ଭୁବନେଶ୍ବର: ସାମାନ୍ୟ ବର୍ଷା ହେଲେ ଘର ଦୁଆରମୁହଁରେ ଆଣ୍ଠୁଏ ପାଣି। ଖାଲି ଘର ଦୁଆରମୁହଁ ନୁହେଁ, ରାସ୍ତା ଘାଟ ଚାରିଆଡ଼େ ଏତେ ମାତ୍ରାରେ ପାଣି ଜମୁଛି ଯେ ଦେଖିଲେ ବନ୍ୟାର ଭ୍ରମ ସୃଷ୍ଟି ହେଉଛି। ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି, ପଣ୍ଡାକୁଦିଆ ବସ୍ତିରେ। ଭୁବନେଶ୍ବର ମହାନଗର ନିଗମର ୨୩ନଂ ଵାର୍ଡ ପଣ୍ଡାକୁଦିଆ ବସ୍ତିରେ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ବର୍ଷା ଦିନ ଆସିଲେ ଏହି ବସ୍ତିବାସିନ୍ଦାଙ୍କ ଦୁଃଖ ଆରମ୍ଭ ହୋଇଯାଏ। ସାମାନ୍ୟ ବର୍ଷା ହେଲେ ବସ୍ତିରେ ଆଣ୍ଠୁଏ ଲେଖା ପାଣି ଜମା ହୁଏ। ଏହା ସହିତ ସ୍ଥାନୀୟ ଜଙ୍ଗଲରୁ ମଧ୍ୟ ବର୍ଷା ପାଣି ଗଡ଼ି ଆସି ଏହି ବସ୍ତି ଅଞ୍ଚଳରେ ଜମା ହୁଏ। ଚିନ୍ତାର ବିଷୟ ହେଉଛି, ବସ୍ତି ଏହି ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନ୍ ସୁବିଧା ନଥିବାରୁ ବର୍ଷା ପାଣି ଛାଡ଼ିଲେ ମଧ୍ୟ ବସ୍ତିବାସିନ୍ଦା ଜଳବନ୍ଦୀରୁ ମୁକ୍ତି ପାଆନ୍ତି ନାହିଁ। ପାଣି ନ ଶୁଖିବା ପର୍ଯ୍ୟନ୍ତ ଘରୁ ବାହାରିବା ସମ୍ଭବ ହୁଏ ନାହିଁ ଏବଂ ପାଣି ଶୁଖିବା ପରେ ମଧ୍ୟ ବସ୍ତି ଦେଇ ମାଟି ରାସ୍ତା ଯାଇଥିବାରୁ ରାସ୍ତା ପୂରା କାଦୁଅ ହୋଇଯାଇଥିବାରୁ, ଚାଲିକି ଯିବା ମଧ୍ୟ କଷ୍ଟ ହୋଇପଡ଼ୁଥିବା ବସ୍ତିବାସିନ୍ଦା ସୂଚନା ଦେଇଛନ୍ତି।

Advertisment

ତେବେ ଉଚ୍ଛେଦ ହୋଇ ଆସିଥିବା ଦୁଇ ବସ୍ତି ଜଗନ୍ନାଥ ଓ ତ୍ରିନାଥ ବ୍ୟତୀତ ପଣ୍ଡାକୁଦିଆରେ ଥିବା ମୂଳବାସିନ୍ଦା ଏଠାରେ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ରହିଆସୁଛନ୍ତି। ଏଠାରେ ଦୀର୍ଘ ଦିନ ହେବ ସେମାନେ ରହିଆସୁଥିଲେ ସୁଦ୍ଧା ଏହା ଏକ ବସ୍ତି ବୋଲି ସେମାନଙ୍କୁ ପ୍ରଶାସନ ଆଡ଼ ଆଖିରେ ବି ଚାହୁଁନଥିବା କହିଛନ୍ତି। ବିଏମ୍‌ସିରେ ଏନେଇ ଅନେକବାର ଲିଖିତ ଭାବେ ଅଭିଯୋଗ କରାଗଲେ ମଧ୍ୟ ପାଣି ନିଷ୍କାସନ ପାଇଁ ଡ୍ରେନ୍ କି ରାସ୍ତା କିଛି ସୁବିଧା କରାଯାଉନାହିଁ।

ଏନେଇ ବସ୍ତିବାସିନ୍ଦା ସନାତନ ନାୟକ କହିଛନ୍ତି ଯେ ବର୍ଷା ଦିନେ ଜଙ୍ଗଲରୁ ଗଡ଼ି ଆସୁଥିବା ବର୍ଷା ପାଣିରେ ଅନେକ ବିଷଧର ଜୀବଜନ୍ତୁ ବସ୍ତିକୁ ଭାସି ଆସୁଛନ୍ତି। ପିଲାଛୁଆ ଓ ପରିବାର ନେଇ ରହୁଥିବାରୁ ଏହି ବିଷଧର ସାପ ଓ ଜନ୍ତୁଗୁଡ଼ିକୁ ନ ମାରିବା ଛଡ଼ା ଉପାୟ ନାହିଁ ବୋଲି କହିଛନ୍ତି। ପ୍ରଶାସନକୁ ଏନେଇ କହିଲେ ବି ଶୁଣୁ ନାହାନ୍ତି। ଏଠାରେ ଏବେ ରହିବାକୁ ଆମକୁ ଡର ଲାଗୁଛି ବୋଲି ସନାତନ କହିଛନ୍ତି। ସେହିପରି ଆଉ ଜଣେ ବସ୍ତି ବାସିନ୍ଦା ରେଣୁକା ନାୟକଙ୍କ କହିବା କଥା ହେଉଛି, ଆମେ କଳିଙ୍ଗ ଷ୍ଟାଡିୟମ୍‌ ପାଖ ରାସ୍ତାକଡ଼ରେ ଭଲରେ ଥିଲୁ। ଆମକୁ ଏଠାରେ ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଆଣିଲେ। କିନ୍ତୁ ଘର ଭାଙ୍ଗି ଆସିବା ପରେ ଯେତେ କହିଲେ ମଧ୍ୟ ଆମ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏନେଇ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ ପଚରାଯିବାରୁ, ରାସ୍ତା ଓ ଡ୍ରେନ୍ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। କୋଭିଡ୍-୧୯ ପାଇଁ କାମ ଆରମ୍ଭ ହୋଇପାରିନାହିଁ। ଖୁବ୍‌ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।