ଭୁବନେଶ୍ବର: ଦୀର୍ଘ ୩୧ ବର୍ଷର ଅଦାଲତି ଲଢ଼େଇ ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ବିଜୟ ହୋଇଛି ଏବଂ ଖାରବେଳନଗର ମୌଜାର ଏକ ସରକାରୀ ଜମିରେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ କଲ୍ୟାଣ ମଣ୍ଡପକୁ ଭଙ୍ଗା ଯାଇଛି। ଜମିର ମାଲିକ ବୋଲି ଦାବି କରୁଥିବା କଲ୍ୟାଣ ମଣ୍ଡପର ମାଲିକ ସୁବାସିନୀ ଚୌଧୁରୀ ଉଭୟ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ହାରିଯିବା ପରେ ଆଜି ଜିଏ ବିଭାଗର ସୁପାରିଶକ୍ରମେ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ଏହି ଜମିରୁ ବିଭିନ୍ନ ନର୍ମାଣକୁ ଭାଙ୍ଗିବା ସହ ପୂରା ଜମିକୁ ଦଖଲକୁ ନେଇଛି।
ଏହି ଉଚ୍ଛେଦ ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କଲ୍ୟାଣ ମଣ୍ଡପ ଭିତରେ ଥିବା ଏକ ମନ୍ଦିର ଭଙ୍ଗାକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ଘଣ୍ଟ ଝାଞ୍ଜ ବଜାଇ ଜେସିବି ମେସିନ୍ ସମ୍ମୁଖରେ କୀର୍ତ୍ତନ କରିଥିଲେ। କିନ୍ତୁ ପୁଲିସ ସହଯୋଗରେ ସେମାନଙ୍କୁ ହଟାଇ ଦିଆଯାଇଥିଲା। ପ୍ରାୟ ୫ଶହ ଡିସିମିଲି ଜାଗାରେ ନିର୍ମାଣ ହୋଇଥିବା ୧୦ଟି ଆଜ୍ବେଷ୍ଟସ୍ ଘର ଓ ୩ଟି ବଡ଼ ଲୁହା ଗେଟ୍କୁ ଭଙ୍ଗା ଯିବା ସହ ସେଠାରେ ସରକାରୀ ଫଳକ ଲଗାଇଛି। ଆସନ୍ତାକାଲି ଏଠାରେ ପାଚେରି ନିର୍ମାଣ କରାଯିବ।
ସୂଚନାନୁସାରେ ଖାରବେଳନଗର ମୌଜା ପ୍ଲଟ ନଂ-୨୮୫ ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଲିଜ୍ ସୂତ୍ରରେ ଦିଆଯାଇଥିଲା। ମାତ୍ର ପରେ କୌଣସି କାରଣରୁ ଏହି ଲିଜ୍ ଖାରଜ ହୋଇଯାଇଥିଲା ଓ ଉକ୍ତ ଜମି ସରକାରୀ ଖାତାକୁ ଚାଲିଯାଇଥିଲା। କିନ୍ତୁ ସୁବାସିନୀ ଚୌଧୁରୀଙ୍କ ଦାବି ଅନୁସାରେ ସେ ଉକ୍ତ ଜମିକୁ ଗଣମାଧ୍ୟମ ସଂସ୍ଥାଠାରୁ କିଣି ନେଇଥିଲେ। ସେଥିରେ ସେ ଏକ ମନ୍ଦିର ନିର୍ମାଣ କରିବା ସହ କଲ୍ୟାଣ ମଣ୍ଡପ ନିର୍ମାଣ କରି ଭଡ଼ାରେ ଲଗାଉଥିଲେ। ୧୯୯୧ ମସିହାରେ ଜିଏ ବିଭାଗ ଜମିରୁ ହଟିଯିବା ପାଇଁ ସୁବାସିନୀଙ୍କୁ ନୋଟିସ୍ କରିଥିଲେ। ସେହିଦିନରୁ ଆରମ୍ଭ ହେଲା ଅଦାଲତି ମାମଲା।
ଜିଏ ବିଭାଗକୁ ଚ୍ୟାଲେଞ୍ଜ କରି ସୁବାସିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରୁ ହାରିବା ପରେ ସେ ସୁପ୍ରିମ୍କୋର୍ଟକୁ ଯାଇଥିଲେ। ମାତ୍ର ସେଠାରେ ବି ସେ ହାରିଲେ। ଏମିତିକି ଏହି ମାମଲାର ରିଭ୍ୟୁ ପିଟିସନ ହୋଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ଶୁଣାଇଦେଲେ। ଆଜି ଜିଏ ବିଭାଗ ସହକାରୀ ନିର୍ଦ୍ଦେଶକ (ଏନ୍ଫୋର୍ସମେଣ୍ଟ) ଅମୀୟ କୁମାର ଦାସ, ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ବିଡିଏ ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସହ ଖାରବେଳନଗର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର ଏକ ପ୍ଲାଟୁନ୍ ଫୋର୍ସ ନେଇ ଉଚ୍ଛେଦସ୍ଥଳରେ ଉପସ୍ଥିତ ଥିଲେ।