୧୦୦ ଦିନର ଆହ୍ବାନ, ପ୍ରସ୍ତୁତ ହେଉଛନ୍ତି ଶିକ୍ଷକ

୯ ମାସ ପରେ ସ୍କୁଲକୁ ଫେରିବେ ଛାତ୍ରଛାତ୍ରୀ, ସଫେଇ ଚାଲିଛି, ସାନିଟାଇଜିଂ ବି ହେବ

ପ୍ରାୟ ୯ ମାସର ବିରତି ପରେ ଆସନ୍ତା ୮ ତାରିଖରେ ଖୋଲିବାକୁ ଯାଉଛି ସ୍କୁଲ। ଏବେ ସବୁ ଶ୍ରେଣୀ ନହେଲେ ବି ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାମାନେ ଆସିବେ ସ୍କୁଲ। ହାତରେ ମାତ୍ର ୧୦୦ ଦିନ। ସାରିବାକୁ ହେବ ୭୦ ପ୍ରତିଶତ ପାଠ୍ୟକ୍ରମ। ବିନା ଛୁଟିରେ ୧୦୦ ଦିନରେ ପିଲାଙ୍କୁ ୭୦% ପାଠ୍ୟକ୍ରମ ପଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେଣୁ ଏହି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ। ଆଗକୁ କଲେଜ, ବିଶ୍ବବିଦ୍ୟାଳୟ ବି ଖୋଲିବାକୁ ଯାଉଛି। ତେଣୁ ରାଜଧାନୀରେ ଏବେ କେମିତି ସ୍କୁଲ କଲେଜର ପରିବେଶ? ପାଠପଢ଼ା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ତ? ଏହାକୁ ଅନୁଧ୍ୟାନ କରିବ‌ା ସହ ଏହି ପ୍ରସଙ୍ଗରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ଲାଗି ‘ସମ୍ବାଦ’ ମହାନଗର ଟିମ୍ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ। ଆଜି ପ୍ରଥମ ଦିନରେ ରାଜଧାନୀର ୩ଟି ସ୍କୁଲକୁ ନେଇ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଆମ ପ୍ରତିନିଧି ସସ୍ମିତା ସାହୁ…।

ଏବେ ଶିକ୍ଷା ସହ ଯୋଗ୍ୟତା ଓ ଅଭିଜ୍ଞତାକୁ ଯୋଡ଼ିବା ସମୟ
ଏବେ ଆମକୁ ପାରମ୍ପରିକ ଶୈଳୀରୁ ବାହାରି ଶିକ୍ଷାରେ ନିଜ ଦୀର୍ଘ ଦିନର ଅଭିଜ୍ଞତାକୁ ସାମିଲ କରିବାକୁ ପଡ଼ିବ। ଏଥିପାଇଁ ମୁଁ ଓ ମୋ ଶିକ୍ଷକମାନେ ମାନସିକସ୍ତରରେ ପ୍ରସ୍ତୁତ ହୋଇଗଲୁଛି। ୭୦ ପ୍ରତିଶତ ପାଠ୍ୟକ୍ରମକୁ ୧୦୦ ଦିନରେ ସାରିବାକୁ ହେଲେ ପ୍ରଥମେ ବିନା ଛୁଟିରେ କାମ କରିବାକୁ ପଡ଼ିବ। ଏଥିସହ ନିଜ ୩୦ ବର୍ଷର ଅଭିଜ୍ଞତାରୁ ମୁଁ ନିଷ୍ପତ୍ତି ନେଇଛି ଯେ, ଯେଉଁ ବିଷୟ ପରୀକ୍ଷାରେ ଓ ପରବର୍ତ୍ତୀ ଶ୍ରେଣୀ ପାଇଁ ଅଧିକ ଉପଯୋଗୀ ହେବ ସେଗୁଡ଼ିକୁ ବାରମ୍ବାର ବିଦ୍ୟାର୍ଥୀମାନଙ୍କୁ ଅଭ୍ୟାସ କରାଇବୁ। ଏଥିସହ ବାଦ୍ ଦିଆଯାଇଥିବା ୩୦% ସହ ଟିକେ କମ୍‌ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକୁ ଚୁମ୍ବକରେ ପଢ଼ାଇଦେବୁ। ଫଳରେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଉପରେ ପିଲାମାନଙ୍କର ଏକ ବିସ୍ତୃତ ଜ୍ଞାନ ହେବା ସହ ଅଧିକ ଗୁରୁତ୍ବପୂର୍ଣ୍ଣ ପାଠକୁ ବାରମ୍ବାର ଅଭ୍ୟାସ କରାଇବା ଦ୍ବାରା ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ।

ଆମ ସ୍କୁଲରେ ଦଶମ ଶ୍ରେଣୀରେ ୮୬ ଜଣ ବିଦ୍ୟାର୍ଥୀ ଅଛନ୍ତି। କରୋନା କାରଣରୁ ସାମାଜିକ ଦୂରତା ରକ୍ଷା‌ କରି ସେମାନଙ୍କୁ ପାଠ ପଢ଼ାଯିବ, ଯେମିତି କି କେହି ବି ସଂକ୍ରମିତ ନ ହୁଅନ୍ତି। ଯାହା ଅନୁମାନ କରୁଛୁ, ପ୍ରଥମେ ପ୍ରଥମେ ପ୍ରାୟ ୫୦ ଜଣ ବିଦ୍ୟାର୍ଥୀ ସ୍କୁଲ ଆସିବେ। ଏଣୁ ଦୁଇଟି ଶ୍ରେଣୀରେ ଏମାନଙ୍କୁ ପାଠ ପଢ଼ାଯିବ। ଯେହେତୁ ଶ୍ରେଣୀ ଗୃହଗୁଡ଼ିକ ଛୋଟ, ସେଥିପାଇଁ ଗୋଟିଏ ‌ବେଞ୍ଚ୍‌ରେ ଜଣକୁ ବସାଇବା ସମ୍ଭବ ନୁହେଁ। ଆଗରୁ ଯେଉଁ ବେଞ୍ଚରେ ୩ ଜଣ ବସୁଥିଲେ, ଏବେ ସେଠାରେ ଆମେ ଦୁଇ ଜଣଙ୍କୁ ବସିଇବୁ। ଅନ୍ୟପଟେ ଶ୍ରେଣୀ ଗୃହଗୁଡ଼ିକୁ ଭଲ ଭାବେ ସଫା କରି ଦିଆଯାଇଛି। କିନ୍ତୁ ସ୍କୁଲର ବିଶେଷ କିଛି ଫଣ୍ଡ୍‌ ନଥିବାରୁ ସ୍କୁଲ ବିଶୋଧନ ପାଇଁ ଆମେ ଅସମର୍ଥ। ଏଣୁ ବିଏମ୍‌ସି ୱାର୍ଡ ଅଫିସ୍‌ରେ ଏନେଇ ଅନୁରୋଧ କରିଛୁ। ସେମାନେ ଏହାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।
କମଳ କୁମାର ପରିଡ଼ା, ପ୍ରଧାନ ଶିକ୍ଷକ,
ମଞ୍ଚନାଥ ଦେବ ଉଚ୍ଚ ବିଦ୍ୟାଳୟ, ଚକେଇସିଆଣି

ଭୁବନେଶ୍ବର: ସାଧାରଣ ଭାବେ ଗୋଟିଏ ଶିକ୍ଷା ବର୍ଷରେ ୨୪୦ ଦିନ ପାଠ ପଢ଼ାଯାଏ। ଏହି ୨୪୦ ଦିନରେ ୧୦୦ ପ୍ରତିଶତ ପାଠ୍ୟକ୍ରମ ସାରିବାକୁ ହୁଏ। କିନ୍ତୁ ଚଳିତ ବର୍ଷ ଶିକ୍ଷା ବର୍ଷର ପ୍ରାୟ ୯ ମାସ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିଲା। ଏଥିପାଇଁ ୩୦% ପାଠ୍ୟକ୍ରମକୁ ବାଦ୍‌ ବି ଦିଆଗଲା। ୩୦%ରୁ ଆଉ କମିବ ନାହିଁ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିବା ପରେ ଏବେ ଶିକ୍ଷକମାନଙ୍କ ପାଇଁ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ୧୦୦ ଦିନରେ ୭୦% ପାଠ୍ୟକ୍ରମ ସାରିବାକୁ ଶିକ୍ଷକମାନେ ବି ମାନସିକ ସ୍ତରରେ ପ୍ରସ୍ତୁତ ହେଲେଣି। କିଏ ନିଜ ଦୀର୍ଘ ଶିକ୍ଷକ ଜୀବନର ଅଭିଜ୍ଞତାକୁ ଅସ୍ତ୍ର କରିଛି ତ’ ଆଉ କିଏ ବାରମ୍ବାର ଅଭ୍ୟାସକୁ ଗୁରୁତ୍ବ ଦେଲେଣି।

ଅନ୍ୟପଟେ ପିଲାମାନଙ୍କ ସ୍ବାସ୍ଥ୍ୟ ସଚେତନତାକୁ ବେଶି ଗୁରୁତ୍ବ ଦିଆଯାଉଛି। ବେଞ୍ଚ୍‌ରେ ଲାଗିଥିବା ଧୂଳି ଝଡ଼ା ଚାଲିଛି। ବ୍ଲାକ୍‌ବୋର୍ଡକୁ ପାଣି ମାରି ପରିଷ୍କାର କରାଯାଉଛି। ସ୍କୁଲ୍‌ ପରିସରଠାରୁ ଆରମ୍ଭ କରି ଶ୍ରେଣୀଗୃହ, ଖେଳପଡ଼ିଆ ଆଦି ସଫା କରାଯାଉଛି। କାରଣ ଆଉ ମାତ୍ର ୨ ଦିନ ପରେ ସ୍କୁଲ ଖୋଲିବ। ପୁଣି ୧୦ଟାରେ ବାଜି ଉଠିବ ସ୍କୁଲ ବେଲ୍‌। ବ୍ଲାକ୍‌ବୋର୍ଡରେ ପୁଣି ଚକ୍‌ ଖଡ଼ିରେ ପାଠ ଲେଖାଯିବ। ନିରବି ଯାଇଥିବା ସ୍କୁଲ ପରିସର ପୁଣି କୋଳାହଳପୂର୍ଣ୍ଣ ହୋଇ ଉଠିବ। ଏନେଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ଥିବା ବେଳେ ଅଭିଭାବକମାନେ ପିଲାଙ୍କ ସୁରକ୍ଷାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି। କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ଏନେଇ ବେଶ୍‌ ସଜାଗ ଥିବା ଜଣାପଡ଼ୁଛି। ଏଥିପାଇଁ ଗତ ଦୁଇ ଦିନ ହେଲା ରାଜଧାନୀର ଅଧିକାଂଶ ସ୍କୁଲର ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଶ୍ରେଣୀ ଗୃହରେ ହେବ ସାନିଟାଇଜିଂ ବ୍ୟବସ୍ଥା
ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆମେ ଗତକାଲିଠାରୁ ସ୍କୁଲ ପରିସର ସଫା କରିଦେଇଛୁ। ଏବେ ଶ୍ରେଣୀ ଗୃହ ଧୂଆଧୋଇ ଚାଲିଛି। ଆସନ୍ତାକାଲି ସୁଦ୍ଧା ତାହା ବି ଶେଷ ହୋଇଯିବ। ବିଏମ୍‌ସି ପକ୍ଷରୁ କର୍ମଚାରୀ ଆସି ଆସନ୍ତାକାଲି ସ୍କୁଲ ପରିସରକୁ ବିଶୋଧିତ କରି ଯିବେ ବୋଲି କହିଛନ୍ତି। ଏଥିସହ ଆମେ ସ୍କୁଲରେ ୧୦ ଶ୍ରେଣୀରେ ୩୧ ଜଣ ବିଦ୍ୟାର୍ଥୀ। ଆମର ବଡ଼ ବଡ଼ ହଲ୍‌ ରହିଥିବାରୁ ଗୋଟିଏ କ୍ଲାସ୍‌ରେ ହିଁ ସମସ୍ତଙ୍କୁ ବସାଇବୁ। କିନ୍ତୁ ଗୋଟିଏ ବେଞ୍ଚରେ ଜଣେ ବିଦ୍ୟାର୍ଥୀ ହିଁ ବସିବେ। ଶ୍ରେଣୀ ଗୃହ ମଧ୍ୟରେ ସା‌ନିଟାଇଜିଂ ବ୍ୟବସ୍ଥା କରାଯିବ। ପିଲାମାନଙ୍କୁ ପାଠପଢ଼ା ସହ କରୋନା ପ୍ରତି ସତର୍କ ରହିବାକୁ ସଚେତନ କରାଯିବ।
ନଳିନୀପ୍ରଭା ସୁତାର, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଉଚ୍ଚ ବିଦ୍ୟାଳୟ

ସ୍କୁଲରେ କରିଛୁ ସଙ୍ଗରୋଧ ଗୃହ
ଗତକାଲିଠାରୁ ୪ ଜଣ ମୂଲିଆ ଲାଗି ସ୍କୁଲ ହତା ପରିଷ୍କାର ଆରମ୍ଭ କରିଦେଇଛନ୍ତି। ଏଥିସହ ପୂରା ସ୍କୁଲକୁ ଭଲ ଭାବେ ଆମେ ସଫା କରିବା ସହ ସମସ୍ତ ବେଞ୍ଚ୍‌, ଚେୟାର ଓ ଅଧିକ ବ୍ୟବହୃତ ହେଉଥିବା ଜିନିଷଗୁଡ଼ିକର ଭଲ ଭାବେ ବିଶୋଧନ କରିଛୁ। ୧୦ମ ଶ୍ରେଣୀରେ ଆମ ସ୍କୁଲରେ ମାତ୍ର ୨୬ ଜଣ ବିଦ୍ୟାର୍ଥୀ। ତଥାପି ଆମେ ଦୁଇଟି ଶ୍ରେଣୀ ଗୃହରେ ସେମାନଙ୍କୁ ପଢ଼ାଇବା ସହ ପ୍ରତି ବେଞ୍ଚ୍‌ରେ ଜଣିଏ ଲେଖାଏଁ ବସିବେ ଏଥିସହ ତାଙ୍କ ପଛ ବେଞ୍ଚ୍‌ ଛାଡ଼ି ପର ବେଞ୍ଚ୍‌ରେ ଆଉ ଜଣେ ବିଦ୍ୟାର୍ଥୀ ବସିବାର ବ୍ୟବସ୍ଥା କରାଯାଇଛି। ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିଛୁ। ଏଥିସହ ଥଣ୍ଡା, କାଶ କିମ୍ବା ଜ୍ବରରେ ପୀଡ଼ିତ ଥିଲେ କିମ୍ବା ସେଭଳି କିଛି ଲକ୍ଷଣ ଥିବା ପିଲାଙ୍କ ପାଇଁ ସଙ୍ଗରୋଧ ଗୃହର ବି ବ୍ୟବସ୍ଥା କରିଛୁ। ସ୍କୁଲ ଭିତରେ ପ୍ରବେଶ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି କର୍ମଚାରୀ, ଶିକ୍ଷକ/ଶିକ୍ଷୟିତ୍ରୀ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସମସ୍ତେ ଯେମିତି ବାରମ୍ବାର ହାତ ଧୋଇବେ ସେ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯିବ। ଏହା ରହିଲା ପାରିପାଶ୍ବିକ ପ୍ରସ୍ତୁତିର କଥା। କିନ୍ତୁ ମାନସିକ ସ୍ତରରେ ବି ପ୍ରସ୍ତୁତି ଆମେ ସାରିଛୁ। ଅନ୍‌ଲାଇନ୍‌ କ୍ଲାସ୍‌ କରିଆରେ କିଛି ପାଠ୍ୟକ୍ରମ ସରିଛି। ସେ ସବୁର ପୁନରାଭ୍ୟାସ ସହ ଅବଶିଷ୍ଟ ପାଠ୍ୟକ୍ରମକୁ ବି ଶ୍ରେଣୀଗୃହରେ ସାରିବୁ। ପିଲାମାନଙ୍କୁ ଅଧିକ ଯୋଡ଼ି ରଖିବା ପାଇଁ ପ୍ରତି ସପ୍ତାହରେ ସେମାନଙ୍କର ପରୀକ୍ଷା ହେବ। ଶ୍ରେଣୀ ଗୃହ ଛଡ଼ା ଅନ୍‌ଲାଇନ୍‌ରେ ବି ଆମେ ଡାଉଟ୍‌ କ୍ଲିୟର୍‌ କ୍ଲାସ୍‌ ରଖିବୁ। ଫଳରେ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ।
ନମିତା ପଟ୍ଟନାୟକ,
ଲାଲ୍‌ବାହାଦୂର ସରକାରୀ ବିଦ୍ୟାଳୟ, ଫୁଲନଖରା

ସମ୍ବନ୍ଧିତ ଖବର