ଏମ୍ସ ଭୁବନେଶ୍ବରରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପାଇଁ ଦିଆଯିବ ପ୍ରସ୍ତାବ

୩ ବର୍ଷରେ ୨୦ ଜଣଙ୍କ ବକ୍ଷ ଅସ୍ତ୍ରୋପଚାର, କିନ୍ନରଙ୍କ ମାନସିକତାକୁ ଦୃଷ୍ଟି ଦେବେକି ସରକାର?

ଖଣ୍ଡଗିରି: ଏମ୍ସ ଭୁବନେଶ୍ବର ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପାଇଁ ଖୁବ ଶୀଘ୍ର ଦିଆଯିବ ପ୍ରସ୍ତାବ। କିନ୍ନରମାନଙ୍କ ମାନସିକତାକୁ ସମ୍ମାନ ଦେଇ ଏହି ପଦକ୍ଷେପ ଗ୍ରହଣ ପାଇଁ ଚିନ୍ତା କରାଯାଉଥିବା କହିଛନ୍ତି ଏମ୍ସ ଭୁବନେଶ୍ବରର ପ୍ଲାଷ୍ଟିକ ସର୍ଜନ ଡା.ସୁନୀଲ ରାଉତ। ଦିଲ୍ଲୀ, ରାୟପୁର ଏବଂ ମୁମ୍ବାଇରେ ଏହି ଅସ୍ତ୍ରୋପଚାର ହେଉଛି। ଯାତାୟାତ ପାଇଁ କିନ୍ନରଙ୍କୁ ସମସ୍ୟା ସହିତ ଖର୍ଚାନ୍ତ ହେବାକୁ ପଡ଼ୁଥିବା କହିଛି ସାମାଜିକ ଅନୁଷ୍ଠାନ ସଖା। ଅନ୍ୟଦିଗରେ ଏମ୍ସ ଭୁବନେଶ୍ବରରେ ୩ ବର୍ଷରେ ୨୦ ଜଣ କିନ୍ନର ମହିଳା ହେବାର ଇଚ୍ଛା ନେଇ ବକ୍ଷ ଅସ୍ତ୍ରୋପଚାର କରିଥିବା କହିଛନ୍ତି ଡ.ରାଉତ।

ଖୋର୍ଧାର ନେହା ମହାପାତ୍ର କହିଛନ୍ତି, ସେ ପୁଅ ହୋଇ ଜନ୍ମ ନେଇଥିଲେ। ସପ୍ତମ ଶ୍ରେଣୀ ପଢିବାବେଳକୁ ତାଙ୍କ ଭିତରେ ଝିଅର ଗୁଣ ବାହାରିବା ସହିତ ଝିଅ ହେବାର ଆକାଂକ୍ଷା ସୃଷ୍ଟି ହୋଇଥିଲା। କିନ୍ତୁ ସମାଜ, ପାରିବାରିକ ଚାପ ଯୋଗୁଁ ସେ ମୁହଁ ଖୋଲି ପାରିନଥିଲେ। କିଛି ବର୍ଷ ପରେ ଭୁବନେଶ୍ବର ପଳାସୁଣିରେ ତାଙ୍କ ଭଳି ଅନେକ କିନ୍ନର ଏକାଠି ରହୁଥିବା ଜାଣି ଏଠାକୁ ଚାଲି ଆସିଲେ। ହେଲେ ମନରେ ସବୁ ବେଳେ ଲିଙ୍ଗ ପରିବର୍ତ୍ତନର ଇଚ୍ଛା ଥିଲା। ବାହାରକୁ ଯାଇ ଅସ୍ତ୍ରୋପଚାର ସମ୍ଭବ ନଥିବାରୁ ଏମ୍ସ ଭୁବନେଶ୍ବରରେ ବକ୍ଷ ଅସ୍ତ୍ରୋପଚାର କରାଇ ଝିଅ ଭଳି ହେବାର ଇଚ୍ଛା ପୂରଣ କରିପାରିଥିଲେ। ଏଥିପାଇଁ ପ୍ରାୟ ୬୦ ହଜାର ଖର୍ଚ କରିବାକୁ ପଡ଼ିଥିଲା। ବର୍ତ୍ତମାନ କିନ୍ତୁ ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ଏମ୍ସରେ ଅସ୍ତ୍ରୋପଚାର କିମ୍ବା କ୍ୟାବିନ ପାଇଁ ଖର୍ଚ କରିବାକୁ ପଡ଼େନାହିଁ।

ଏଥିପାଇଁ ଆବଶ୍ୟକ ସିଲିକନ ଇନପ୍ଲାଏଣ୍ଡ ପ୍ରାୟ ୪୫ ହଜାର ଟଙ୍କାରେ କ୍ରୟ କରିବାକୁ ପଡ଼ିଥିବା ନେହା କହିଛନ୍ତି। ତାଙ୍କ ଭଳି ଅନେକ ଏହି ଅସ୍ତ୍ରୋପଚାର କରିଛନ୍ତି। ଡ. ରାଉତ କହିଛନ୍ତି, ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ସହଜ ନୁହେଁ। ଏଥିପାଇଁ ଅଦାଲତର ଅନୁମତି ସହିତ ଅସ୍ତ୍ରୋପଚାର ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ସହ କାଉନସେଲିଂ କରିବାକୁ ହୁଏ। ମାନସିକତା ସହିତ ପେଶାଗତ ଆବଶ୍ୟକତା ଦୃଷ୍ଟିରୁ ମଧ୍ୟ ଅନେକ ଏହି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିବା ଡ.ରାଉତ କହିଛନ୍ତି। ଘରୋଇ ଡାକ୍ତରଖାନାରେ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ନେହା କହିଛନ୍ତି, ଦେଢ ବର୍ଷ ପୂର୍ବରୁ କିନ୍ନରଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ସାମାଜିକ ଅନୁଷ୍ଠାନ ସଖା ପକ୍ଷରୁ ରାଜ୍ୟରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ସୁବିଧା, ବକ୍ଷ ଅସ୍ତ୍ରୋପଚାର ନିଃଶୁଳ୍କ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏହାକୁ ସରକାର ଗୁରୁତ୍ବ ଦେଇ ନାହାନ୍ତି। ସେମାନଙ୍କ ଆବଶ୍ୟକତାକୁ କେବେ ଦୃଷ୍ଟି ଦେବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର