ଭୁବନେଶ୍ବର: ନିଶାଯୁକ୍ତ ଥଣ୍ଡାପାନୀୟ ପିଆଇ ଜଣେ ୭ ବର୍ଷର ନାବାଳକକୁ ରାଜଧାନୀରୁ ଅପହରଣ କରିନେବା ପରେ ୨ ଲକ୍ଷ ଟଙ୍କାରେ ନୟାଗଡ଼ରେ ବିକ୍ରି କରିବା ଭଳି ଚାଞ୍ଚଲ୍ୟକର ଘଟଣା ଆଜି ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଅଭିଯୋଗ ପରେ ପୁଲିସର ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନାବାଳକକୁ ଉଦ୍ଧାର କରାଯାଇଛି। ଏଥିସହିତ ବିକାକିଣାରେ ସାମିଲ୍ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ୩ଜଣ ନାବାଳକ ଜାଗମରା ଗାଁ ନିକଟସ୍ଥ ପଡ଼ିଆରେ ଖେଳୁଥିଲେ। ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଥିବା ଗୀତାଞ୍ଜଳି ଦାଶ ସେମାନଙ୍କୁ ପାଖକୁ ଡାକି କାର୍ରେ ବୁଲିଯିବାକୁ ଡାକିଥିଲେ। କାର୍ରେ ବୁଲାଇବା ସହିତ ଖାଇବାକୁ ପକୋଡ଼ା ଓ ପିଇବାକୁ ଥଣ୍ଡା ଦେବେ ବୋଲି କହିଥିଲେ। ମାତ୍ର ୨ଜଣ ପିଲା ଯିବାକୁ ମନା କରିଥିବା ବେଳେ ରାଜ୍(ଛଦ୍ମନାମ) ଗୀତାଞ୍ଜଳିଙ୍କ କଥାରେ ରାଜି ହୋଇ ବାହାରିପଡ଼ିଥିଲା। ଗୀତାଞ୍ଜଳି ଏକ କାର୍ରେ ରାଜ୍କୁ ନେଇ କଳିଙ୍ଗବିହାର ଅଞ୍ଚଳରେ ବୁଲାଇଥିଲେ ଓ ସେଠାରେ ପକୋଡ଼ା ଖାଇବାକୁ ଦେବା ସହ ଥଣ୍ଡାପାନୀୟ ପିଇବାକୁ ଦେଇଥିଲେ। ଥଣ୍ଡାପାନୀୟ ପିଇବାର କିଛି ସମୟ ପରେ ରାଜ୍ ଅଚେତ୍ ହୋଇଯାଇଥିଲା। ଏହା ପରେ ଗୀତାଞ୍ଜଳି ରାଜ୍କୁ ନେଇ ନୟାଗଡ଼ ଓଡ଼ଗାଁ ଅଖାରିଆ ଗାଁରେ ତାଙ୍କର ଜଣେ ସମ୍ପର୍କୀୟକୁ ବିକି ଦେଇ ଖଣ୍ଡଗିରି ଫେରି ଆସିଥିଲେ।
ତେବେ ସନ୍ଧ୍ୟାରେ ରାଜ୍ ଘରକୁ ଫେରିବାରେ ବିଳମ୍ବ ହେବାରୁ ମା’ ଓ ଅଜା ତାକୁ ଖୋଜାଖୋଜି କରିଥିଲେ। ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ ରାଜ୍ ସହ ଖେଳୁଥିବା ୨ ନାବାଳକ ଗୀତାଞ୍ଜଳିଙ୍କ ସହ ରାଜ୍ କାର୍ରେ ଯାଇଥିବା କଥା କହିଥିଲେ। କିନ୍ତୁ ବସ୍ତିବାସିନ୍ଦା ଓ ଗାଁ ଲୋକମାନେ ଗୀତାଞ୍ଜଳିକୁ ପଚାରିବାରୁ ସେ କିଛି ଜାଣିନାହିଁ ବୋଲି ରୋକ୍ଠୋକ କହିଥିଲା। ତେଣୁ ଲୋକମାନେ ବିଳମ୍ବିତ ରାତିରେ ତାକୁ ଧରି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିବା ବେଳେ ରାଜ୍ର ଅଜା ବନମାଳି ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଗୀତାଞ୍ଜଳିକୁ ପୁଲିସ ପଚରାଉଚରା କଲା ବେଳେ ପ୍ରଥମେ ସେ ଗାଲୁ ମାରିଚାଲିଲା। କିନ୍ତୁ ରାଜ୍ ସହ ଖେଳୁଥିବା ୨ ନାବାଳକ ଥାନାକୁ ଆସି ପୁଲିସକୁ ସବୁ କହିବା ପରେ ବାଧ୍ୟ ହୋଇ ଗୀତାଞ୍ଜଳି ସବୁ ସତ ଉଗାରି ପକାଇଥିଲା। ରାଜ୍କୁ ୨ଲକ୍ଷ ଟଙ୍କାରେ ସରୋଜିନୀ ମହାପାତ୍ରଙ୍କୁ ବିକ୍ରି କରି ଦେଇଛି ବୋଲି ସେ ସ୍ବୀକାର କରିଥିଲା। ଅଗ୍ରୀମ ବାବଦରେ ୪୦ ହଜାର ଟଙ୍କା ଆଣିଥିବା ବେଳେ ଅବଶିଷ୍ଟ ଲକ୍ଷେ ୬୦ହଜାର ଟଙ୍କା ପରେ ପାଇବ ବୋଲି ଡିଲ୍ ହୋଇଥିବା ମାନି ଯାଇଥିଲା। ପୁଲିସ ତା’ଠାରୁ ରାଜ୍କୁ ସରୋଜିନୀଙ୍କ ଫୋନ୍ ନମ୍ବର ନେଇ ଟ୍ରାକ୍ କରିଥିଲା। ଆଜି ସକାଳୁ ସରୋଜିନୀ ଓମ୍ ଚକାଡୋଳା ବସ୍ରେ(ଓଡି ୦୫ବି ୧୦୫୫) ଭୁବନେଶ୍ବର ଆସୁଥିବା ବେଳେ ପୁଲିସ ତାକୁ ଖୋର୍ଦ୍ଧା ପୁବୁସାହି ନିକଟରୁ ଧରିଥିଲା। ରାଜ୍କୁ ଉଦ୍ଧାର କରି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅପହରଣ ଓ ପିଲା ବିକ୍ରି ଅଭିଯୋଗରେ ସରୋଜିନୀ ମହାପାତ୍ର, ଗୀତାଞ୍ଜଳି ଦାଶ ଓ ଗୋବର୍ଦ୍ଧନ ସାହୁକୁ ଥାନାରେ ଅଟକ ରଖି ଅଧିକ ଖୋଳତାଡ୍ ଚଳାଇଛି।