ଭୁବନେଶ୍ବର: ଲକ୍ଷ୍ମୀସାଗର ହଳଦୀପଡ଼ିଆ ରାଜଧାନୀରେ ବ୍ରାଉନସୁଗାର ବେପାରର ଆଉ ଏକମାତ୍ର ଠିକଣା ହୋଇ ନାହିଁ। ସମୟ ସହ ବଦଳି ଯାଇଛି ବ୍ରାଉନସୁଗାର ବେପାରର ତରିକା, ଠିକଣା ମଧ୍ୟ। ବିଭିନ୍ନ ଅଞ୍ଚଳରେ ଥିବା ବସ୍ତିକୁ ମାଡ଼ି ଗଲାଣି ଏହି ଧଳାଜହର ବେପାର। ସହଜରେ ଓ ସୁବିଧାରେ ମିଳି ଯାଉଛି ଏହି ନିଷିଦ୍ଧ ନିଶା। ଖାଲି ସେତିକି ନୁହେଁ, କେଶୁରା ଅଞ୍ଚଳରୁ ଧରାପଡ଼ିଥିବା ବ୍ରାଉନସୁଗାର ବେପାରୀଙ୍କ ଭଳି ରାଜଧାନୀରେ ଆହୁରି ୩୦ରୁ ଅଧିକ ରହିଛନ୍ତି। ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ବିଭିନ୍ନ ଅଞ୍ଚଳରେ ୩୦ରୁ ଅଧିକ ବ୍ରାଉନସୁଗାର ବେପାରୀ ରହିଛନ୍ତି। ବିଶେଷକରି ହଂସପାଳ, ପାହାଳ, ପୁରୀ କେନାଲ ରୋଡ୍, ଖଣ୍ଡଗିରି, ଧଉଳି ଅଞ୍ଚଳରେ ଏହି ନିଶା ବେପାରୀମାନେ ରହୁଛନ୍ତି। ଜଳେଶ୍ବରରୁ ଏଜେଣ୍ଟ ଆଣି ଏମାନଙ୍କ ପାଖରେ ମାଲ ପହଞ୍ଚାଇ ଦିଏ। ପ୍ରଥମେ ଅଳ୍ପ ପରିମାଣର ମାଲ ବାକିରେ ଆଣି ବିକ୍ରି କରିଥା’ନ୍ତି ବେପାରୀ। ସେଥିରୁ ଟଙ୍କା ରୋଜଗାର ହେଲା ପରେ ଏଜେଣ୍ଟକୁ ଦିଅନ୍ତି। ଲାଭ ଟଙ୍କାରେ ପୁଣି ମାଲ କିଣି ବିକ୍ରି କରନ୍ତି। କେଶୁରାରୁ ଗିରଫ ହୋଇଥିବା ମହିଳା ପିଙ୍କି ଦାସ ଓ ତାର ସହଯୋଗୀ ମଣ୍ଟୁ ଓରଫ୍ ବିଶ୍ବରଞ୍ଜନ ରାଉତଠାରୁ ପୁଲିସ ଜେରା ବେଳେ ଏଭଳି ତଥ୍ୟ ପାଇଛି। ବିପୁଳ ପରିମାଣର ମାଲ ବିକ୍ରି କରି ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି କୋଟିପତି ବନିଯାନ୍ତି।
ବଡ଼ ବେପାରୀମାନଙ୍କ ପାଖରେ ମାଲ ପହଞ୍ଚିବା ପରେ ସେମାନେ ରାଜଧାନୀର ବିଭିନ୍ନ ବସ୍ତିରେ ଥିବା ଖୁଚୁରା ବେପାରୀଙ୍କ ପାଖରେ ମାଲ ପହଞ୍ଚାଇଥା’ନ୍ତି। ଏହି କାରବାରରେ ମଧ୍ୟ ଏଜେଣ୍ଟ ରହିଛନ୍ତି। ରାଜଧାନୀର ହଳଦୀପଡ଼ିଆ, ବୁଦ୍ଧେଶ୍ବରୀ, ଚିଲିପୋଖରୀ, ଶିଖରଚଣ୍ଡି, ଭରତପୁର, ଶାନ୍ତିପଲ୍ଲୀ, ହଂସପାଳ, ୟୁନିଟ୍ -୮, ୟୁନିଟ୍-୧, ୟୁନିଟ୍-୬, ୟୁନିଟ୍-୨, ୟୁନିଟ୍-୩, ସାଲିଆସାହି ଆଦି ବିଭିନ୍ନ ବସ୍ତିକୁ ବ୍ରାଉନସୁଗାର ଚାଲାଣ ହୁଏ। ଖୁଚୁରା ବେପାରୀଙ୍କଠାରୁ ଗ୍ରାହକ ବ୍ରାଉନସୁଗାର କିଣିଥାଏ। ଏମିତି ଢଙ୍ଗରେ ରାଜଧାନୀରେ ବ୍ରାଉନସୁଗାର କାରବାର ଚାଲିଛି। ନିଶା ସେବନକାରୀଙ୍କ ଭିତରେ ଛାତ୍ରଙ୍କ ସଂଖ୍ୟା ସର୍ବାଧିକ ଥିବା ଜଣାପଡ଼ିଛି। ଭୁବନେଶ୍ବର, ଖୋର୍ଦ୍ଧା ଓ ଉପକଣ୍ଠ ଅଞ୍ଚଳରେ ପ୍ରାୟ ୫୦ହଜାର ଛାତ୍ର ବ୍ରାଉନସୁଗାର ସେବନ କରୁଥିବା ଜଣାପଡ଼ିଛି। ରାଜଧାନୀରୁ ବ୍ରାଉନସୁଗାର କାରବାରକୁ ମୂଳପୋଛ କରିବା ଏବେ ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।
ଜେଲ ଗଲେ ମହିଳା ଓ ଏଜେଣ୍ଟ, ଶମ୍ଭୁନାଥ ଏବେ ବି ଫେରାର
କେଶୁରା ଅଞ୍ଚଳରୁ ଧରାପଡ଼ିଥିବା ମହିଳା ବ୍ରାଉନସୁଗାର ବେପାରୀ ପିଙ୍କି ଦାସ ଓ ଜଳେଶ୍ବରରୁ ମାଲ ଆଣି ଯୋଗାଉଥିବା ଏଜେଣ୍ଟ ବିଶ୍ବରଞ୍ଜନ ରାଉତ ଓରଫ୍ ପପୁକୁ ଆଜି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପିଙ୍କିର ସ୍ବାମୀ ଶମ୍ଭୁନାଥ ବାରିକ ଓରଫ୍ ପପୁ ଏବେ ବି ଫେରାର୍ ଅଛି। ପପୁର ପତ୍ତା ପାଇ ପାରିନାହିଁ ପୁଲିସ। ଜବତ ଟଙ୍କାର ଅର୍ଥନୈତିକ କାରବାର ସମ୍ପର୍କରେ ପୁଲିସ ଅଭିଯୁକ୍ତଙ୍କ ଆକାଉଣ୍ଟ ଟ୍ରାନଜାକସନ୍ ଜାଣିବା ପାଇଁ ବ୍ୟାଙ୍କକୁ ଚିଠି ଲେଖିବ ବୋଲି ଜଣାପଡ଼ିଛି।