ପୁନରୁଦ୍ଧାର ହେବ ଅନନ୍ତ ବାସୁଦେବ ପୋଖରୀ

ଖର୍ଚ୍ଚ ହେବ ୨.୭୦ କୋଟି ଟଙ୍କା, ବିଡିଏ କଲୋନିରେ ହେବ ପାର୍କ

ଚନ୍ଦ୍ରଶେଖରପୁର: ପୁନରୁଦ୍ଧାର ହେବ ରସୁଲଗଡ଼ର ଅନନ୍ତ ବାସୁଦେବ ପୋଖରୀ। ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ପୋଖରୀର ପୁନରୁଦ୍ଧାର ଲାଗି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ମହାନଗର ନିମଗ(ବିଏମ୍‌ସି)ର ୧୯ ନମ୍ବର ୱାର୍ଡରେ ଥିବା ଏହି ପୋଖରୀକୁ ନୂଆ ରୂପ ଦିଆଯିବ। ସ୍ଥାନୀୟ ଅଞ୍ଚଳର ଲୋକେ ଯେପରି ପ୍ରତିଦିନ ଏହି ପୋଖରୀର ପାଣିକୁ ବ୍ୟବହାର କରିପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ। ପୋଖରୀ ପୁନରୁଦ୍ଧାର କରାଯିବା ପ‌ରେ ତାହାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିସହ ଏହି ୱାର୍ଡ ଅଧୀନ ଭାଗବତ ସନ୍ଧାନ-ମଳୟ ବିହାର ରାସ୍ତା ଓ ଡ୍ରେନ୍‌ ନିର୍ମାଣ ଲାଗି ମଧ୍ୟ ୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପାଖାପାଖି ସାଢ଼େ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଉକ୍ତ ଦୁଇଟି କାର୍ଯ୍ୟ ଲାଗି ସ୍ଥାନୀୟ ବିଧାୟକ ତଥା ଭୁବନେଶ୍ବର ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଏମ୍‌ସି ୧୩ ନମ୍ବର ୱାର୍ଡ ଅଧୀନ ବିଡିଏ କଲୋନିଠାରେ ମଧ୍ୟ ଏକ ପାର୍କ ନିର୍ମାଣ କରାଯିବ। ଏଥିପାଇଁ ୨୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପାର୍କ ନିର୍ମାଣ ଲାଗି ଦୀର୍ଘ ଦିନ ହେଲା କଲୋନିବାସୀ ଦାବି କରି ଆସୁଥିଲେ। ପାର୍କ ନିର୍ମାଣ ହେବା ଦ୍ବାରା ବିଡିଏ କଲୋନି ସମେତ ଆଖପାଖ ଅଞ୍ଚଳର ପ୍ରାୟ ୫ହଜାର ଲୋକ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ସେହିପରି ୫ ନମ୍ବର ୱାର୍ଡର ମଞ୍ଚେଶ୍ବର ଅଞ୍ଚଳର ମଞ୍ଚନାଥ ମନ୍ଦିର ପାଖ କୁଆଖାଇ ନଦୀ ପାର୍ଶ୍ବରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ଗାଧୁଆ ତୁଠର ଆଜି ଉଦ୍‌ଘାଟନ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଉତଙ୍କ ସମେତ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ପାତ୍ର, ଯୁବନେତା ନିର୍ମଳ ରାଉତ, ଆଦିକନ୍ଦ ରାଉତ, ଚିତ୍ତରଞ୍ଜନ ଦାସ, ସନ୍ତୋଷ ନାଥ, ଅରୁଣ ସେନାପତି, ସୌଭାଗ୍ୟ ବାରିକ, ସଞ୍ଜୟ ବଳିୟାରସିଂହ, ନିଲୁ ଖୁଣ୍ଟିଆ, ଅନୁ ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର