ଭୁବନେଶ୍ବର: ସାହିତ୍ୟର ପ୍ରଚାରପ୍ରସାର ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସାହିତ୍ୟ ଏକାଡେମିର କାର୍ଯ୍ୟ ପରିସର ସୀମିତ ନୁହେଁ। ଏହା ଶିଶୁକୁ ଜଣେ ଲେଖକ ଭାବେ ତିଆରି କରୁଛି। ଛୋଟ ପିଲାଙ୍କ ମନରେ ଭାଷା, ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରୁଛି। ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମିର ସ୍ବନକ୍ଷତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଅରୁଣ କମଲ ଆଜି ଏହା କହିଛନ୍ତି।

Advertisment

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ, ଭଲ କାମରେ ସମସ୍ୟାର ଅନ୍ତ ନଥାଏ। କିନ୍ତୁ ସମସ୍ୟାକୁ ଡରି ଅଟକି ଗଲେ ଚଳିବ ନାହିଁ। ଏସବୁ ଭିତରେ ଏକାଡେମିକୁ ଭାଷା, ସାହିତ୍ୟର ଉନ୍ନତି ତଥା ପ୍ରଚାରପ୍ରସାର ଦିଗରେ ଆଗେଇବାକୁ ପଡ଼ିବ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ସଭାରେ ସଭାପତିତ୍ବ କରିଥିଲେ। ଉପସଭାପତି ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସଚିବ ପ୍ରବୋଧ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ଏକାଡେମିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ଏହି ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ୨୪ଜଣ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ଏବଂ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ଓଡ଼ିଆରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ୧୪ଜଣ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଏହି ଅବସରରେ ଏକାଡେମି ପକ୍ଷରୁ ପ୍ରକାଶିତ ପୁସ୍ତକ ଯଥା ‘ଓଡ଼ିଶା ସାହିତ୍ୟ ଏକାଡେମି ଇତିହାସ’, ଅନୀତା ଅଗ୍ନିହୋତ୍ରୀଙ୍କ ବଙ୍ଗଳା ପୁସ୍ତକ ‘ମହାନଦୀ’ର ଓଡ଼ିଆ ଅନୁବାଦ ଓ ସାରଦା ମିଶ୍ରଙ୍କ ୪ଟି ଓଡ଼ିଆ ଅନୂଦିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଅନୀତାଙ୍କ ପୁସ୍ତକର ଅନୁବାଦ କ୍ଷୀରୋଦ ପରିଡ଼ା କରିଥିବା ବେଳେ ସାରଦାଙ୍କ ଅନୁଦିତ ପୁସ୍ତକର ସଂକଳନ ହରିପଦ ଶତପଥୀ ଓ ସରସ୍ବତୀ ଦେବୀ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ଇତିହାସ(୧୯୫୭-୨୦୨୨)ର ପ୍ରସ୍ତୁତି ରବି ରାୟଙ୍କ ଦ୍ବାରା କରାଯାଇଛି। ଏହି ଅବସରରେ ଏକାଡେମି ଦ୍ବାରା ପ୍ରକାଶିତ ପୁସ୍ତକଗୁଡ଼ିକର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଚାଳନ କରିଥିଲେ।