ଭୁବନେଶ୍ବର: କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରାଯାଇ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଏହାବ୍ୟତୀତ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଟେଲି ମେଡିସିନ ସେବା, ଆପାତକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

Advertisment

ଗତ ମାର୍ଚ୍ଚ ୧୭ ତାରିଖରେ ଏମ୍‌ସରେ କୋଭିଡ-୧୯ ସ୍କ୍ରିନିଂ ବହିର୍ବିଭାଗ (ଓପିଡି) ଆରମ୍ଭ କରାଯାଇଥିଲା। ବର୍ତମାନ ସୁଦ୍ଧା ଏଠାରେ ୨୦୫୨ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଠାରେ ୧୮୨ଟି ଶଯ୍ୟା ଏବଂ ୨୦ଟି ଆଇସିୟୁ ସହିତ ଏକ ପୃଥକ କୋଭିଡ-୧୯ ଚିକିତ୍ସା ବ୍ଲକ ସ୍ଥାପନ କରାଯାଇଛି। ବର୍ତମାନ ସୁଦ୍ଧା ଗୁରୁତର ଶ୍ୱାସକ୍ରିୟାଜନିତ ସଂକ୍ରମଣ ଥିବା ୩୧୦ ଜଣ ସନ୍ଦିଗ୍ଧ କୋଭିଡ ରୋଗୀ ଏଠାରେ ଭର୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୪ ଜଣଙ୍କର ନମୁନା ନେଗେଟିଭ ଆସିଛି। ଦୁଇ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତେବେ ପୂର୍ବରୁ ଏକାଧିକ ରୋଗରେ ପୀଡ଼ିତ ଥିବା ଜଣେ କୋଭିଡ ରୋଗୀଙ୍କର ପ୍ରାଣହାନି ଘଟିଛି। ବର୍ତମାନ ଓଡ଼ିଶା ସରକାରଙ୍କ ସମର୍ପିତ କୋଭିଡ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ହେଲେ ସେମାନଙ୍କର ଚିକିତ୍ସା ପାଇଁ ଏମ୍‌ସର କୋଭିଡ ବ୍ଲକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ନୂଆ କୋଭିଡ-୧୯ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେବାର ଦାୟିତ୍ୱ ଆଇସିଏମଆର ପକ୍ଷରୁ ଭୁବନେଶ୍ୱର ଏମ୍‌ସକୁ ଦିଆଯାଇଛି। ଏମ୍‌ସ ଭୁବନେଶ୍ୱର ପକ୍ଷରୁ ପଶ୍ଚିମବଙ୍ଗର ଗୋଟିଏ ଘରୋଇ ମେଡିକାଲ କଲେଜକୁ କୋଭିଡ-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ୮ଟି ମେଡିକାଲ କଲେଜକୁ ଅନୁମତି ଦେବାର ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର ୫ଟି ମେଡିକାଲ କଲେଜର ଡାକ୍ତର ଓ ଟେକ୍ନିସିଆନମାନଙ୍କୁ କୋଭିଡ-୧୯ ପରୀକ୍ଷା ପାଇଁ ଏମ୍‌ସ ପକ୍ଷରୁ ଆବଶ୍ୟକ ତାଲିମ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଶାଇ ୨୭ ଜଣ ତାଲିମ ନେଇଛନ୍ତି। ଆରଟି-ପିସିଆର ପଦ୍ଧତିରେ ଭୁବନେଶ୍ୱର ଏମ୍‌ସରେ ୪୨୬୭ଟି ନମୁନା ପରୀକ୍ଷା କରାଯାଇସାରିଲାଣି। ସେଥିମଧ୍ୟରୁ ୧୭ଟି ପଜିଟିଭ ବାହାରିଛି। ଆଇସିଏମଆର ନିୟମ ଅନୁଯାୟୀ, ପ୍ରଫେସର ବୈଜୟନ୍ତୀମାଳା ମିଶ୍ରଙ୍କ ନେତୃତ୍ୱରେ ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ନମୁନା ପରୀକ୍ଷା ଓ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି।