ଧଉଳି: ପ୍ରଥମେ ଭକ୍ତିରସରେ ଦର୍ଶକମାନେ ଭିଜିଥିଲେ। ଭକ୍ତିଗୀତ ‘ଜୟ ଜଗଦୀଶ ହରେ’ର ତାଳେ ତାଳେ ଦର୍ଶକମାନେ ନିମଜ୍ଜିତ ହେବା ଭିତରେ ଦଶାବତାର ଓଡ଼ିଶୀ ନୃତ୍ୟାଭିନୟ ସେମାନଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। ପରେ ପରେ ଯୁଦ୍ଧର ଘନଘଟା ଉପସ୍ଥିତ ଦର୍ଶକମାନଙ୍କ ମନରେ କମ୍ପନ ସୃଷ୍ଟି କରିଥିଲା। ଚକ୍ରବ୍ୟୂହରେ ଅଭିମନ୍ୟୁ ମୃତ୍ୟୁ ଓ ଭୀଷ୍ମପର୍ବରେ ତାଙ୍କ ଶରଶଯ୍ୟା ଭଳି ଦୁଃଖଦ ଚିତ୍ର ଦର୍ଶକଙ୍କୁ ଲୁହରେ ଭିଜାଇଥିଲା। ଧଉଳି ପାହାଡ଼ର ପାଦଦେଶରେ ଅନୁଷ୍ଠିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଏମିତି ଦୁଇ ବିପରୀତ ଭାବ ଓ ଅନୁଭବର ଫେଣ୍ଟାଫେଣ୍ଟିରେ ଦର୍ଶକମାନେ ବେଶ୍‌ ବିମୋହିତ ହୋଇପଡ଼ିଥିଲେ।

Advertisment

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ଆର୍ଟ ଭିଜନ୍‌ର ମିଳିତ ଆନୁକୂଲ୍ୟରେ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଧଉଳି କଳିଙ୍ଗ ମହୋତ୍ସବ। ଯେଉଁଠୁ ଦିନେ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ, ଆଜି ସେହି ସ୍ଥାନରୁ ଗୁଞ୍ଜରିତ ହୋଇଥିଲା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ଅପୂର୍ବ ଛନ୍ଦ ଓ ମୂର୍ଚ୍ଛନା। ପ୍ରଥମ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଆୟୋଜକ ଓଡ଼ିଶା ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ‘ଦଶାବତାର’ ପରିବେଷିତ ହୋଇଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଳା ବିଶ୍ବାସ ଓ ନୃତ୍ୟ ପରିକଳ୍ପନା କରିଥିଲେ ଡ. ସୁବାସ ପାଣି। ଦ୍ବିତୀୟ ସୋପାନରେ କଲିକତା ଉପାସନା ସେଣ୍ଟର ଫର୍‌ ଡ୍ୟାନ୍ସ ଅନୁଷ୍ଠାନର ଶିଳ୍ପୀମାନେ ପରିବେଷଣ କରିଥିଲେ ମଣିଷ ଜୀବନ ଦର୍ଶନର ‘ପ୍ରତିବିମ୍ବ’ ଆଧାରିତ କଥକ ନୃତ୍ୟ। ଏହା ଦର୍ଶକମାନଙ୍କ ମନପ୍ରାଣକୁ ବେଶ୍‌ ଛୁଇଁଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟ। ତେବେ ଅନ୍ତିମ ପର୍ଯ୍ୟାୟରେ ମୟୂରଭଞ୍ଜ ‘ଅଙ୍ଗିକା’ ଅନୁଷ୍ଠାନର ଶିଳ୍ପୀମାନେ ଛଉନୃତ୍ୟ ‘କପୋତ କଥା’ରେ ମହାଭାରତ ଉପ୍ୟାଖ୍ୟାନର ଭୀଷ୍ମପର୍ବ, ଅଭିମନ୍ୟୁ ଚକ୍ରବ୍ୟୂହ, ପଦ୍ମବ୍ୟୂହ ଓ କନିଷ୍କ ପର୍ବ ଆଦି ଯୁଦ୍ଧ ଉପାଖ୍ୟାନ ପରିବେଷଣ କରିଥିଲେ। ଏହା ସମବେତ ଦର୍ଶକଙ୍କୁ ବିମୋହିତ କରିଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ସଦାଶିବ ପ୍ରଧାନ।

ଆଜିର ଉଦ୍‌ଘାଟନୀ ସଂଧ୍ୟାରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ପ୍ରିୟମ୍ବଦା ମହାନ୍ତି ହେଜିମାଦି, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ୍‌ କୁମାର ଦେବ, ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ସଚିବ ଇଲିୟାନା ସୀତାରିଷ୍ଟ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ. ଇଂ ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍।