ଆପାର୍ଟମେଣ୍ଟ ପାଲଟିଛି ଗୋରୁ ଗୁହାଳ: ଲକ୍ଷ ଲକ୍ଷ ଟଙ୍କା ଗଣି ବି ରହିପାରିଲେନି, ୪ବର୍ଷ ହେଲା ଧରାଛୁଆଁ ଦେଉନି ବିଲ୍ଡର

ରେରା ନିର୍ଦେଶକୁ ମାନିଲାନି

ଭୁବନେଶ୍ବର: ଅବସର ପରେ ରାଜଧାନୀରେ ଫ୍ଲାଟ୍‌ କଣି ପରିବାର ସହ ଟିକେ ଶାନ୍ତିରେ ରହିବେ। ସେଇ ଆଶାରେ ଯାହା ସଞ୍ଚିତ ଅର୍ଥ ଥିଲା ସବୁ ଖର୍ଚ୍ଚ କରିଦେଇ ବିଲ୍ଡର ସଂସ୍ଥାରୁ ଫ୍ଲାଟ କିଣିଲେ। ୪ ବର୍ଷ ହେବ ସଂସ୍ଥା ଫ୍ଲାଟମାଲିକଙ୍କୁ ଘର ହସ୍ତାନ୍ତର କରିସାରିଲାଣି। ହେଲେ ସେଠାରେ ରହିବା ପାଇଁ କସରତ କରିବାକୁ ପଡ଼ୁଛି। କାରଣ ଆପାର୍ଟମେଣ୍ଟ ଏବେ ଗୋରୁ ଗୁହାଳ ପାଲଟିଛି। ପାର୍କିଂ ଜାଗାରେ ଥିବା‌ ଏକାଧିକ ପିଲର୍‌ରେ ଗାଈଗୋରୁ ବନ୍ଧା ହୋଉଛନ୍ତି। ଗୋବର, ମୂତ୍ର ଗନ୍ଧରେ ନାକ ଫାଟିଯାଉଛି। ଖାଲି ଏତିକି ନୁହେଁ ଆପାର୍ଟମେଣ୍ଟର ଲିଫ୍ଟ କାମ କରୁନଥିବା ବେଳେ ମାଛପେଟି ଗଦା ହୋଇଛି। ସେମିତି ମୁଖ୍ୟ ଫାଟକରେ ଯିବା ପାଇଁ ବାଟ ନାହିଁ। ଜମିଜମା ସମସ୍ୟା ଯୋଗୁଁ ମୁଖ୍ୟ ଫାଟକକୁ ବନ୍ଦ ରଖାଯାଇଛି। ଜିଜିପି କଲୋନିସ୍ଥିତ ପୂଜା ପାରାଡାଇଜ୍‌ ଆପାର୍ଟମେଣ୍ଟର ଫ୍ଲାଟ ମାଲିକମାନେ ଏଭଳି ହୀନସ୍ଥା ଭୋଗୁଛନ୍ତି। ଏନେଇ ବିବାଦ ଦେଖାଦେବା ପରେ ଫ୍ଲାଟ୍‌ମାଲିକମାନେ ବିଲ୍ଡର ସଂସ୍ଥା ପୂଜା ଆର୍କିଟେକ୍ଚର ଆଣ୍ଡ ଇଷ୍ଟେଟ୍‌କୁ ଜଣାଇ ଥିଲେ। ସଂସ୍ଥା ଧରାଛୁଆଁ ନଦେବାରୁ ସେମାନେ ପ୍ରଥମେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପରେ ରେରା ଏବଂ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତେବେ ରେରା ୨ମାସ ମଧ୍ୟରେ ଆପାର୍ଟମେଣ୍ଟ ବାକି କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲା। ପୁଲିସ ଠାରୁ ଆରମ୍ଭ କରି ରେରା ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଫ୍ଲାଟ୍‌ କିଣି ଶେଷରେ ହଟହଟା ହୋଇଛନ୍ତି ବରିଷ୍ଠ ନାଗରିକ।

ଅଭିଯୋଗ ମୁତାବକ, ୨୦୧୬ ମସିହାରେ ବିଲ୍ଡର ସଂସ୍ଥା ଲୋକମାନଙ୍କ ଠାରୁ ଟଙ୍କା ନେଇ ଫ୍ଲାଟ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରିଥିଲା। ନିର୍ମାଣ ପରେ ୨୦୧୮ ମସିହାରେ ଘର ହସ୍ତାନ୍ତର କରିଥିଲା। ଲୋକମାନେ ଘର ଚାବି ପାଇଥିଲେ ସତ। ହେଲେ ପାର୍କିଂରେ ଗୁହାଳ ସାଙ୍ଗକୁ ଅଧାଅଧୁରା ଘର ଦେଖି ବିଲ୍ଡର ସଂସ୍ଥାଙ୍କୁ ସମସ୍ୟ ବିଷୟରେ ଜଣାଇଥିଲେ। ଅପରପକ୍ଷରେ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ଜାଗାରେ ଜଣେ ମହିଳା ୯ ଡେସିମିଲ ଜାଗା ଥିବା ଦାବି କରୁଛନ୍ତି। ସେଥିପାଇଁ ସେ ସେଠାରେ ତାଙ୍କ ଗାଈଗୋରୁ ବାନ୍ଧୁଛନ୍ତି। ଏହାର ସମାଧାନ ପାଇଁ ସଂସ୍ଥା ଉପରେ ଚାପ ପକାଇବା ପରେ ବିଲ୍ଡର ସଂସ୍ଥା ଫ୍ଲାଟ ମାଲିକଙ୍କ ଠାରୁ ୧୨ଲକ୍ଷ ୮୦ହଜାର ଟଙ୍କା ନେଇ ଉକ୍ତ ମହିଳାଙ୍କୁ ଦେଇଥିଲା। ଯାହାର ରସିଦ ମଧ୍ୟ ରହିଛି। ଟଙ୍କା ନେବା ପରେ ମଧ୍ୟ ମହିଳା ଜଣକ ଜାଗା ଛାଡ଼ି ନଥିଲେ। ‌ଜାଗା ବାବଦକୁ ଟଙ୍କା ଦେବା ସହ ବିଲ୍ଡର ସଂସ୍ଥା ଅନ୍ୟ ଏକ ସ୍ଥାନରେ ୧୬ ଡେସିମିଲ୍‌ ଜମିଦେବାକୁ ଚୁକ୍ତି କରିଥିଲା। ସେ ‌୧୬ ଡେସିମିଲ୍‌ ଜାଗା ତାଙ୍କ ନାମରେ ରେଜେଷ୍ଟ୍ରି ହେବା ପରେ ଆପାର୍ଟମେଣ୍ଟରେ ଥିବା ତାଙ୍କ ୯ଡେସିମିଲ୍‌ ଜାଗା ଛାଡ଼ିଦେବେ ବୋଲି କହିଥିଲେ। ବର୍ଷ ବର୍ଷ ବିତିଯାଇଥିଲେ ବି ଏହାର ସମାଧାନ ହୋଇପାରୁ ନାହିଁ। ନା ବିଲ୍ଡର ସଂସ୍ଥା ମହିଳାଙ୍କୁ ଜାଗା ଦେଉଛି ନା ସେ ଜାଗା ଛାଡ଼ୁଛନ୍ତି। ଯାହାର ଦଶା ଫ୍ଲାଟ ମାଲିକଙ୍କୁ ଭୋଗିବାକୁ ପଡ଼ୁଛି। ସଂସ୍ଥା ଖୋଲାଖୋଲି ଭାବେ ରେରା ନିର୍ଦେଶକୁ ଉଲ୍ଲଂଘନ କରିବା ସହ ପାଲଟା ଭିତ୍ତିହୀନ ଅଭିଯୋଗ ଆଣୁଛି। ରେଜିଷ୍ଟ୍ରେସନ ପୂର୍ବରୁ ସମସ୍ତ ଟଙ୍କା ଦାଖଲ କରାଯାଇଥିବା ବେଳେ ଟଙ୍କା ବାକିଥିବା କହି ଭୂଆଁ ବୁଲାଉଛି। ଏନେଇ ଫ୍ଲାଟ୍‌ ମାଲିକ ବିଶ୍ବନାଥ ପାଢ଼ୀ, ପ୍ରତାପ ନାୟକ, ମୀନକେତନ ପାଣିଗ୍ରାହୀ, ଯଶୋଧରା ଗିରି, ନିରୁପମା ପାଢ଼ୀ ପ୍ରମୁଖ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବିଲ୍ଡର ସଂସ୍ଥାର ମ୍ୟାନେଜିଂ ପାଟର୍ନର ଶ୍ରୀଧରଚନ୍ଦ୍ର ବଳ କହିଛନ୍ତି ଯେ, ଆମେ ଫ୍ଲାଟ ମାଲିକଙ୍କୁ ସିମ୍ବଲିକ୍‌ ପଜେସନ୍‌ ଦେଇଛୁ। ଫିଜିକାଲ୍‌ ପଜେସନ୍‌ ଦେଇନାହୁଁ। କାରଣ ଫ୍ଲାଟ ବାବଦକୁ ଏକ କୋଟି ଏକ ଲକ୍ଷ ଟଙ୍କା ବାକି ଥିଲା। ଏଥିପାଇଁ ସେମାନେ ଧରିତ୍ରୀ ଜେନାଙ୍କ ଦଲିଲ୍‌ ବନ୍ଧକ ରଖି ପର୍ଶୁରାମ ରାୟ, ପ୍ରତାପଚନ୍ଦ୍ର ନାୟକ, ବିଶ୍ବନାଥ ପାଢ଼ୀ ଏବଂ ରତ୍ନାକର ଗିରି ଦସ୍ତଖତ ଦେଇଛନ୍ତି। ଆଉ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ବାପାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ହେଲେ ଏବେ ବି ୫୬ଲକ୍ଷ ଟଙ୍କା ବାକି ରହିଛି। ପର୍ଶୁରାମ ରାୟଙ୍କର ୫ଲକ୍ଷ, ପ୍ରତାପଚନ୍ଦ୍ର ନାୟକଙ୍କର ୫ଲକ୍ଷ, ବିଶ୍ବନାଥ ପାଢ଼ୀଙ୍କ ୧୮ଲକ୍ଷ, ସ୍ବର୍ଗତ ରତ୍ନାକର ଗିରିଙ୍କର ୧୦ଲକ୍ଷ ଏବଂ ଧରିତ୍ରୀ ଜେନାଙ୍କ ୧୮ଲକ୍ଷ ଟଙ୍କା ବାକି ରହିଛି। ସେମାନେ ଟଙ୍କା ଦେବା ପରେ ବାକିଥିବା କାମ ସମ୍ପୂର୍ଣ୍ଣ କରିବା ସହ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଯେଉଁ ବ୍ୟକ୍ତି ସେଠାରେ ଗାଈ ବାନ୍ଧୁଛନ୍ତି ତାଙ୍କ ସହ କଥାବାର୍ତ୍ତା ସରିଛି। ସେ ବାବଦକୁ କୌଣସି ସମସ୍ୟା ନାହିଁ ବୋଲି ଶ୍ରୀ ବଳ କହିଛନ୍ତି।

ସମ୍ବନ୍ଧିତ ଖବର