ପୁଣି ପିଏମ୍‌ଜିକୁ ଫେରିଲେ ଏଏନ୍‌ଏମ୍‌

ଭୁବନେଶ୍ବର: ଦୁଇ ଦିନର ଛକାପଞ୍ଝା ପରେ ଆଜି ପୁଣି ଏଏନ୍‌ଏମ୍‌ ଙ୍କ ଧାରଣା ଲୋୟର ପିଏମ୍‌ଜିକୁ ଆସିଛି। କମିସନରେଟ୍‌ ପୁଲିସ ଗତକାଲି ସେମାନଙ୍କୁ ଯେଉଁଠାରୁ ହଟାଇଥିଲା, ଆଜି ସେମାନେ ପୁଣି ସେହି ସ୍ଥାନକୁ କବ୍‌ଜା କରିଛନ୍ତି। ଏଥର ପୁଲିସ ବଳପ୍ରୟୋଗ କଲେ, ସେମାନଙ୍କ ଶବ ଉଠିବ ପଛେ, ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ ଗତକାଲି ପୁଲିସ ଧାରଣା‌ରତ ଏଏନ୍‌ଏମ୍‌ମାନଙ୍କୁ ପିଏମ୍‌ଜିରୁ ହଟାଇ ଦେଇଥିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଲୋୟର୍ ପିଏମ୍‌ଜି ଛକରୁ ସେମାନଙ୍କୁ ଗତକାଲି ଦିନରେ ହଟାଇ ଦିଆଯାଇଥିଲା। ଏହା ପରେ ସେମାନେ ସ୍ବାଧୀନତା ସଂଗ୍ରାମୀ ପଡ଼ିଆ ସମ୍ମୁଖରେ ବସିଥିଲେ। ସେଠାରୁ ମଧ୍ୟ ପୁଲିସ ସେମାନଙ୍କୁ ୧୪୪ ଧାରା ହୋଇଥିବା ଦର୍ଶାଇ ଉଠାଇ ଦେଇଥିଲା। ଏହା ପରେ ସେମାନେ ରେଡ୍‌କ୍ରସ୍ ଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ସେଠାରେ ମଧ୍ୟ ପୁଲିସ ପହଞ୍ଚିଥିଲା ଓ ଜୋର୍‌ କରି ଉଠାଇ ଦେଇଥିଲା।

ତେଣୁ ସେମାନେ ପୁଣି ପିଏମ୍‌ଜିରେ ଧାରଣା ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ଓ ରାତି ୧୧ଟାରେ ସେଠାରେ ଡେରା ପକାଇଥିଲେ। ତେବେ ବିଳମ୍ବିତ ରାତିରେ ପୁଲିସ ଆଉ ସେମାନଙ୍କୁ ହଇରାଣ କରିନଥିଲା। ତେଣୁ ଆଜି ସକାଳୁ ପୁଣି ପୁଲିସ ସେମାନଙ୍କୁ ପିଏମ୍‌ଜିରୁ ହଟାଇବା ପାଇଁ ସେଠାରେ ପହଞ୍ଚିଥିଲା। ସେମାନଙ୍କୁ ଧାରଣାରୁ ହଟାଇବା ପାଇଁ ବହୁ କସରତ୍ କରିଥିଲେ ବି ପୁଲିସ ସଫଳ ହୋଇନଥିଲା। ଦୁଇ ଦୁଇ ଥର ଫୋର୍ସ ଆସିଥିଲେ ବି ସେମାନେ ହଟିନଥିଲେ। ଏଏନ୍‌ଏମ୍‌ ସଂଘର ରାଜ୍ୟ ସଭାନେତ୍ରୀ ଦୀପ୍ତିମୟୀ ଦୀପ୍ କହିଛନ୍ତି ଯେ ଏଥର ପୁଲିସ୍ ଯଦି ଜୋର୍ ଜବରଦସ୍ତ କରେ, ତେବେ ଧାରଣାସ୍ଥଳରୁ ସେମାନଙ୍କର ଶବ ଉଠିବ।

ସମ୍ବନ୍ଧିତ ଖବର