ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ୍ ସଂଯୋଗ: ଖତ ଖାଉଛି ବୈଦ୍ୟୁତିକ ଉପକରଣ

ଚନ୍ଦ୍ରଶେଖରପୁର: ଆଧୁନିକୀକରଣ କରିବାକୁ ଯାଇ ଅଙ୍ଗନବାଡ଼ି କେନ୍ଦ୍ରରେ ଫ୍ୟାନ୍‌, ବଲବ୍, ପ୍ରୋଜେକ୍ଟର୍, ସିସିଟିଭି କ୍ୟାମେରା, ବାୟୋମେଟ୍ରିକ୍, ଏଲ୍‌ଇଡି ଆଦି ବିଦ୍ୟୁତି ସରଞ୍ଜାମ ଲଗାଗଲା। ମାତ୍ର କେନ୍ଦ୍ର କୋଠାକୁ ବିଦ୍ୟୁତ୍ ସଂଯୋଗ ଦିଆଗଲା ନାହିଁ। ମାସେ କି ବ‌େର୍ଷ‌ ନୁହେଁ, ପୂରା ୪ ବର୍ଷ ବିତିଲା ପଛେ ବିଦ୍ୟୁତ୍ ସଂଯୋଗ ହୋଇପାରିଲାନାହିଁ। ଫଳରେ ଲାଗିଥିବା ବିଦ୍ୟୁତ୍ ଉପକରଣରୁ ଅଧାଅଧି ଖତ ଖାଇବା ଅବସ୍ଥାରେ। ରସୁଲଗଡ଼ ଅଞ୍ଚଳରେ ଥିବା ବିଏମ୍‌ସିର ୩୨ ନମ୍ବର ୱାର୍ଡସ୍ଥିତ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରର ଏହି ଅବସ୍ଥା। ଅପରପକ୍ଷେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଛୋଟ ପିଲାମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାଙ୍କ ଟିକାକରଣ ସମୟରେ ଅଧିକ ସମସ୍ୟା ହେଉଛି। ବାରମ୍ବାର ଅଭିଯୋଗ କରିବା ପରେ ବି ୪ ବର୍ଷ ହେଲା ଏହି ସମସ୍ୟା ସୁଧୁରିବା ନାଁ ଧରୁନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ରସୁଲଗଡ଼ ଅଞ୍ଚଳର ଆଶ୍ରମ ସ୍କୁଲ ପରିସରରେ କଲରାପୁଟ ବସ୍ତିର ଅଙ୍ଗନବାଡ଼ି ‌କେନ୍ଦ୍ର ରହିଛି। ୨୦୧୭ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା। କୋଠା ଘର ନିର୍ମାଣ ହେବା ପରେ ବିଦ୍ୟୁତ୍ ଉପକରଣ ଲଗାଯାଇଥିଲା। କିନ୍ତୁ ଆରମ୍ଭରୁ ସେସବୁ ସେମିତି ଲାଗି ରହିଛି। କୋଠାକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଫଳରେ ବହୁ ବୈଦ୍ୟୁତିକ ସରଞ୍ଜାମ ବା ଉପକରଣ ନଷ୍ଟ ହୋଇଗଲାଣି। ଆଉ କିଛି ଖରାପ ହେବା ଅବସ୍ଥାକୁ ଆସିଗଲାଣି। ସମାନ ଅବସ୍ଥା ବମିଖାଲ ଦେବରାଜ ବିଦ୍ୟାପୀଠ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର। ଏଠାରେ ୭ ବର୍ଷ ହେଲା ବୈଦ୍ୟୁତିକ ଉପକରଣ ସବୁ ଖତ ଖାଉଛି। ରସୁଲଗଡ଼ରେ ୪୦ ପିଲା ପଢ଼ୁଥିବା ବେଳେ ବମିଖାଲରେ ୩୫ ପିଲା ପଢ଼ୁଛନ୍ତି। ଖରା ଦିନେ ଛୋଟ ପିଲାମାନେ ଗରମରେ ଛଟପଟ ହେଉଛନ୍ତି। ୱାଟର ଫିଲ୍‌ଟର ଥାଇ ବି ପିଲାଙ୍କୁ ନଳକୂଅ ପାଣି ପିଇବାକୁ ପଡ଼ୁଛି। ଟିକାକରଣ ବେଳେ ସମସ୍ୟା ହେଉଛି। ଘର ଭିତର ଅନ୍ଧାରିଆ ହେଉଥିବାରୁ ସବୁ ସମସ୍ୟା ହେଉଛି। ଅଙ୍ଗନବାଡ଼ି କର୍ମୀ କଲ୍ୟାଣୀ ବେହୁରାଙ୍କ କହିବା କଥା ୪ ବର୍ଷ ହେଲା ଉପରିସ୍ଥ ଅଧିକାରୀଙ୍କୁ ଜଣାଇଆସୁଛୁ, ହେଲେ ସମାଧାନ ହୋଇପାରୁନାହିଁ। ଏ ନେଇ ଅଭିଭାବକ ପାର୍ବତୀ ହେମ୍ବ୍ରମଙ୍କ କହିବା କଥା ଗରିବ ବୋଲି କେହି ଆମ ପିଲାଙ୍କ କଥା ବୁଝନ୍ତି ନାହିଁ। ବଡ଼ବଡ଼ିଆଙ୍କ ପିଲା ହୋଇଥିଲେ, ଏହି ସମସ୍ୟା ମୂଳରୁ ହିଁ ନଥାନ୍ତା ବୋଲି ପାର୍ବତୀ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର