ଭୁବନେଶ୍ବର: ପୁଞ୍ଜି ନିବେଶ ନାଁ ଓଡ଼ିଶା ସମେତ ୬ରାଜ୍ୟର ହଜାର ହଜାର ଜମାକାରୀଙ୍କୁ ୧୨୩ କୋଟି ଟଙ୍କା ଚୂନ ଲଗାଇ ପଶ୍ଚିମବଙ୍ଗ ମେଦିନପୁରରୁ ଗିରଫ ହୋଇଥବା ହରିତ୍ କ୍ରିଷିନିଧି ଲିମିଟେଡ୍ର ନିର୍ଦ୍ଦେଶକ ତୁଷାର ଭଞ୍ଜକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ତା’କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ଆବେଦନ କରାଯାଇଛି। ଆସନ୍ତାକାଲି, ଅର୍ଥାତ ମଙ୍ଗଳବାରଠାରୁ ତା’କୁ ରିମାଣ୍ଡରେ ଅଣାଯିବ। ରିମାଣ୍ଡରେ ସମୟରେ ଇଓଡବ୍ଲ୍ୟୁର ସ୍ବତନ୍ତ୍ର ଟମ୍ ତାକୁ ମାରାଥନ ଜେରା କରିବ। ତେବେ ସେ କେତେ ଲୋଙ୍କଠାରୁ ଟଙ୍କା ନେଇଛି, ବିଭିନ୍ନ ଦେଶ ଓ ରାଜ୍ୟରେ ସଂସ୍ଥାର କାର୍ଯ୍ୟାଳୟ ଥିବାରୁ ତା’ସହ ଅନ୍ୟ କେଉଁ କେଉଁମାନେ ଯୋଡ଼ି ହୋଇଥିଲେ, କମିସନ ବା ବୋନସରେ କେଉଁମାନଙ୍କୁ କେତେ ଟଙ୍କା ଦେଇଛି, ଏଯାଏ ଜଣାପଡ଼ିଥିବା ୩ଟି ଆକାଉଣ୍ଟ ନା ଅନ୍ୟ ବ୍ୟାଙ୍କରେ ମଧ୍ୟ ଆର୍ଥିକ କାରବାର ହୋଇଛି- ଏସବୁର ଖୋଳତାଡ଼ ହେବ। ଆର୍ଥିକ କାରବାରର ସବିଶେଷ ତଥ୍ୟ ପାଇଁ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଚିଠି କରାଯାଇଛି।
ତୁଷାର ୟୁଟ୍ୟୁବ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ହ୍ବାଟସ୍ଆପ୍, ଟେଲିଗ୍ରାମ ଭଳି ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ବ୍ୟବହାର କରି ଲୋକଙ୍କୁ ବିଭିନ୍ନ ସ୍କିମ୍ର ଲୋଭ ଦେଖାଇ ଫସାଇଥିଲା। ବିଭିନ୍ନ ସ୍ଥାନରେ ତାରକା ହୋଟେଲ୍ରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍ଥାର ପ୍ରସାର ପ୍ରଚାର କରିଥିଲା। ସେଦିଗରେ ମଧ୍ୟ ଇଓଡବ୍ଲ୍ୟୁ ଖୋଳତାଡ଼ ଆରମ୍ଭ କରିଛି। ଯଦିଓ ଏବେ ସୁଦ୍ଧା ସେ ୩୪ହଜାର ଜମାକାରୀଙ୍କୁ ଠକିଥିବା କଥା ପଦାକୁ ଆସିଛି, ବାସ୍ତବରେ ସେ ଆଉ କେତେ ଜମାକାରୀଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଫସାଇଛି, ସେ ତଥ୍ୟ ପାଇଁ ଉକ୍ତ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍କୁ ଚିଠି କରାଯାଇଛି। ତା’ର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।
ପ୍ରକାଶ ଥାଉ କି ସଂସ୍ଥାରେ ପୁଞ୍ଜି ନିବେଶ କଲେ ମାସିକ ୧୧% ସୁଧ ସାଙ୍ଗକୁ ସଂସ୍ଥାରେ ନୂଆ ସଦସ୍ୟ ଯୋଡ଼ିଲେ ୩୦%-୩୫% ବୋନସ୍ ମିଳିବ ବୋଲି ସେ ଲୋକଙ୍କୁ ଲୋଭ ଦେଖାଇଥିଲା। ଖାଲି ଏତିକି ନୁହେଁ, ପୁଞ୍ଜି ନିବେଶ ହିସାବରେ ମାସିକ ଦରମା ସହ କମିସନ ବି ମିଳିବ ବୋଲି କହିଥିଲା। ଏମିତି ବିଭିନ୍ନ ସ୍କିମ୍ର ଲୋଭ ଦେଖାଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ତ୍ରିପୁରା, ମହାରାଷ୍ଟ୍ର ଆଦି ୬ଟି ରାଜ୍ୟର ୩୪ହଜାର ଜମାକାରୀଙ୍କୁ ୧୨୩ କୋଟି ଟଙ୍କା ଚୂନ ଲଗାଇଥିଲା। ସଂସ୍ଥା କେବଳ ଦେଶରେ ସୀମିତ ନଥିଲା। ବାଙ୍ଗଲାଦେଶରେ ବି କିଛି ଜମାକାରୀଙ୍କୁ ଚୂନ ଲଗାଇଥିଲା। ବିଶେଷକରି ଆକ୍ସିସ୍, ବନ୍ଧନ ଓ ୟେସ୍ ବ୍ୟାଙ୍କ ମାଧ୍ୟରେ ଜାମାକାରୀଙ୍କ ଠାରୁ ଟଙ୍କା ଆଦାୟ କରିଥିଲା। ସେହି ଟଙ୍କାକୁ ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲା। ଧରାପଡ଼ିବା ଭୟରେ ଦୁବାଇରେ ମଧ୍ୟ ନୂଆ କାର୍ଯ୍ୟାଳୟ ଖୋଲି ଦେଶରୁ ଫେରାର ହେବାପାଇଁ ଉଦ୍ୟମ କରିଥିଲା। ଦଶମ ଫେଲ୍ ହୋଇ ମଧ୍ୟ ବହୁ ଉଚ୍ଚଶିକ୍ଷିତଙ୍କୁ ଚୂନ ଲଗାଇଥିବା ଏଭଳି ହାଇପ୍ରୋଫାଇଲ୍ ଠକକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପଶ୍ଚିମବଙ୍ଗ ମେଦିନପୁରରୁ ଗିରଫ କରିଥିଲା।