ଖଣ୍ଡଗିରି: ବିନା ଥଇଥାନରେ ବିଡିଏର ଘର ଭଙ୍ଗା ପ୍ରତିବାଦରେ ୩୫ ଦିନ ଧରି ସୁବାସନଗର ବସ୍ତିରେ ଚାଲିଥିବା ଧାରଣା ସ୍ଥଗିତ କରାଯାଇଛି। ହାଉସିଂବୋର୍ଡ ପକ୍ଷରୁ ଉଚ୍ଛେଦ ହେବାକୁ ଯାଉଥିବା ୧୮ ପରିବାରଙ୍କୁ ୪୫୦ ବର୍ଗଫୁଟ ଜମି ପଟ୍ଟା ସହିତ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ସ୍ଥଗିତ ରହିଥିବା କହିଛନ୍ତି ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା। ତାଙ୍କ ସୂଚନା ଅନୁଯାୟୀ, ହାଉସିଂବୋର୍ଡ ଏବଂ ବସ୍ତି ସୁରକ୍ଷା ମଞ୍ଚ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଛି। ଯେଉଁ ଅନୁଯାୟୀ ୨ ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ସେହି ସ୍ଥାନରେ ହାଉସିଂବୋର୍ଡ ଏହି ୧୮ ପରିବାରକୁ ଜମି ଦେବ। ଏକାସହିତ ଏତେ ଟଙ୍କା ଦେବା ସମ୍ଭବ ନଥିବାରୁ ୧୦ ଦିନ ମଧ୍ୟରେ ୧୮ ପରିବାର ୨୫ ହଜାର ଲେଖାଏ ଟଙ୍କା ଦେବ। ଏହାପରେ ହାଉସିଂବୋର୍ଡ ତାଙ୍କୁ ଜମି ପଟ୍ଟା ଦେବ। ବାକି ଟଙ୍କା ୭ ବର୍ଷ ମଧ୍ୟରେ ପ୍ରଦାନ କରିବେ। ନିର୍ଧାରିତ ସମୟରେ ଟଙ୍କା ଦେବା ପରେ ମଧ୍ୟ ହାଉସିଂବୋର୍ଡ ପଟ୍ଟା ନଦେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ପ୍ରମିଳା କହିଛନ୍ତି। ସୁବାସନଗର ବସ୍ତିର ହାଉସିଂବୋର୍ଡ-୩ରେ ଆପାର୍ଟମେଣ୍ଟର ନିର୍ମାଣ କରାଯାଉଥିଲା। ଏଥିଯୋଗୁଁ ବିଭିନ୍ନ ସମୟରେ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗିବା ପାଇଁ ବିଡିଏ ଆସିଛି। ମାତ୍ର ବସ୍ତି ସୁରକ୍ଷା ମଞ୍ଚର ନେତୃତ୍ବରେ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ଯୋଗୁଁ ସେମାନେ ଫେରି ଯାଇଛନ୍ତି। ରେ’ ସର୍ଭେ ଅନୁସାରେ, ବିସ୍ଥାପିତଙ୍କୁ ଥଇଥାନ ପାଇଁ ପୂର୍ବରୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ନକରି ଲୋକଙ୍କ ଘର ଭାଙ୍ଗିବାକୁ ସ୍ଥାନୀୟ ଅଧିବାସୀ ବିରୋଧ କରୁଥିଲେ। ଏହାକୁ ନେଇ ଡିସେମ୍ବର ୩ ତାରିଖରୁ ସୁବାସନଗର ବସ୍ତିରେ ରିଲେ ଧାରଣା ଆରମ୍ଭ ହୋଇଥିଲା। ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ସାମିଲ ହେଉଥିଲେ।
ସୁବାସନଗର ବସ୍ତିରେ ୩୫ ଦିନର ଧାରଣା ସ୍ଥଗିତ: ୧୮ ପରିବାରକୁ ପଟ୍ଟା ଜମି ପ୍ରଦାନ ପ୍ରତିଶ୍ରୁତି
/sambad/media/post_attachments/wp-content/uploads/2022/01/f5s4g64sf65gsfgf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)