ଭୁବନେଶ୍ବର: ଦିନକୁ ଦିନ ସହରର ଆପାର୍ଟମେଣ୍ଟରେ ଅପରାଧିକ କାଣ୍ଡ ବଢ଼ିବାରେ ଲାଗିଛି। ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସିସିଟିଭି ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ସୁଧାର ଅଣାଯିବାପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଏଥିପାଇଁ କମିସନରେଟ୍ ପୁଲିସର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୫୯୦ଟି ଆପାର୍ଟମେଣ୍ଟକୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ପୁଲିସ ନିଜ ନିଜ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟଗୁଡିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ କମିସନରେଟ୍ ପୁଲିସ ୨୨୪ଟି ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ଏହି ସମୟରେ କମିସନରେଟ୍ ପୁଲିସ ଆପାର୍ଟମେଣ୍ଟରେ ନିୟୋଜିତ ସୁରକ୍ଷା କର୍ମୀ ଓ ସିସିଟିଭିକୁ ଗୁରୁତ୍ବ ଦେଇଛି। ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରାଧୀକ ଇତିହାସ ଯାଞ୍ଚ କରାଯାଉଛି। ପୂର୍ବରୁ ସେମାନଙ୍କ ନାମରେ କୌଣସି ଅଭିଯୋଗ ରହିଛି କି, ସେମାନେ ଯେଉଁ ସଂସ୍ଥାରୁ ଆସିଛନ୍ତି ଉକ୍ତ ସଂସ୍ଥା ସ୍ବୀକୃତିପ୍ରାପ୍ତ କି ନୁହେଁ, ସେହିପରି ଆପାର୍ଟମେଣ୍ଟ ଗୁଡ଼ିକରେ ସିସିଟିଭି ଅଛି କି ନାହିଁ, ଯଦି ଅଛି ତାହା ଠିକ୍ ଭାବେ କାର୍ଯ୍ୟକରୁଛି ତ ଓ ଏହାର ନିୟମିତ ଯାଞ୍ଚ କରାଯାଉଛି କି ନାହିଁ ଆଦି ସମସ୍ତ ଦିଗକୁ ନେଇ ପୁଲିସ ଟିମ୍ ଆପାର୍ଟମେଣ୍ଟ ଅନ୍ତେବାସୀ, କମିଟି ସଦସ୍ୟ ତଥା ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି। ଯଦି ସୁରକ୍ଷା ଜନିତ କୌଣସି ପ୍ରକାର ତ୍ରୁଟିକୁ ଥାଏ, ତାକୁ ସୁଧାରିବାଲାଗି ପରାମର୍ଶ ଦିଆଯାଉଛି। ଏହାଛଡ଼ା ସିସିଟିଭିକୁ ‘ସହଭାଗିତା’ରେ ଯୋଡ଼ିବା ପାଇଁ କୁହାଯାଇଛି।
ସିସିଟିଭିକୁ ସହଭାଗିତା ସହ ଯୋଡ଼ିବା ପରେ ପୁଲିସ ଅପରାଧିକ ଦିଗ ଉପରେ ନଜର ରଖିପାରିବ। କଣ୍ଟ୍ରୋଲ୍ରୁମ୍ରୁ ଆପାର୍ଟମେଣ୍ଟ ଓ ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ଅପରାଧିକ କାଣ୍ଡ ଘଟିଲେ ପୁଲିସ ସିଧା ତଥ୍ୟ ପାଇବା ସହ ଅପରାଧୀଙ୍କୁ ଧରିବାରେ ସଫଳ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅପରାଧୀଙ୍କୁ ଧରିବା ଓ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୁଲିସ ଏହି ନୂଆ ରଣନୀତି ଆପଣାଇଛି। ଏହି ଯୋଜନା କେବଳ ଆପାର୍ଟମେଣ୍ଟ ନୁହଁ, ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ବଡ଼ ଦୋକାନମାନେ ଯୋଡ଼ିହେବେ। ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅନ୍ତତଃ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ। କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ। ସିସିଟିଭିର ଆଇପି ଆଡ୍ରେସ୍ ପୁଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଛି।
ପ୍ରକାଶ ଥାଉ କି, ଗତ ୧୫ ତାରିଖ ଦିନ ଭୁବନେଶ୍ୱର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡ ଠାରେ ଭୁବନେଶ୍ୱରର ବେସରକାରୀ ସୁରକ୍ଷା ଏଜେନ୍ସି ସହ ପୁଲିସର ଏକ ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡିସିପି ପ୍ରତୀକ ସିଂହ ନେତୃତ୍ବରେ ବିଭିନ୍ନ ଘରୋଇ ସୁରକ୍ଷା ଏଜେନ୍ସିର ମାଲିକ, ପ୍ରତିନିଧି, ସମସ୍ତ ଥାନା ଥାନାଧିକାରୀ ତଥା ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଭାବବିନିମୟ କାର୍ଯ୍ୟକ୍ରମରେ ଉପରୋକ୍ତ ବିଷୟଗୁଡିକ ଉପରେ ଆଲୋକପାତ କରାଯିବା ସହିତ ପୁଲିସ ତରଫରୁ ଦିଆଯାଇଥିବା ସୁଚିନ୍ତିତ ଉପଦେଶଗୁଡିକୁ ଗ୍ରହଣ କରିବା ଲାଗି ସୁରକ୍ଷା ଏଜେନ୍ସିଗୁଡିକୁ ପରାମର୍ଶ ଦିଆଯାଇଥିଲା।