାରା ସେ ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ସହ ସହଜରେ ଭେଟି ସିଧାସଳଖ ଆଲୋଚନା କରି ପାରୁଥିଲେ। ତାଙ୍କର ସେହି ପଦଯାତ୍ରାରେ ରମାଦେବୀ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିନୋଦ କାନୁନଗୋ ପ୍ରମୁଖ ବିଶିଷ୍ଟ ଓଡ଼ିଆ ନେତାମାନେ ଉପସ୍ଥିତ ଥିଲେ। ମେ’ ୧୩ ତାରିଖରେ ସେମାନେ ବାଳକାଟିରୁ ସତ୍ୟଭାମାପୁର ଏବଂ ସେଠାରୁ ବାଲିଅନ୍ତା ବଜାରରେ ଥିବା ନିକୁଞ୍ଜ ବିହାରୀ ମନ୍ଦିର ସନ୍ନିକଟ ଆମ୍ବ ବଗିଚାରେ ପହଞ୍ଚିଥିଲେ। ସେଠାରେ ସମର୍ଥକମାନଙ୍କ ସହ ସେ ୩ଦିନ ଅବସ୍ଥାନ କରିଥିଲେ। ଆଲୋଚନା ସମୟରେ ଲୋକଙ୍କୁ ନିଶା ନିବାରଣ, କୁଟୀରଶିଳ୍ପର ବିକାଶ, ଅସ୍ପୃଶ୍ୟତାର ବିଲୋପନ ଆଦି ସମ୍ପର୍କରେ ସଚେତନ କରାଇଥିଲେ। ସେ ସମୟରେ ଚାଲୁଥିବା ଜମିଦାରୀ ଶାସନରେ ଦଳିତମାନେ ଉପେକ୍ଷିତ ହେଉଥିବା ଜଣାଇଥିଲେ। ସେଠାରେ ରହଣି ସମୟରେ ବାପୁ ମେ’ ୧୪ ତାରିଖ ଦିନ ମୌନବ୍ରତ ପାଳନ କରିଥିଲେ। ମେ’ ୧୫ ତାରିଖ ଦିନ ବାଲିଅନ୍ତା ଅଞ୍ଚଳର ଦଳିତମାନଙ୍କ ସହ ବୈଠକ କରିବା ପରେ ସେମାନଙ୍କୁ ପ୍ରଥମଥର ପାଇଁ ମନ୍ଦିର ମଧ୍ୟରେ ପ୍ରବେଶ କରି ପୂଜା ଅର୍ଚ୍ଚନା କରିବା ପାଇଁ ସୁଯୋଗ ଦେଇଥିଲେ। ସେହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଏକ ସାମୂହିକ ପଙ୍‌କ୍ତି ଭୋଜନର ଆୟୋଜନ କରା ଯାଇଥିଲା। ଭୋଜିରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକସଙ୍ଗେ ବସି ଖାଇଥିଲେ। ସେହି ମେ’ ୧୫ରେ ସେ ବାଲିଅନ୍ତା ବଜାରରୁ ବାହାରି ତେଲେଙ୍ଗାପେଣ୍ଠ ଅଭିମୁଖେ ଯାଇଥିଲେ।

ବାଲିଅନ୍ତା ବଜାରସ୍ଥ ନିକୁଞ୍ଜ ବିହାରୀ ମନ୍ଦିର ନିକଟରେ ଥିବା ଯେଉଁ ଆମ୍ବ ବଗିଚା ବା ତୋଟାରେ ଗାନ୍ଧିଜୀ ନିଜ ସହଯାତ୍ରୀମାନଙ୍କ ସହିତ ଶିବିରରେ ରହିଥିଲେ, ସେ ତୋଟା ଆଉ ନାହିଁ। ସେଠାରେ ଜନବସତି ହୋଇଗଲାଣି। ବାପୁଙ୍କ ଆଗମନର ଏକମାତ୍ର ଚିହ୍ନ ରୂପେ ନିକୁଞ୍ଜ ବିହାରୀ ମନ୍ଦିର ପରିସରରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ହିଁ ରହିଛି, ଯେଉଁଥିରେ ଗାନ୍ଧିଜୟନ୍ତୀ ଓ ସ୍ବାଧୀନତା ଦିବସ ଆଦିରେ ଲୋକେ ଶ୍ରଦ୍ଧାସୁମନ ଅର୍ପଣ କରି ସେହି ଘଟଣାକୁ ମନେ ପକାନ୍ତି।