୪୭ତମ ସଂସ୍କୃତି ଚର୍ଚ୍ଚା‌: ମହିମା ଧର୍ମ ଓଡ଼ିଶାର ସାଂସ୍କୃତିକ ବିଭବର ଏକ ଅଙ୍ଗ

ଭୁବନେଶ୍ବର: ମହିମା ଧର୍ମ ସୃଷ୍ଟିର ଆଦିଧର୍ମ। ବ୍ରହ୍ମାଣ୍ଡରେ ଯେତେବେଳେ ଅତ୍ୟଧିକ ପାପଭାର ବଢ଼ି ଚାଲିଲା, ପୃଥିବୀ ଦେବୀ ଶୂନ୍ୟ ବ୍ରହ୍ମ ଅଲେଖ ମହିମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମାଣ୍ଡର ପାପଭାର ଖଣ୍ଡନ ନିମନ୍ତେ ମହିମା ଗୋସାଇଁଙ୍କ ଜନ୍ମ। ୫୬ କୋଟି ଜୀବ ଅଲେଖଙ୍କ ମହିମାରୁ ସୃଷ୍ଟି। ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ। ଏହା କହିଛନ୍ତି ମହିମା ଗାଦିର ବାବା ରଘୁନାଥ ଦାସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ୪୭ତମ ସଂସ୍କୃତି ଚର୍ଚ୍ଚା ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସନ୍ଥ ରଘୁନାଥ ଦାସ କହିଲେ, ମହିମା ଗୋସାଇଁ ଧରାପୃଷ୍ଠରେ ଆବିର୍ଭାବ ହେବା ସମୟରେ ହିମାଳୟଠାରେ ୧୨ ବର୍ଷ ତପସ୍ୟା ପରେ ବିଭିନ୍ନ ସ୍ଥାନ ଭ୍ରମଣ କରି ପୁରୀ, ଧଉଳିଗିରି, ଉଦୟଗିରି ଓ ଶେଷରେ ଢେଙ୍କାନାଳର ତପୋବନ କପିଳାସଠାରେ ଗାଦି ସ୍ଥାପନ କରିଥିଲେ।

ଏହି ଅବସରରେ ସେ ଶରୀର ତତ୍ତ୍ବ ଓ ଜ୍ଞାନେନ୍ଦ୍ରୀୟ ନିୟନ୍ତ୍ରଣ ବାବଦରେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମ୍ପାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବିକତା, ନୈତିକତା ଓ ସମାଜସେବାର ମନ୍ତ୍ର ଗାନ କରି କିଭଳି ମହିମା ଧର୍ମ ପ୍ରତିଷ୍ଠିତ ହୋଇଛି, ସେ ସମ୍ପର୍କରେ କହିଥିଲେ। ସେ କହିଲେ, ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏହି ଧାରାରେ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ଏକେଶ୍ବରବାଦ, ଶୂନ୍ୟପୁରୁଷ ପୂଜନ ଏହା ମୂଳ ବିଭବ। ମହିମା ଧର୍ମ ଓଡ଼ିଶାର ସାଂସ୍କୃତିକ ବିଭବର ଏକ ରଙ୍ଗ ହୋଇ ରହିଛି। ସାଂସ୍କୃତିକ ଅଭ୍ୟୁଦୟର ଇତିହାସରେ ମହିମା ଧର୍ମର ପ୍ରଭାବ ପ୍ରତିଷ୍ଠା ଏକ ବିଶେଷ ଅଧ୍ୟାୟ ଭାବରେ ବିବେଚିତ ହେବ ବୋଲି ସେ କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୋଲେମାନ ଅଲ୍ଲୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଭିଲେଖାଗାରର ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର