ଭୁବନେଶ୍ବର: କୋଭିଡ୍ ସ୍ଥିତି ସମୀକ୍ଷା କରି ଆସନ୍ତା ଫେବ୍ରୁଆରି ୭ ତାରିଖରେ ଏମ୍ସ ବହିର୍ବିଭାଗ (ଓପିଡି) ଖୋଲିପାରେ। ଏମ୍ସ ୱାର୍କିଂ ଗ୍ରୁପ୍ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ବର୍ତ୍ତମାନ ୱାର୍ଡରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆଇସିୟୁରେ ବୃଦ୍ଧି ପାଉଛି। ପୂର୍ବରୁ ବହୁ ସଂଖ୍ୟାରେ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ସ୍ଥିତି ନାହିଁ। ଏମ୍ସରେ ଚିକିତ୍ସିତ ହେଉଥିବା କୋଭିଡ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ପ୍ରିୟଜନମାନେ ଏମ୍ସର ୱେବ୍ସାଇଟ୍ରୁ ପାଇପାରିବେ ବୋଲି କୁହାଯାଇଥିଲା। ସେହିପରି ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ କୋଭିଡ୍ ରିପୋର୍ଟ ଇ-ମେଲ୍ ଯୋଗେ ଦିଆଯିବ। ସେମାନେ ରିପୋର୍ଟ ପାଇଁ କୋଭିଡ୍ ଓପିଡି କାଉଣ୍ଟର୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଜାନୁଆରି ୧୭ ତାରିଖରୁ ଏମ୍ସ ଓପିଡି ଏବଂ ଅତି ଜରୁରୀକୁ ବାଦ୍ ଦେଇ ଅସ୍ତ୍ରୋପଚାର ବନ୍ଦ ରହିଛି। ଏଥିଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି। ଓପିଡି ଖୋଲିଲେ ରୋଗୀ ସେବା ସ୍ବାଭାବିକ ହେବ।