ଭୁବନେଶ୍ୱର: ‘ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ, ତାହାର ନାମ ସାହିତ୍ୟ। ସେ ଦୃଷ୍ଟିରୁ ଆଜି ଆମେ ଅଧିକ ଜ୍ଞାନୀ। କାରଣ ଆମେ ବହୁ ଭାଷୀ ଏବଂ ଅନେକ ଭାଷା ଜାଣିବାରେ ସମର୍ଥ। ହେଲେ ପରିତାପର କଥା, ନିଜ ଭାଷା ଉପରେ ଆମର ଦଖଲ ନାହିଁ।’ ଗୀତଗୋବିନ୍ଦ ସଦନ ସଭାଗୃହରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା ଓ ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ‘ଅପୂର୍ବା’ର ୨୭ତମ ସ୍ୱନକ୍ଷତ୍ର ଦିବସ ଉତ୍ସବର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ସାହିତ୍ୟିକମାନେ ରାଜନୈତିକ ବିଷୟରେ ଚର୍ଚ୍ଚା ନ କରି ନିଜେନିଜେ ଅପ୍ରାସଙ୍ଗିକ ହୋଇ ଯାଉଛନ୍ତି ଏବଂ ଆମେ ରାଜ୍ୟର ବାସ୍ତବ ଚିତ୍ର ଜାଣିପାରୁନାହେଁ। ତେଣୁ ସାହିତ୍ୟିକମାନେ ପାଠକଙ୍କ ନିକଟରେ ନିଜ ରାଜ୍ୟର ଚିତ୍ର ଉପସ୍ଥାପନ କରନ୍ତୁ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ସାହିତ୍ୟିକ ହରପ୍ରସାଦ ଦାସ କହିଲେ ଯେ ଆଜିକାଲି ସମସ୍ତେ ଏଆଇକୁ ନେଇ ଭୟଭୀତ। ଏହାକୁ ରୋକିବାକୁ ହେଲେ ଆମକୁ ସୃଜନଶୀଳ ହେବାକୁ ପଡ଼ିବ ଏବଂ ଭାଷା ଜ୍ଞାନ ହିଁ ଏଆଇକୁ ହରାଇବାରେ ସକ୍ଷମ ହେବ। ସମ୍ମାନିତ ଅତିଥି କଥାଶିଳ୍ପୀ ପଦ୍ମଜ ପାଳ କହିଲେ ଯେ ଓଡ଼ିଆ ସାହିତ୍ୟ ପତ୍ରିକାଗୁଡ଼ିକର ପାଠକ ଦିନକୁ ଦିନ କମିବାରେ ଲାଗିଛନ୍ତି।
ମନୋରଞ୍ଜନ ପାଇଁ ଲେଖାଯାଉଥିବାରୁ ପତ୍ରିକାଗୁଡ଼ିକର ମାନ କମୁଛି। ଅପୂର୍ବା ପ୍ରକାଶନୀର ଅଧ୍ୟକ୍ଷ କଥାକାର କ୍ଷୀରୋଦ ଚନ୍ଦ୍ର ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଲେଖକ ଓ କବିଙ୍କୁ ସମ୍ମାନିତ କରାଯାଇଥିଲା। କବିତା ପାଇଁ ରଞ୍ଜନ କୁମାର ଦାସ, ପ୍ରବନ୍ଧ ପାଇଁ ଦୀନବନ୍ଧୁ ଦାଶ, ଉପନ୍ୟାସ ପାଇଁ କଥାକାର ଅଶୋକ ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଛି। ସମ୍ପାଦକ ସମ୍ମାନରେ ‘ଆମ ପଞ୍ଚବଟୀ’ ପତ୍ରିକାର ସମ୍ପାଦକ ସୁଶାନ୍ତ କୁମାର ନାୟକ ଓ ‘ରବି ମହାପାତ୍ର ସ୍ମୃତି ସମ୍ମାନ’ରେ କଥାଶିଳ୍ପୀ ପଦ୍ମଜ ପାଳଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ‘ଅପୂର୍ବା’ର ୨୭ତମ ଶାରଦୀୟ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା। ସେହିଭଳି ଅପୂର୍ବା ପ୍ରକାଶନୀ ପ୍ରକାଶିତ ଅଶୋକ ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ‘ଓଡ଼ିଆ ଗୀତିକବିତାରେ ଲୋକସଂସ୍କୃତି’, ବ୍ରହ୍ମାନନ୍ଦ ସ୍ୱାଇଁଙ୍କ ଗଳ୍ପ ପୁସ୍ତକ ‘ଗୋଧୂଳି ରଙ୍ଗ’, ଦୁର୍ଗା ପ୍ରସାଦ ମହାରଣାଙ୍କ ଗୀତିକବିତା ‘ ମିତପାଇଁ ପ୍ରୀତିଛନ୍ଦ’, ପ୍ରଶାନ୍ତି ସାହୁଙ୍କ କବିତା ପୁସ୍ତକ ‘ନିରବତାର ଚିତ୍ରାଙ୍କନ’ ଲୋକାର୍ପିତ ହୋଇଥିଲା। ପରିଚାଳନା ସମ୍ପାଦିକା ସବିତା ରାଉତରାୟ, ଲୋପାମୁଦ୍ରା ଦାଶ, ଦୟାନିଧି ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ସଂଚାଳନ କରିଥିଲେ ଏବଂ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଦେଇଥିଲେ।