ପୁରୁଣା ଭୁବନେଶ୍ବର: ଏୟାର୍ପୋର୍ଟ ଥାନାକୁ ୨ ବର୍ଷ ପୂରିଲା। ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ୨ ଆଦର୍ଶ ଥାନା ମଧ୍ୟରୁ ଏହି ଥାନା ବହୁ ଗୁରୁତ୍ବ ବହନ କରୁଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଓ ବହୁ ଭିଆଇପି ବ୍ୟକ୍ତିଙ୍କ ବାସଭବନ ଏହି ଥାନା ଅଞ୍ଚଳରେ ରହିଛି। ମାତ୍ର ୨ ବର୍ଷ ବିତିବା ସତ୍ତ୍ବେ ଏହି ଥାନାରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ହୋଇପାରିଲେ ନାହିଁ। ଏହି ଅଞ୍ଚଳରେ ଅପରାଧ ହାର ହ୍ରାସ ପାଇଥିବା କୁହାଯାଉଥିଲେ ହେଁ କର୍ମଚାରୀ ଅଭାବ ଯୋଗୁଁ ବହୁ ସମସ୍ୟା ରହିଛି।
୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଥାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଥାନା ପ୍ରତିଷ୍ଠା ହେଉ ହେଉ ୫ ବର୍ଷ ବିତିଗଲା। ୨୦୧୮ ନଭେମ୍ବର ୨୬ରେ ଥାନା ଉଦ୍ଘାଟିତ ହୋଇଥିଲା। ମଡେଲ୍ ଥାନା ନିୟମାନୁସାରେ ଏଠାରେ ଆଇଆଇସିଙ୍କୁ ମିଶାଇ ଅଫିସରଙ୍କ ସଂଖ୍ୟା ୧୨ ଓ କନେଷ୍ଟବଳଙ୍କ ସଂଖ୍ୟା ୩୫ ହେବା କଥା। ମାତ୍ର ଏବେ ଜଣେ ଆଇଆଇସି, ଦୁଇ ଜଣ ସବ୍ ଇନ୍ସପେକ୍ଟର, ତିନି ଜଣ ଏଏସ୍ଆଇ, ଜଣେ ହାବିଲ୍ଦାର ଓ ୧୬ ଜଣ କନେଷ୍ଟବଳଙ୍କୁ ନେଇ ଏହି ଥାନା ଚାଲିଛି। ଅର୍ଥାତ୍ ୫୦ ପ୍ରତିଶତ କର୍ମଚାରୀରେ ଥାନା ଚାଲିଛି। ସେହିପରି ବର୍ତ୍ତମାନ ଗୋଟାଏ ବିଟ୍ ପାଟ୍ରୋଲିଂ ବ୍ୟବସ୍ଥା ଥିବାବେଳେ ଆଉ ତିନୋଟି ବିଟ୍ ପାଟ୍ରୋଲିଂର ଆବଶ୍ୟକ ରହିଛି। ଏଥିପାଇଁ ୯ଜଣ କନେଷ୍ଟବଳଙ୍କ ଆବଶ୍ୟକତା ରହିଛି। ତଥାପି ଆବଶ୍ୟକସ୍ଥଳେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଯୋଗୁଁ ଲୋକଙ୍କ ଏହି ଥାନା ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛି ବୋଲି ଏୟାର୍ପୋର୍ଟ ଥାନା ପକ୍ଷରୁ କୁହାଯାଇଛି। ଏହି ଥାନା ଅଞ୍ଚଳରେ ୱାର୍ଡ ନମ୍ବର ୫୨, ୫୩ ଓ ୬୨ ରହିଛି। ଲୋକସଂଖ୍ୟା ୬୦ରୁ ୬୫ ହଜାର। ଜୋନ୍-୨ ଅନ୍ତର୍ଭୁକ୍ତ ଏହି ଥାନାର ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଜୋନ୍-୨ ଏସିପି ବିଷ୍ଣୁପ୍ରସାଦ ପାତ୍ର କାର୍ଯ୍ୟଭାର ସମ୍ଭାଳୁଛନ୍ତି। ବଡ଼ କଥା ହେଉଛି, ଏହି ଥାନା ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଯଥା ନବୀନ ନିବାସ ଓ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଛି। ଏଠାରେ ବେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥାଏ। ଏଥିପାଇଁ ସର୍ବଦା ସଜାଗ ରହିବାକୁ ପଡିଥାଏ। ବିମାନ ବନ୍ଦର ଯୋଗୁଁ ବହୁ ସମୟରେ ଭିଭିଆଇପିଙ୍କ ଯାତାୟାତ ଲାଗି ରହିଥାଏ। ତେଣୁ ଏୟାରପୋର୍ଟ ସହ ଟାକ୍ସି ଷ୍ଟାଣ୍ଡ ଗୁଡିକର ଦୈନନ୍ଦିନ କାର୍ଯ୍ୟ ଉପରେ ନଜର ରଖିବାକୁ ପଡେ।
ସେହିଭଳି ଏହି ଥାନା ଅଞ୍ଚଳରେ ପୋଖରୀପୁଟ, ଲିଙ୍ଗରାଜ ବିହାର ସହ କାର୍ଗିଲ୍ ବସ୍ତି, ଝରଣା ବସ୍ତି ଆଦି ରହିଛି। ତେଣୁ ପୂର୍ବରୁ ଏହା ଏକ ଅପରାଧପ୍ରବଣ ଅଞ୍ଚଳଭାବେ ଜଣାଶୁଣା ଥିଲା। ମାତ୍ର ଏହି ଥାନା ପ୍ରତିଷ୍ଠା ହେବା ପରଠାରୁ ୫୦ ପ୍ରତିଶତ ଅପରାଧ କମିଛି। ବର୍ଷକୁ ଏଠାରେ ପାଖାପାଖି ୩୦୦ ମାମଲା ପଞ୍ଜୀକୃତ ହେଉଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୪୮ଟି ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ଥିବା ମଧୂସୁଦନ ପାର୍କରୁ ବହୁ ବାଇକ୍ ଚୋରି ଅଭିଯୋଗ ଆସୁଥିଲା। ମାତ୍ର ଏବେ ଏହି ମାତ୍ରା କମିଛି। ଜିରୋ ଟଲେରାନ୍ସରେ କାମ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି। ‘ଦାଦାବଟିକୁ ନା’ ଅଭିଯାନରେ ଦୁଇଟି ମାମଲା ରୁଜୁ ହୋଇଛି। ଥାନା ପରିବେଶ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ଏସିପି ବିଷ୍ଣୁ ପ୍ରସାଦ ପାତ୍ର କହିଛନ୍ତି।