ଭୁବନେଶ୍ବର: ସରକାରୀ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଛାତ୍ର ସଙ୍ଗଠନ ନେତୃତରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ନିଷ୍ପତ୍ତି କାର୍ଯ୍ୟକାରୀ ହେବା କ୍ଷଣି ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। ଗତକାଲି ଏବିଭିପି ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆଜି ଅଖିଳ ଭାରତ ଛାତ୍ର ସଂଘ(ଏଆଇଏସ୍‌ଏଫ୍‌) ରାଜ୍ୟପାଳଙ୍କୁ ଭେଟିଛି। ସଙ୍ଗଠନର ଏକ ପ୍ରତିନିଧିଦଳ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି ଜଣାଇଛନ୍ତି। ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ନ କରିବାକୁ ନିବେଦନ କରିଛନ୍ତି।

Advertisment

ଏଆଇଏସ୍‌ଏଫ୍‌ ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀ ଦର୍ଶାଇଛନ୍ତି ଯେ କଟକଣା ଦ୍ବାରା ୩ଟି ବିଶ୍ବବିଦ୍ୟାଳୟରେ ବନ୍ଦ ହେବାକୁ ଥିବା ପାଠ୍ୟକ୍ରମଗୁଡ଼ିକୁ ରେଗୁଲାର କୋର୍ସ ଭାବେ ପିଲାଙ୍କୁ ପଢ଼ାଯାଉ। ଉଚ୍ଚଶିକ୍ଷା ଭିତ୍ତିରେ କର୍ମନିଯୁକ୍ତି ଅଥବା ଆତ୍ମନିର୍ଭରଶୀଳତାର ଅଧିକ ସମ୍ଭାବନା ଥିବା ବିଷୟଗୁଡ଼ିକ ନିୟମିତ କୋର୍ସ ଭାବେ ପ୍ରଚଳନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗତ ତିନିରୁ ଚାରି ଦଶନ୍ଧି ଧରି ଗୁରୁତ୍ୱ ଦେଇ ନଥିବାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ସେଲ୍ଫ ଫାଇାନାନ୍ସିଂ କୋର୍ସ ପ୍ରଚଳନ କରିଛନ୍ତି।

ମାତ୍ର ରାଜଭବନ ପକ୍ଷରୁ ଯେଉଁ କଟକଣା ଲଗାଯାଇଛି, ତାହା ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହେବେ। ଏହାର ସୁଯୋଗ ନେଇ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଠ୍ୟକ୍ରମର ଦେୟକୁ ଅଧିକ ମାତ୍ରାରେ ବୃଦ୍ଧି କରିବେ। ରାଜଭବନର ଏହି ନିର୍ଦ୍ଦେଶ ପରେ ବହୁ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ା ସୁଯୋଗ ହରାଇବା ଆଶଙ୍କାରେ ନିରାଶ ହେଲେଣି। ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମକୁ ଦେୟମୁକ୍ତ ଓ ନିୟମିତ ପାଠ୍ୟକ୍ରମରେ ପରିଣତ କରିବାକୁ ଦାବି ଉପସ୍ଥାପନ କରାଯାଇଛି। ଦାବିପତ୍ର ଗ୍ରହଣ କରି ପ୍ରଫେସର ଲାଲ୍ ଛାତ୍ର ସମାଜର ଉଦ୍‌ବେଗକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦାବିପତ୍ର ଉପରେ ବିଚାର କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଏଆଇଏସ୍‌ଏଫ୍‌ର ମନୋଜ କର ଓ ସୌମ୍ୟରଞ୍ଜନ ପୃଷ୍ଟି, ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ ଅଭିଯାନ’ର ଉପଦେଷ୍ଟା ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।