ଭୁବନେଶ୍ବର: ରାସ୍ତା ଉପରେ ପଡ଼ିଛି ଭଙ୍ଗା କ୍ୟାବିନ୍। ବେପାର ନାଁରେ କ୍ୟାବିନ୍ ପଡ଼ିଛି ସିନା ଭିତରେ ଜମୁଛି ଅସାମାଜିକଙ୍କ ଆଡ଼ା। ନିଶାଡ଼ିଙ୍କ ଅସ୍ଥାନ ଜମୁଥିବା ଏଭଳି ଭଙ୍ଗା କ୍ୟାବିନ୍ ପାଇଁ ସ୍ଥାନୀୟ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ସେଗୁଡ଼ିକୁ ଉଚ୍ଛେଦ କରିବାକୁ ବିଏମ୍ସିକୁ ଆବେଦନ କରୁଛନ୍ତି। କିନ୍ତୁ ବିଏମ୍ସି ଶୁଣୁନାହିଁ। ଏମିତିକି ପୁଲିସ ବି ଏ ଦିଗରେ ବିଏମ୍ସି ଉପରକୁ ଦୋଷ ଠେଲି ଚୁପ୍ ବସୁଛି। ଏହା ହେଉଛି ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଲେନ୍-୪ ଅଞ୍ଚଳର ଚିତ୍ର।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଲେନ୍ରେ କିଛି ଅସାମାଜିକ ଲୋକ ରାସ୍ତା କଡ଼ରେ ପୁରୁଣା କ୍ୟାବିନ୍ ପକାଇଛନ୍ତି। କିଛି କ୍ୟାବିନ୍ ରାସ୍ତାର ଅଧା ଅଂଶକୁ ମାଡ଼ି ରହିଛି। ବେପାର ନାଁରେ କ୍ୟାବିନ୍ ସବୁ ପଡ଼ିଛି, ହେଲେ ବେପାରର ନାଁ ଗନ୍ଧ ନାହିଁ। ସଂଜ ବୁଡ଼ୁବୁଡ଼ୁ ସେଠାରେ ନିଶାଡ଼ିଙ୍କ ଆଡ଼ା ଜମୁଛି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା ସମ୍ଭବ ହେଉନାହିଁ। ବଜାର ହାଟ ଯାଉଥିବା ମହିଳାମାନେ ଓ ଟ୍ୟୁସନ୍ ଯାଉଥିବା ଛାତ୍ରୀମାନେ ବଡ଼ ବିପଜ୍ଜନକ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ସେହିଭଳି ରାତିରେ ଘରକୁ ଫେରୁଥିବା କର୍ମଜୀବୀ ଲୋକମାନେ ମଧ୍ୟ ଡରିମରି ଯା’ଆସ କରୁଛନ୍ତି। ଏମିତିକି ବହୁ ସମୟରେ ଆଡ଼ା କରୁଥିବା ଯୁବକମାନେ କଲୋନି ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। କ୍ୟାବିନ୍ଗୁଡ଼ିକ ରାସ୍ତାକୁ ମାଡ଼ି ରହିଥିବାରୁ ଯାନବାହାନ ଚଳାଚଳରେ ବି ସମସ୍ୟା ହେଉଛି।
କ୍ୟାବିନ୍ଗୁଡ଼ିକୁ ହଟାଇବାକୁ ଦାବି କରି ସ୍ଥାନୀୟ ବାସିନ୍ଦାମାନେ ବିଏମ୍ସି ପୋର୍ଟାଲ୍ରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି। ମାତ୍ର କିଛି ନ କରି ସମସ୍ୟା ସମାଧାନ ହୋଇଯାଇଛି ବୋଲି ପୋର୍ଟାଲ୍ରେ ଦର୍ଶାଯାଇଥିଲା। ସୂଚନାନୁଯାୟୀ, ଏପ୍ରିଲ୍ରେ ଜଣେ ବ୍ୟକ୍ତି ପ୍ରଥମେ ଅଭିଯୋଗ କରିଥିଲେ। ସେ ପୁଣିଥରେ ଏପ୍ରିଲ୍ ୩୦ରେ ଅଭିଯୋଗ କରିଥିଲେ ଓ ଏହାର ଟୋକନ୍ ନମ୍ବର ୨୦୨୨୩୦୦୪୦୧୫ ଥିଲା। ଦାୟିତ୍ବରେ ଥିବା ଡେପୁଟି କମିସନର ଅଭିଯୋଗକୁ ସମାଧାନ କରିବା ପାଇଁ ଜୋନାଲ୍ ଡେପୁଟି କମିସନରଙ୍କୁ ଉକ୍ତ ଅଭିଯୋଗକୁ ପଠାଇଥିଲେ। କିନ୍ତୁ ସେ ପୁଲିସ ଓ ୱାର୍ଡ ଅଫିସରଙ୍କୁ ଯୋଗାଯୋଗ କରିବା ପାଇଁ କହି ଚୁପ୍ ରହିଥିଲେ। ଏ ପର୍ଯ୍ୟନ୍ତ ଉକ୍ତ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏନେଇ ସ୍ଥାନୀୟ ଲୋକେ ପୁଲିସ ସହ ଯୋଗାଯୋଗ କରିଥିଲେ ବି ପୁଲିସ ଉଚ୍ଛେଦ କାମ ବିଏମ୍ସିର ବୋଲି କହି କାନ୍ଧ ଖସାଇ ଦେଇଛି। ତେଣୁ ଏଥର ସେମାନେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।