ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରର କଳେବର ବୃଦ୍ଧି ପାଇବ। ବର୍ତ୍ତମାନ ଥିବା ପୁରୁଣା ଟର୍ମିନାଲ ନିକଟରେ ଖୁବ୍‌ଶୀଘ୍ର ନୂତନ ଟର୍ମିନାଲ ତିଆରି ହେବ। ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଉଡ଼ୁ। ମନ୍ତ୍ରୀ ଆହୁରି କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦରରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ତଥା ବିଦେଶକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏବେ ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲର କ୍ଷମତା ବାର୍ଷିକ ୪୦ ଲକ୍ଷ ରହିଛି। କିନ୍ତୁ ବର୍ଷକୁ ଏହି ଟର୍ମିନାଲ ଦେଇ ୫୦ ଲକ୍ଷଠୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି। ତେଣୁ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ ହେଉଛି। ଡିଜାଇନ୍‌ ପ୍ରସ୍ତୁତି ସରିଛି ଓ ପରିବେଶ ମଞ୍ଜୁରି ମଧ୍ୟ ମିଳି ସାରିଛି। ଆଗାମୀ ମାସ ଭିତରେ ସମସ୍ତ କାର୍ଯ୍ୟ ସରିବା ପରେ ଟେଣ୍ଡର ହେବ। ଏହାପରେ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ଆଗାମୀ ୨ ବର୍ଷ ମଧ୍ୟରେ ବାର୍ଷିକ ୮୦ ଲକ୍ଷ କ୍ଷମତା ବିଶିଷ୍ଟ ଏକ ନୂଆ ଟର୍ମିନାଲ ନିର୍ମାଣ କରାଯିବ। 

Advertisment

ପୁରୁଣା ଟର୍ମିନାଲ୍ ପାଖରେ ନିର୍ମାଣ ହେବ ନୂଆ ଟର୍ମିନାଲ୍: ମନ୍ତ୍ରୀ

ଭୁବନେଶ୍ୱରରୁ ଏବେ ଦେଶର ୨୦ଟି ରାଜ୍ୟକୁ ଓ ୪ଟି ଦେଶକୁ ସିଧାସଳଖ ବିମାନ ସେବା ରହିଛି। ଏହି ସଂଖ୍ୟା ଅଧିକ ବୃଦ୍ଧି କରିବାକୁ ବି ଯୋଜନା ପ୍ରସ୍ତୁତ ହେଉଛି। କେନ୍ଦ୍ର ମନ୍ତ୍ରାଳୟର ଅନୁମତି ମିଳିବା ପରେ ଏହି କାମକୁ ତ୍ୱରାନ୍ୱିତ କରାଯିବ। ମୁଖ୍ୟତଃ ରାଜସ୍ଥାନର ଜୟପୁର, ଜମ୍ମୁ-କଶ୍ମୀର, ବିଶାଖାପାଟଣା ଓ ସୁରତ ଆଦି ସହର ସହ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଦାବି ହେଉଛି। ଏହାକୁ ପୂରଣ କରିବାକୁ କାମ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ‘ଉଡ଼ାଣ’ ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ରାଉରକେଲା, ଝାରସୁଗୁଡ଼ା, ଜୟପୁର, ଉତକେଳା ଆଦି ସ୍ଥାନରେ ବିମାନବନ୍ଦର ନିର୍ମାଣ ହୋଇଛି। ସେ ସବୁକୁ ଅଧିକ ଉନ୍ନତ କରିବାକୁ ଆହୁରି ପଦକ୍ଷେପ ନିଆଯିବ। ଏଥିସହ ଖୁବଶୀଘ୍ର ରନୱେ କ୍ୟାଟ୍ ଟୁ ଲାଇଟ୍ ବ୍ୟବସ୍ଥା ବି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।