ସରିଲା ଅଜିତ୍ ନାଟ୍ୟ ମହୋତ୍ସବ: ନନ୍ଦିବାଲିର ମୃତ୍ୟୁ ରହସ୍ୟ ଖୋଲିଲା ‘ବୋତଲ ଭୂତ’

ଭୁବନେଶ୍ୱର: ଚାକଚକ୍ୟ ସହର ଠାରୁ ବହୁ ଦୂରରେ ଏକ ଆଦିବାସୀ ଗାଁ ମାଳପୁର। ଏହାର ଚାରିପଟେ ବଣ, ଜଙ୍ଗଲ, ଝରଣା ପ୍ରବାହିତ। ଗାଁର ମଝିରେ ନନ୍ଦିବାଲି ଘର। ସ୍ତ୍ରୀ ବହୁ ଦିନରୁ ଆରପାରିରେ। ଘରେ ତା’ର ଯୁବକ ପୁଅ ବାଂଲା ଓ ଝିଅ କାଜୋଡ଼ି। ନନ୍ଦିବାଲି ସାହୁକାର ଠାରୁ ଋଣ ନେଇ ଚାଷ କରି ତା’ର ପରିବାର ପ୍ରତିପୋଷଣ କରିଥାଏ। କିନ୍ତୁ ସାହୁକାର, ପୁଲିସ ଓ ମଦ ଦୋକାନୀର କୁ ଚକ୍ରାନ୍ତରେ ପଡ଼ି ଯାଇଛି ନନ୍ଦିବାଲି। ସରଳ ଆଦିବାସୀ ନନ୍ଦିବାଲିକୁ ସେମାନେ ବୁଝାଇ ଦେଇଛନ୍ତି ଯେ ମହୁଲି ମଦ ସ୍ବାସ୍ଥ୍ୟ ପକ୍ଷେ ହିତକର। ଏହାକୁ ପାନ କଲେ ଶରୀରରୁ ବ୍ୟଥା ଓ ମନରୁ ଚିନ୍ତା ଦୂର ହୋଇଯାଏ। ଚକ୍ରାନ୍ତକାରୀଙ୍କ କଥାରେ ଭାସି ଯାଇ ନନ୍ଦିବାଲି ତା’ର ସମସ୍ତ ଶସ୍ୟ ଓ ସମ୍ପତ୍ତି ବିକ୍ରି କରି ଦେବାଳିଆ ହୋଇଯାଇଛି। ଋଣ ସୁଝି ନପାରି ସାହୁକାର ପାଖରେ ନିଜ ଝିଅ ଓ ପୁଅକୁ ବନ୍ଧା ପକାଇଛି। ସେ ହୃଦୟଙ୍ଗମ କରୁଛି ଯେ ଏହି ବୋତଲ ଔଷଧ ନୁହେଁ ଏକ ଭୂତ। ଏହି ‘ବୋତଲ ଭୂତ’ ପାଇଁ ପରିବାର ଛାରଖାର ହୋଇଯାଇଛି। ଶେଷରେ ନିଜ ପୁଅ ଝିଅଙ୍କୁ ଝୁରି ଝୁରି ସେ ମଧ୍ୟ ମୃତ୍ୟୁବରଣ କରିଛି। ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଦଶମ ଅଜିତ୍ ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ବରର ଏକ୍ସପିରିଏନ୍ସ ନାଟ୍ୟ ସଂସ୍ଥା ପକ୍ଷରୁ ପରିବେଷିତ ଏହି ନାଟକର ନିର୍ଦ୍ଦେଶକ ଥିଲେ ଦେବାନନ୍ଦ ନାୟକ। ନାଟକରେ ଜଗା, ବିଶ୍ବ, ରବି, ଜୋସେଫ, ପପି, ସୁଜିତ୍, ବାପି, ସୂର୍ଯ୍ୟ, ସୌମ୍ୟ, ଆକାଶ, ସୁନୀଲ, ଜସ୍ମିନ, ବିଉଟି, ଅଞ୍ଜଳି, ଜ୍ୟୋତି, ଦେବାନନ୍ଦ, ସଂଜୀବ, ସତ୍ୟଙ୍କ ଅଭିନୟ ଦର୍ଶକଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ‘ଅଜିତ’ର ଅଧ୍ୟକ୍ଷା ମାୟା ଦାସ ଯୋଗ ଦେଇଥିଲେ। ଶୁଭ୍ରାଂଶୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର