ଭୁବନେଶ୍ୱର: ଭୁବନେଶ୍ୱରର ସର୍ବପୁରାତନ ନାଟ୍ୟସଂସ୍ଥା ‘ଉତ୍ତରପୁରୁଷ’ର ପ୍ରତିଷ୍ଠାତା ତଥା ସଭାପତି ଗୌରୀଶ୍ୟାମ ମହାପାତ୍ରଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି କୋଭିଡ୍ ସହ ଲଢ଼େଇ କରିବା ପରେ ବୁଧବାର ବିଳମ୍ବିତ ରାତିରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଅସୀମ ବସୁଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଉତ୍ତରପୁରୁଷର ପ୍ରତିଷ୍ଠାତା ସମ୍ପାଦକ ତଥା ପରବର୍ତ୍ତୀ ସମୟରେ ସଭାପତି ଭାବେ ନେତୃତ୍ୱ ନେଇ ଅଭୂତପୂର୍ବ ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

Advertisment

ନିର୍ଦ୍ଦେଶକ ଭାବେ ଚଇତିଘୋଡ଼ା, ପାଶବିକ, ଈଶ୍ୱର ‌ଶୋଇଛନ୍ତି, ଶୁଣ ପରୀକ୍ଷ ଦଣ୍ଡାଧାରୀ, ବସ୍ତ୍ରହରଣ, ଗୋପୀ ସାହୁ ଦୋକାନ ଆଦି ୨୫ରୁ ଊର୍ଦ୍ଧ୍ବ ନାଟକରେ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ଶୈଳୀ ସୃଷ୍ଟି କରିଥିଲେ। କର୍ମଠ, ସ୍ୱଳ୍ପଭାଷୀ, ମିତବ୍ୟୟୀ, ମିତଭାଷୀ, ଦକ୍ଷ ସଂଗଠକ, ବନ୍ଧୁବତ୍ସଳ, ଶୃଙ୍ଖଳିତ ତଥା କର୍ମରେ ବିଶ୍ୱାସ କରୁଥିବା ଜଣେ ସରଳ ଓ ନିରାଡ଼ମ୍ବର ନାଟ୍ୟବ୍ୟକ୍ତିତ୍ୱ ଭାବେ ସେ ଓଡ଼ିଶା ନାଟ୍ୟଜଗତର ଜଣେ ପ୍ରିୟ ନାଟ୍ୟକର୍ମୀ ଥିଲେ। ଉତ୍ତରପୁରୁଷର ପ୍ରତିଷ୍ଠାତା ସମ୍ପାଦକ ଭାବେ ଦୀର୍ଘ ୫୦ ବର୍ଷ ଧରି ନାଟ୍ୟ ଆନ୍ଦୋଳନରେ ଜଡ଼ିତ ଥିଲେ। ଶେଷ ବେଳକୁ ସେ ଉତ୍ତରପୁରୁଷର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଗତ ଗୁରୁବାର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରି ପଟ୍ଟନାୟକ, ହରେନ ସାହୁ, ଅଭିନ୍ନ ରାଉତରାୟ, ପ୍ରକାଶ ମହାରଣା, ପବିତ୍ର ମୋହନ କର, ପବିତ୍ର ମହାନ୍ତି, ଉତ୍ତରପୁରୁଷର ସଭ୍ୟବୃନ୍ଦ ତଥା ନାଟ୍ୟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗ ଓଡିଶା ନାଟ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ନାଟ୍ୟଦଳ ତଥା ବ୍ୟକ୍ତିତ୍ବମାନେ କହିଛନ୍ତି।