ବିଗୁଡ଼ୁଛି ଏମ୍‌ସ ସ୍ଥିତି, ୬ ମାସ ହେଲା ନିର୍ଦ୍ଦେଶକ, ୩ ମାସ ହେଲା ନାହାନ୍ତି ଡିଡିଏ

ଭୁବନେଶ୍ବର: ୬ ମାସ ହେଲା ନିର୍ଦ୍ଦେଶକ ନାହାନ୍ତି। ୩ ମାସ ହେଲା ଡିଡିଏ ପଦବି ବି ଖାଲି ପଡ଼ିଛି। ପ୍ଲାନିଂ ଫାଇନାନ୍‌ସ କମିଟି ବୈଠକ ହୋଇପାରୁନି। ଫଳରେ ମାସ୍କ, ଗ୍ଲୋବ୍‌ସ, ଔଷଧ, ମେସିନ୍‌ ଓ ଗବେଷଣା ବାବଦ ସବୁ ଖର୍ଚ୍ଚ ବାଧାପ୍ରାପ୍ତ ହେଉଛି। ଏହା ହେଉଛି ଭୁବନେଶ୍ବର ଏମ୍‌ସର ଅବସ୍ଥା। ଏତେ ଦୟନୀୟ ସ୍ଥିତି ଉପୁଜିବା ସତ୍ତ୍ବେ ଭୁବନେଶ୍ବର ସାଂସଦଙ୍କ ସ୍ବର ଶୁଣାଯାଉନାହିଁ। ପରିଚାଳନା କମିଟିରେ ଜଣେ ସଦସ୍ୟ ଥାଇ ବି ସେ ନିରବ।
୩ ମାସ ମଧ୍ୟରେ ଜଣେ ସ୍ଥାୟୀ ନିର୍ଦେଶକଙ୍କ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୬ ମାସ ବିତିସାରିଲାଣି। କେବେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ହେବେ, ତାର ମଧ୍ୟ କୌଣସି ନିଶ୍ଚିତତା ନାହିଁ। ଏମିତି ଅନୁଭବ ହେଉଛି ଯେମିତି ଜାଣିଶୁଣି ଏହି ଜାତୀୟ ସ୍ତରୀୟ ବଡ଼ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ପଛକୁ ଠେଲିଦେବା ପାଇଁ ଷଡ଼୍‌ଯନ୍ତ୍ର ଚାଲିଛି। ପ୍ରତିଦିନ ୩ ହଜାରରୁ ଊର୍ଧ୍ବ ରୋଗୀ ଏମ୍ସ ଓପିଡିରେ ବିଳମ୍ବିତ ରାତିରୁ ଧାଡ଼ିରେ ଛିଡ଼ା ହୁଅନ୍ତି। ଡାକ୍ତର ଦେଖାଇବା କିମ୍ବା ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ୩ରୁ୪ ମାସ କିମ୍ବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼େ। ଏହା ସତ୍ତ୍ବେ ସେମାନେ ଅପେକ୍ଷା କରି ଏମ୍ସରେ ଚିକିତ୍ସିତ ହୁଅନ୍ତି।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ବରର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଏଥିରୁ ସ୍ପଷ୍ଟ। ଏକ ହଜାର ଗୁରୁତର ରୋଗୀ ଏଠାରେ ଚିକିତ୍ସାଧୀନ ଅଛନ୍ତି। ଓଡ଼ିଶା ସମେତ ପୂର୍ବ ଭାରତରେ କର୍କଟ, ହୃଦ୍‌ରୋଗ, ଅସ୍ଥିଶଲ୍ୟ, କିଡ୍‌ନି ସମସ୍ୟାର ଏଭଳି ଅନେକ ରୋଗ ରହିଛି ଯାହାର ଚିକିତ୍ସା ସରକାରୀ ଭାବରେ କେବଳ ଏମ୍ସରେ ହୋଇଥାଏ। ଏତେ ବଡ଼ ଜାତୀୟ ଅନୁଷ୍ଠାନ, ମାତ୍ର ଗ୍ଲୋବ୍ସ, ମାସ୍କ ଠାରୁ ଆରମ୍ଭ କରି ଆବଶ୍ୟକୀୟ ଔଷଧ, ମେସିନ୍‌ ଆଦି ସବୁପ୍ରକାର ଛୋଟବଡ଼ ସାମଗ୍ରୀ ପାଇଁ ଡାକ୍ତର ଓ ରୋଗୀ ସମସ୍ତେ ଏବେ ହୀନସ୍ତା ହେଉଛନ୍ତି। ଏଥିଯୋଗୁଁ ରୋଗୀ ସେବା ପ୍ରଭାବିତ ହେଲାଣି। ଗବେଷଣା ପାଇଁ ଆବଶ୍ୟକ ଅନୁଦାନ ମଧ୍ୟ ଗବେଷକଙ୍କୁ ମିଳୁନାହିଁ। ଏବେ ଏମ୍ସ ମଙ୍ଗଳଗିରିର ନିର୍ଦେଶକଙ୍କୁ ଭୁବନେଶ୍ବରର ଦାୟିତ୍ବ ଦିଆଯାଇଛି। ମାତ୍ର ଦୁଇଟି ଏମ୍ସର ଦାୟିତ୍ବ ନେବା ତାଙ୍କ ପାଖରେ ଅସମ୍ଭବ ପ୍ରାୟ ହେଲାଣି। ପ୍ରତିଦିନ ସେ ଭୁବନେଶ୍ବରରେ ରହୁନାହାନ୍ତି। ମାସକୁ ଯେଉଁ ଥରେ ଅଧେ ଆସୁଛନ୍ତି, ସେତେବେଳେ ଏତେ ଫାଇଲ ଗଦା ହେଉଛି ଯେ କେବଳ ଜରୁରୀ କାର୍ଯ୍ୟ ପାଇଁ ଅନୁମୋଦନ କରିବା ହିଁ ସମ୍ଭବ ହେଉଛି। ଶୁକ୍ରବାର ନିର୍ଦେଶକ ଆସିଛନ୍ତି। ତାଙ୍କ କାର୍ଯ୍ୟାଳୟରେ ପ୍ରାୟ ୧୫୦୦ ଫାଇଲ୍‌ ରହିଥିବା କୁହାଯାଏ। ଯାହା ତାଙ୍କର ଅନୁମୋଦନର ଅପେକ୍ଷାରେ ରହିଛି। ଫାଇଲ୍‌ ତଳେ ଚାପି ହୋଇଥିବା ଏହି କାର୍ଯ୍ୟ କିଭଳି ହେଉଥିବ ସହଜରେ ଅନୁମାନ କରାଯାଇପାରେ।

୩ ମାସ ମଧ୍ୟରେ ପ୍ଲାନିଂ ଫାଇନାନ୍ସ କମିଟି, ଗଭର୍ଣ୍ଣିଂ ବଡ଼ି କମିଟି ବୈଠକ ହୁଏ। ପ୍ଲାନିଂ ଫାଇନାନ୍ସ କମିଟି ଅନ୍ତର୍ଗତରେ ଅନୁମୋଦିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଖର୍ଚ ସମ୍ପର୍କରେ ଆଲୋଚନା ହୁଏ। ମାତ୍ର ନିର୍ଦେଶକ ରହୁନଥିବାରୁ ତାହା ହୋଇପାରୁନାହିଁ। ଗୁରୁତ୍ବପୂର୍ଣ୍ଣ ବିଭାଗର ଜଣେ ଡାକ୍ତର କହିଛନ୍ତି, ତାଙ୍କ ବିଭାଗକୁ ପ୍ରତିଦିନିଆ ଖର୍ଚ ପାଇଁ ମାସକୁ ଆସୁଥିବା ୫ ହଜାର ଟଙ୍କା ମଧ୍ୟ ସ୍ଥାୟୀ ନିର୍ଦେଶକ ନଥିବା ଆଳରେ ହୋଇପାରୁନାହିଁ। ଦ୍ବିତୀୟତଃ ଏମ୍ସ ବିରୋଧରେ ବିଭିନ୍ନ ମାମଲା ଅଦାଲତରେ ପଡ଼ି ରହିଛି। ଏଥିସଂକ୍ରାନ୍ତରେ ନିଜ ପକ୍ଷ ମଧ୍ୟ ଏମ୍ସ ରଖିପାରୁନାହିଁ। ଫଳରେ ସେସବୁ ମାମଲା ସମାଧାନ ହେବାରେ ବିଳମ୍ବିତ ହେଉଛି। ପ୍ରାଧ୍ୟାପକ ପଦୋନ୍ନତି ନେଇ ଗତବର୍ଷ ଅଦାଲତରେ ଦାୟର ମାମଲାକୁ ନେଇ ଆଜି ଏମ୍ସକୁ ନିଜ ପକ୍ଷ ରଖିବାର ଥିଲା।

ମାସ୍କ, ଗ୍ଲୋବ୍ସ, ଔଷଧ, ମେସିନ୍‌, ଗବେଷଣା ସବୁ ଖର୍ଚ ବାଧାପ୍ରାପ୍ତ
ହେଲାନି ପ୍ଲାନିଂ ଫାଇନାନ୍ସ କମିଟି ବୈଠକ
କାହିଁକି ନିରବ ଭୁବନେଶ୍ବର ସାଂସଦ

ମାତ୍ର ଏହା ହୋଇପାରିନାହିଁ। ପୂର୍ବତନ ନିର୍ଦେଶକଙ୍କ ସମୟରେ ୫ଟି ବିଭାଗର ପ୍ରଫେସର ନିଯୁକ୍ତିକୁ ଅଦାଲତ ସ୍ଥଗିତାଦେଶ ଜାରି କରିଛି। ତାକୁ ମଧ୍ୟ ନିର୍ଦେଶକ ଗୁରୁତ୍ବ ଦେଉନାହାନ୍ତି। ଏଥିଯୋଗୁଁ ଏଠାରେ ବିଭାଗୀୟ ନିଯୁକ୍ତି ନେଇ ଅନିଶ୍ଚିତତା ଲାଗିରହିଛି। ପୂର୍ବତନ ନିର୍ଦେଶକଙ୍କ ସମୟରେ ହୋଇଥିବା ନିଯୁକ୍ତି ପରେ ବି ବିଭିନ୍ନ ପ୍ରକାର ବିବାଦ ଯୋଗୁଁ ବହୁ ପଦବି ଖାଲି ପଡ଼ିଛି। ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନାହିଁ। ଏପରିକି ଏମ୍ସ ବାଲେଶ୍ବର ସାଟେଲାଇଟ ସେଣ୍ଟରକୁ ପ୍ରତି ସପ୍ତାହରେ ଡାକ୍ତର ଯିବା ମଧ୍ୟ ଅନିଶ୍ଚିତତା ରହୁଛି। ପ୍ରତି ସପ୍ତାହ ବଦଳରେ ପ୍ରତି ମାସରେ ବିଭାଗୀୟ ଡାକ୍ତର ଯାଉଥିବାରୁ ଏମ୍ସର ଉଚ୍ଚମାନର ସୁବିଧା ଲାଭ ବାଲେଶ୍ବର ରୋଗୀଙ୍କୁ ମିଳିପାରୁନାହିଁ। ଏଣେ ବର୍ଣ୍ଣ ୟୁନିଟ୍‌, ଧର୍ମଶାଳା କାର୍ଯ୍ୟ ସମାପ୍ତ ହେବା ପରେ ମଧ୍ୟ ଉଦ୍‌ଘାଟିତ ହେଉନାହିଁ।

ଡିସେମ୍ବର ୧୯ ତାରିଖରେ ନିର୍ଦେଶକ ଗୀତାଞ୍ଜଳି ବିଙ୍କ କାର୍ଯ୍ୟକାଳ ସମାପ୍ତ ହେଲା। ଏହାପରେ ଡିସେମ୍ବର ୨୦ ତାରିଖରୁ ହିଁ ଭୁବନେଶ୍ବର ସମେତ ଏମ୍ସ ଭୋପାଳ, ପାଟନା, ଋଷିକେଶ, ଗୌହାଟି, ଅବନ୍ତିପୁର ଏବଂ ଦରଭଙ୍ଗା ନିର୍ଦେଶକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଶର ଅଭିଜ୍ଞ ଏବଂ ସର୍ବୋଚ୍ଚ ଯୋଗ୍ୟତାପ୍ରାପ୍ତ ୧୨୪ ପ୍ରଫେସର ଏହି ଦୌଡ଼ରେ ଥିଲେ। ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏମ୍ସ ପାଇଁ ୨ ଜଣଙ୍କ ନାମର ସଂକ୍ଷିପ୍ତ ତାଲିକା ପ୍ରକାଶିତ ହୋଇଥିଲା। ଏମ୍ସ ଭଳି ସ୍ବୟଂଶାସିତ ସଂସ୍ଥା ଯେଉଁଠି ଏତେ ଲୋକ ନିର୍ଭରଶୀଳ ଏହାର ନିର୍ଦେଶକ ନିଯୁକ୍ତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଳମ୍ବ ଏବଂ ସ୍ଥାନୀୟ ସାଂସଦ କିମ୍ବା ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ କେନ୍ଦ୍ର ସରକାରଙ୍କ ପାଖକୁ କାହିଁକି ପଠାଉ ନାହାନ୍ତି, କେନ୍ଦ୍ର କାହିଁକି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନର ସ୍ଥାୟୀ ମୁରବି ନିଯୁକ୍ତିକୁ ଗୁରୁତ୍ବ ଦେଉ ନାହାନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଢ଼ୁଛନ୍ତି କର୍କଟ ରୋଗୀ

ଭୁବନେଶ୍ବର: ଦୁଇଟି ରାଜ୍ୟର ରୋଗୀଙ୍କ ଭରସା ଏମ୍‌ସର ପେଟ୍ ସିଟି ସ୍କାନ ମେସିନ। ମାତ୍ର ଦୁଇ ମାସରେ ଏଠାରେ ପରୀକ୍ଷା କରାଇଲେଣି ୫୦୦ରୁ ଊର୍ଧ୍ବ କର୍କଟ ରୋଗୀ। ସ୍ଥିତି ଏଭଳି ହୋଇଛି ଯେ ଏବେଠାରୁ ପରୀକ୍ଷା ପାଇଁ ରୋଗୀଙ୍କୁ ଗୋଟିଏ ମାସ ଅପେକ୍ଷା କରିବାକୁ ପଡ଼ୁଛି। ଆଗକୁ ଅପେକ୍ଷା ତାରିଖ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଯେଉଁଭଳି ବୃଦ୍ଧି ପାଉଛି, ଏସସିବି, ଭୀମସାର ଏବଂ ଏମକେସିଜି ମେଡିକାଲ କଲେଜରେ ଏହି ସୁବିଧା ପ୍ରଦାନ ପାଇଁ ଦାବି ହେଉଛି। କର୍କଟ ରୋଗ ଚିହ୍ନଟ, ଔଷଧ ଦେବା ପରେ ଏହାର ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ କର୍କଟ ରୋଗ ରହିଛି, ତାହାର ପରୀକ୍ଷା ପେଟ୍ ସିଟି ସ୍କାନ ମେସିନ୍‌ ଜରିଆରେ ହୁଏ।

ପେଟ୍ ସିଟି ସ୍କାନ ପରୀକ୍ଷା ପାଇଁ ମାସେ ପରର ତାରିଖ
୩ ସରକାରୀ ଡାକ୍ତରଖାନାରେ କେବେ ହେବ ସୁବିଧା?
୨ ମାସରେ ପେଟ୍ ସିଟି ସ୍କାନରେ ପରୀକ୍ଷା କଲେଣି ୫୦୦ରୁ ଊର୍ଧ୍ବ

ରାଜ୍ୟର ଏକମାତ୍ର ସରକାରୀ ଡାକ୍ତରଖାନା ଭାବେ ୨ ମାସ ହେଲା ଏମ୍‌ସରେ ଏହି ସୁବିଧା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରୀ ଡାକ୍ତରଖାନାରେ ପେଟ୍ ସିଟି ସ୍କାନ ମେସିନ୍‌ ନଥିବାରୁ ସେଠାକାର ଅନେକ ରୋଗୀଙ୍କୁ ଏଠିକୁ ଆସିବାକୁ ପଡ଼ୁଛି। ପୂର୍ବରୁ ରୋଗୀମାନଙ୍କୁ ଘରୋଇ ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ପଡ଼ୁଥିଲା ଏବଂ ଥରେ ପରୀକ୍ଷା ପାଇଁ ୨୫ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଏମ୍‌ସରେ ମାତ୍ର ୭୫୦୦ ଟଙ୍କାରେ ଏହି ପରୀକ୍ଷା ହେଉଛି। ରାସନ୍‌ କାର୍ଡଧାରୀଙ୍କ ପାଇଁ ଏହା ମାଗଣା କରାଯାଉଛି। ସପ୍ତାହରେ ୫ଦିନ ଏହି ପରୀକ୍ଷା କରାଯାଉଛି। ପ୍ରତିଦିନ ଯେତେ ସଂଖ୍ୟାରେ ରୋଗୀ ଆସୁଛନ୍ତି, ସେହି ଅନୁଯାୟୀ ଡାକ୍ତର ଏବଂ ଟେକ୍‌ନିସିଆନଙ୍କ ଅଭାବ ରହିଛି।

ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୫୦ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ବରଗଡ଼, କଳାହାଣ୍ଡି, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ବିଭିନ୍ନ ଜିଲ୍ଲାରୁ ଅନେକ ସଂଖ୍ୟାରେ କୃଷକ, ଶ୍ରମଜୀବୀ ଶ୍ରେଣୀର ଦାରିଦ୍ର୍ୟ ସୀମାରେଖା ତଳର ରୋଗୀ ସର୍ବାଧିକ ଚିହ୍ନଟ ହେଉଛନ୍ତି। ୨ ବର୍ଷ ମଧ୍ୟରେ ଏମ୍‌ସରେ ଉଭୟ ପୁରୁଣା ଏବଂ ନୂଆ ରୋଗୀଙ୍କୁ ମିଶାଇ ପ୍ରାୟ ୭୫ ହଜାର କର୍କଟ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏଥିସହ କଟକସ୍ଥିତ ଆଚାର୍ଯ୍ୟ ହରିହର, ବୁର୍ଲା ଏବଂ ବ୍ରହ୍ମପୁରରେ ଏହାର ଚିକିତ୍ସା ହେଉଛି। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କଟକ ଏସସିବିରେ ପେଟ୍‌ ସିଟି ସ୍କାନ ମେସିନ୍‌ କାର୍ଯ୍ୟକ୍ଷମ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପେଟ୍ ସିଟି ସ୍କାନ କାର୍ଯ୍ୟକ୍ଷମ ପାଇଁ ଏସସିବି କର୍ତ୍ତୃପକ୍ଷ ୩ଥର ସତ୍ୟପାଠ ଦାଖଲ କରିଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଭୀମସାର, ଏମ୍‌କେସିଜିରେ ପେଟ୍ ସିଟି ସ୍କାନ କାର୍ଯ୍ୟକ୍ଷମ କରିବା ନେଇ କୌଣସି ସୂଚନା ନାହିଁ। ଏଥିପ୍ରତି ସରକାର କେବେ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର