କିଡ୍‌ନି ପ୍ରତିରୋପଣ ପାଇଁ ଏମ୍ସ ପ୍ରସ୍ତୁତ: ଅନୁମତି ପାଇଁ ଖୁବଶୀଘ୍ର ଡିଏମ୍‌ଇଟିରେ ଆବେଦନ କରାଯିବ

କାର୍ଯ୍ୟକାରୀ ହେଲେ ବଡ଼ ଖର୍ଚ୍ଚରୁ ରକ୍ଷା ପାଇବେ ରୋଗୀ, ଭିତ୍ତିଭୂମି ଅଛି; ଡାକ୍ତର ସଙ୍କଟ ବଡ଼ ଆହ୍ବାନ

ଭୁବନେଶ୍ବର: କିଡ୍‌ନି ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ବର ଏମ୍ସ। ଏଥିପାଇଁ ଖୁବଶୀଘ୍ର ଡିଏମ୍‌ଇଟିଙ୍କ ନିକଟରେ ଆବେଦନ କରାଯିବ। ପୂର୍ବରୁ ଥରେ ଏଥିପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆବଶ୍ୟକ କିଛି କାଗଜପତ୍ର ଦିଆଯାଇ ନ ଥିବାରୁ ଏହାକୁ ଫେରାଇ ଦିଆଯାଇଥିଲା। ଏବେ ସେହି ସର୍ତ୍ତ ପୂରଣ ସହିତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି। ତେଣୁ ସବୁକିଛି ଠିକ୍‌ଠାକ୍ ରହିଲେ ଏଥର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି। ସରକାରୀ ଡାକ୍ତରଖାନା ଭାବେ ବର୍ତ୍ତମାନ ରାଜ୍ୟରେ ଏକମାତ୍ର କଟକ ବଡ଼ ଡାକ୍ତରଖାନାରେ ହିଁ କିଡ୍‌ନି ପ୍ରତିରୋପଣ ହୋଇ ପାରୁଛି। ରାଜଧାନୀରେ ସ୍ଥିତ ବିଭିନ୍ନ ଘରୋଇ ଡାକ୍ତରଖାନାରେ କିଡ୍‌ନି ପ୍ରତିରୋପଣ ପାଇଁ କେବଳ ୮ରୁ ୧୦ ଲକ୍ଷ ଟଙ୍କା ପଡ଼ୁଥିବାରୁ ଅଧିକାଂଶ ରୋଗୀ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଯେଉଁମାନେ ପ୍ରତିରୋପଣ କରୁଛନ୍ତି ସେମାନେ ସର୍ବସ୍ବାନ୍ତ ହେଉଛନ୍ତି। ତେଣୁ ଏମ୍ସରେ ଏହି ସୁବିଧା ଆରମ୍ଭ ହେଲେ, ରାଜ୍ୟ ତଥା ରାଜ୍ୟ ବାହାରର ବହୁ ରୋଗୀ ଏବଂ ସେମାନଙ୍କ ପରିବାର କମ୍‌ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ବ୍ୟକ୍ତିଙ୍କଠାରେ କିଡ୍‌ନି ଜନିତ ବିଭିନ୍ନ ସମସ୍ୟାରେ ଦେଖାଦେଉଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାଏଲିସିସ୍‌ କିମ୍ବା ପ୍ରତିରୋପଣର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟରେ କିଡ୍‌ନି ରୋଗ ଚିକିତ୍ସା ପାଇଁ ଭିତ୍ତିଭୂମିର ଅଭାବ ରହିଛି। ଏମ୍ସ ଓପିଡିକୁ ଦୈନିକ ୬୦ରୁ ୭୦ କିଡ୍‌ନି ରୋଗୀ ଆସିଥାଆନ୍ତି। ସୋମବାର, ବୁଧବାର ଏବଂ ଶୁକ୍ରବାର ଓପିଡିରେ ଡାକ୍ତର ଦେଖନ୍ତି। ସେହି ଅନୁଯାୟୀ ଗୋଟିଏ ସପ୍ତାହରେ ରୋଗୀ ସଂଖ୍ୟା ୧୮୦ରୁ ୨୧୦ ରହୁଥିବାବେଳେ ଏଠାରେ ମାସକୁ ୮୦୦ରୁ ୮୫୦ ରୋଗୀଙ୍କ ଡାଏଲିସିସ କରାଯାଇଥାଏ। ଏଥିସହିତ ମେଡିସିନ ସମେତ ବିଭିନ୍ନ ବିଭାଗକୁ ମଧ୍ୟ କିଡ୍‌ନି ରୋଗୀ ଥାଆନ୍ତି। ଏହା ବ୍ୟତୀତ ଏମ୍ସରେ ହାରାହାରି ୧୫ କିଡ୍‌ନି ରୋଗୀ ପ୍ରତିଦିନ ଚିକିତ୍ସାଧୀନ ଥାଆନ୍ତି। ଏବେ କୋଭିଡ ଯୋଗୁଁ ଏମ୍ସକୁ ଆସୁଥିବା କିଡ୍‌ନି ରୋଗୀ ସଂଖ୍ୟା କମିଛି ସତ, କିନ୍ତୁ ଗୁରୁତର ରୋଗୀ ଏବେବି ଏମ୍ସକୁ ଆସୁଛନ୍ତି। ମାସକୁ ୮ରୁ ୧୦ ଜଣ ଏଭଳି ରୋଗୀ ଆସୁଛନ୍ତି; ଯେଉଁମାନଙ୍କ କମ୍‌ ବୟସରେ ଉଭୟ କିଡ୍‌ନି ନଷ୍ଟ ହୋଇଯାଇଛି। ସେମାନେ କିଡ୍‌ନି ପ୍ରତିରୋପଣ ପାଇଁ ଅଧିକ ଆଗ୍ରହୀ। ମାତ୍ର ଏମ୍ସରେ ପ୍ରତିରୋପଣ ସୁବିଧା ଅଭାବରୁ ସେମାନଙ୍କୁ ବାଧ୍ୟ ହୋଇ ବାହାରକୁ ରେଫର୍‌ କରାଯାଉଛି। ଏମ୍ସରେ ଏହି ସୁବିଧା ଉପଲବ୍ଧ ହେଲେ ନାମମାତ୍ର ଖର୍ଚରେ ପ୍ରତିରୋପଣ ହୋଇ ପାରିବ। ମିଳିଥିବା ସୂଚନା ଅନୁଯାୟୀ; ଯୋଜନା ଅନୁସାରେ ଏମ୍ସର ୟୁରୋଲୋଜି ବିଭାଗର ଓଟିରେ କିଡ୍‌ନି ପ୍ରତିରୋପଣ ହେବ। ଏଠାରେ କିଡ୍‌ନି ରୋଗୀଙ୍କ ଲାଗି ଆଇସିୟୁ, ଓ୍ବାର୍ଡ ରହିଥିବାବେଳେ ଡାଏଲିସିସ ମଧ୍ୟ କରାଯାଉଛି। ବାୟୋକେମେଷ୍ଟ୍ରି, ପେଥୋଲୋଜି, ରେଡିଓଲୋଜି ଆଦି ସୁବିଧା ରହିଛି। ଆଉ କିଛି ବଡ଼ ଧରଣର ପରୀକ୍ଷଣ ଆବଶ୍ୟକ ହେଲେ ଚୁକ୍ତିନାମା ହୋଇଥିବା ଅନ୍ୟ ଡାକ୍ତରଖାନାକୁ ନମୁନା ପଠାଯାଇ ପାରିବ। ତେଣୁ ଡିଏମ୍‌ଇଟି ଟିମ୍‌ ପରିଦର୍ଶନ ପରେ ଲାଇସେନ୍ସ ମିଳିଯିବ ବୋଲି ଆଶା ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସ ଏମ୍ସ ପ୍ରତିଷ୍ଠା ଦିବସ ଅବସରରେ ୫ ମାସ ମଧ୍ୟରେ ଏଠାରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଥିଲା। ତେଣୁ ସବୁ ଠିକ୍‌ ରହିଲେ, ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ସୁଦ୍ଧା ଏଠାରେ ରୋଗୀ କିଡନି ପ୍ରତିରୋପଣ କରିପାରିବେ ବୋଲି ଆଶା କରାଯାଉଛି।
ଅନ୍ୟଦିଗରେ ଏମ୍ସ ନେଫ୍ରୋଲୋଜି ବିଭାଗ ଡାକ୍ତର ସଙ୍କଟ ଭଳି ଗୁରୁତର ସମସ୍ୟା ଦେଇ ଗତି କରୁଛି। ପ୍ରଫେସର, ଅତିରିକ୍ତ, ସହକାରୀ ଏବଂ ସହଯୋଗୀ ପ୍ରଫେସରକୁ ମିଶାଇ ସମୁଦାୟ ୪ରୁ ୩ଟି ପଦ ଖାଲି ରହିଛି। କେବଳ ଜଣେ ମାତ୍ର ଡାକ୍ତର ସନ୍ଦୀପ ପଣ୍ଡାଙ୍କ ଭରସାରେ ନେଫ୍ରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଚାଲିଛି। ତାଙ୍କୁ ସହଯୋଗ ପାଇଁ କିଛି ମାସ ହେଲା ଠିକାରେ ଜଣେ ଡାକ୍ତରଙ୍କ ନିଯୁକ୍ତି ହୋଇଛି। ଆବାସିକ କିମ୍ବା ସ୍ନାତକୋତ୍ତର ଡାକ୍ତର ମଧ୍ୟ ନାହାନ୍ତି। ଗୋଟିଏ ପ୍ରଫେସର ଏବଂ ୨ଟି ସହଯୋଗୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି। ଏମାନଙ୍କ ନିଯୁକ୍ତି ହେଲେ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେଲେ ରୋଗୀ ସେବା ଆହୁରି ସୁବିଧା ହୋଇ ପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର