‘ନିର୍ଭୟ’ର ୭ମ ବାର୍ଷିକ ଉତ୍ସବ: ‘ଆଳସ୍ୟ, ଅସ୍ପୃଶ୍ୟତା ଛାଡ଼ିଦେଲେ ଓଡ଼ିଆ ଜାତି ବହୁ ଆଗକୁ ଯିବ’

ଭୁବନେଶ୍ୱର: ଗାନ୍ଧୀଜୀ ଓଡ଼ିଶାକୁ ବହୁବାର ଆସିଥିଲେ। ଗାନ୍ଧୀଜୀ କହୁଥିଲେ ଯେ ଓଡ଼ିଆମାନେ ଯଦି ଆଳସ୍ୟ, ଅସ୍ପୃଶ୍ୟତା ଓ ନିଶା ଛାଡ଼ିଦେବେ, ତେବେ ବହୁ ଆଗକୁ ଯିବେ। ଓଡ଼ିଆଙ୍କର ପ୍ରଶଂସା କରି ଗାନ୍ଧୀଜୀ କହିଥିଲେ, ଉତ୍କଳର ଭାଇଚାରା ସବୁଠୁ ନିଆରା, ଓଡ଼ିଆ ଜାତି କେବେ ଖାଦ୍ୟ ନଷ୍ଟ କରେନି, ଉତ୍କଳୀୟ ଉ‌ଷ୍ମତା ସ୍ବତନ୍ତ୍ର। ଦୈନିକ ଖବରକାଗଜ ‘ନିର୍ଭୟ’ର ସପ୍ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଆଲୋଚନାଚକ୍ର ‘ମହାତ୍ମା ଓଡ଼ିଶାରେ’ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ଗାନ୍ଧୀବାଦୀ ଦାଶ ବେନହୁର ଏହା କହିଛନ୍ତି।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି କହିଥିଲେ, ଗାନ୍ଧୀଜୀ ଚାହୁଥିଲେ ଭାଷାଭିତ୍ତିକ ଓଡ଼ିଶା ଗଠନ ହେଉ। କିନ୍ତୁ ଜା‌ତିର ବିକାଶରେ ଏହା ବାଧକ ନହେଉ। ଓଡ଼ିଶା ହେଉଛି ଦୁଃଖ ଓ ଅଶ୍ରୁର ମାଟି। ଏହାର ବିକାଶ ନିତାନ୍ତ ଆବଶ୍ୟକ। ଗାନ୍ଧୀଜୀ ପୁରୀ ଗସ୍ତରେ ଆସିଥିବା ବେଳେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। କିନ୍ତୁ ସେତେବେଳେ ଭୁଲ୍‌ବଶତଃ କହିଥିଲେ ଯେ ଜଗନ୍ନାଥ ବିଦେଶୀ ବସ୍ତ୍ର ପିନ୍ଧୁଛନ୍ତି। ପ୍ରଭୁ ଜଗନ୍ନାଥ ଆଜି ପର୍ଯ୍ୟନ୍ତ କେବଳ ବୁଣାକାରଙ୍କ ହାତ ତିଆରି ପୋଷାକ ହିଁ ପିନ୍ଧି ଆସୁଛନ୍ତି। ଗର୍ଭଗୃହ ଅନ୍ଧାର ରହୁଥିବାରୁ ଆଲୋକୀକରଣ ପାଇଁ କହିଥିଲେ। ବହୁ ବାଦବିବାଦ ପରେ ମନ୍ଦିର ଭିତରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଆଇଆଇଏମ୍‌ସି, ଢେଙ୍କାନାଳର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ କହିଥିଲେ, ଗା‌ନ୍ଧୀଜୀ ଜଣେ ଭଲ ଓକିଲ ନଥିଲେ, ବରଂ ଜଣେ ଭଲ ସାମ୍ବାଦିକ ଥିଲେ। ସେ ୬ଟି ଖବରକାଗଜ ବାହାର କରିଥିଲେ। ସେ ଯେଉଁଭଳି ଆନ୍ଦୋଳନ କରୁଥିଲେ, ଖବରକାଗଜଗୁଡ଼ିକ ସେହି ଚିନ୍ତାଧାରାରେ ସୃଷ୍ଟି ହୋଇଥିଲା। ଗାନ୍ଧୀଜୀଙ୍କ ବିଭିନ୍ନ ଲେଖା ପାଇଁ ଓଡ଼ିଶା ତାଙ୍କୁ ପ୍ରେରିତ କରିଥିଲା, ତାହା ତାଙ୍କ ଲେଖାରୁ ଜଣାପଡ଼ିଛି। ଯଦି ଗାନ୍ଧୀଜୀ ଓକିଲାତିକୁ କେବଳ ବୃତ୍ତି କରିଥା’ନ୍ତେ, ତେବେ ସେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ହୋଇ ରହିଯାଇଥା’ନ୍ତେ। ସାମ୍ବାଦିକ ବୃତ୍ତିକୁ ଆସିବା ଓ ସାମାଜିକ କାର୍ଯ୍ୟ କରିବା ଦ୍ବାରା ସେ ମହାତ୍ମା ଗାନ୍ଧୀ ହୋଇପାରିଥିଲେ।

ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଯାଜପୁରର ନନ୍ଦ କୁମାର ପୃଷ୍ଟିଙ୍କୁ ‘ଓଡ଼ିଶା ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସମ୍ବିତ୍ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର