ଏମ୍‌ସକୁ ମିଳିଲା ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ୱରକୁ ପ୍ରଥମ ଥର ପାଇଁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। କେରଳ କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସମୂହଙ୍କ ମଧ୍ୟରେ ସଚେତନତା ସମ୍ମତି ଓ ଉତ୍କର୍ଷ(ସିଏଏଚ୍‌ଓଏସ୍‌)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍‌ସ ଭୁବନେଶ୍ୱରର କେନ୍ଦ୍ରୀୟ ଷ୍ଟେରାଇଲ୍‌ ସେବା ବିଭାଗ(ସିଏସ୍‌ଏସ୍‌ଡି)କୁ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ଗରେ ଜାତୀୟ ସ୍ତରରେ ଦ୍ବିତୀୟ ପୁରସ୍କାର ମିଳିଛି। ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏମ୍‌ସର ଅତ୍ୟାଧୁନିକ ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗକୁ ମିଳିଥିବା ଏହି ପ୍ରତିଷ୍ଠିତ ପୁରସ୍କାରକୁ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏବଂ ସିଏସ୍‌ଏସ୍‌ଡି ବିଭାଗ ମୁଖ୍ୟ ଡ. ଅଶୋକ କୁମାର ଜେନା କୋଚିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରହଣ କରିଛନ୍ତି।

ଏହି ଷ୍ଟେରାଇଲ୍ ସେବା ବ୍ୟବସ୍ଥା ରୋଗୀର ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ପୁନଃବ୍ୟବହାରଯୋଗ୍ୟ ବସ୍ତୁଗୁଡ଼ିକର ପୁନଃପ୍ରକ୍ରିୟାକରଣ କରାଇଥାଏ। ରୋଗୀସେବା କ୍ଷେତ୍ରରେ ଉନ୍ନତ ନିରାପତ୍ତା ପ୍ରକ୍ରିୟା ଅବଲମ୍ବନ କରୁଥିବା ଦେଶର ମାତ୍ର ଦୁଇଟି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏମ୍‌ସର ଏହି ଅତ୍ୟାଧୁନିକ ୟୁନିଟ୍‌ ୨୫ ମାର୍ଚ୍ଚ ୨୦୧୯ରେ ଉଦ୍‌ଘାଟିତ ହୋଇଥିଲା। ବିଶୋଧନ ପ୍ରକ୍ରିୟାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ସମ୍ବନ୍ଧିତ ଖବର