ଭୁବନେଶ୍ୱର: ରାଜଧାନୀରେ ପିଲାଙ୍କ ଖେଳିବା ପାଇଁ ସ୍ଥାନ ନାହିଁ। କଲୋନିରେ ଥିବା ପାର୍କଗୁଡ଼ିକରେ ସ୍ବଳ୍ପ ଖେଳନା ସରଞ୍ଜାମ ରହୁଛି। ପୁଣି କଂକ୍ରିଟମୟ ରାଜଧାନୀରେ ଦିନକୁ ଦିନ ପଡ଼ିଆ ସଂଖ୍ୟା କମି କମି ଯାଉଛି। ଫଳରେ ପିଲାମାନେ ଖେଳିବାକୁ ଜାଗା ପାଉନାହାନ୍ତି। ଯେଉଁଠି ବି ଖେଳ ପଡ଼ିଆ ରହିଛି, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ଜବରଦଖଲ ହୋଇଯାଉଛି। ସହିଦନଗର ହାଟ ସମ୍ମୁଖ ପଡ଼ିଆ ଏହାର ଜ୍ବଳନ୍ତ ଉଦାହରଣ। ପଡ଼ିଆର ପାଚେରି ଓ ଗେଟ୍ ଭାଙ୍ଗି ଯାଇଥିବାରୁ ଏହା ଭିତରେ ଦୋକାନ ଗଢ଼ି ଉଠିଥିବା ବେଳେ କିଛି ଅଂଶ ଜବରଦଖଲ ହୋଇଗଲାଣି। ସେହିପରି ଆଉ କିଛି ଅଂଶରେ ହାଟର କୁଢ଼କୁଢ଼ ଆବର୍ଜନା ଗଦା ହୋଇ ରହିଛି। ସେଠାରେ ପୁରୁଣା ବହି, ପେପର, ପ୍ଲାଷ୍ଟିକ ଆଦି ସାମଗ୍ରୀ ବେପାର ହେଉଛି। ସବୁ ବେଳେ ଖୋଲା ରହୁଥିବାରୁ ଏହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି।
ସହିଦନଗର ହାଟ ସମ୍ମୁଖରେ ପାଖାପାଖି ୨.୬୮୮ ଡେସିମିଲ୍ର ପଡ଼ିଆ ବର୍ତ୍ତମାନ ପରିତ୍ୟକ୍ତ ହୋଇ ପଡ଼ିରହିଛି। ବର୍ତ୍ତମାନ ଏହା ଅଞ୍ଚଳବାସୀଙ୍କ ପାଇଁ ଶୌଚାଳୟ ପାଲଟିଛି। ପୁଣି କିଛି ବେସରକାରୀ ସଂସ୍ଥା ପଡ଼ିଆକୁ ମାଡ଼ି ବସିଛନ୍ତି। ସହିଦନଗର ଅଞ୍ଚଳରେ ସ୍ମାର୍ଟ ପାର୍କିଂ ସୁବିଧା ଥିଲେ ହେଁ କିଛି ଲୋକ ପଡ଼ିଆ ଭିତରେ ଗାଡ଼ି ପାର୍କିଂ କରୁଛନ୍ତି। କର୍ପୋରେଟର ରାଜକିଶୋର ଦାସଙ୍କ କହିବା ଅନୁଯାୟୀ କର୍ପୋରେସନ ବୈଠକରେ ଉକ୍ତ ପଡ଼ିଆରେ ଏକ ବଡ଼ ପାଠାଗାର ଓ ଅଡିଟୋରିୟମ ପାଇଁ ପ୍ରସ୍ତାବ ପାରିତ ହୋଇଛି। ଖୁବ୍ଶୀଘ୍ର ଏଥିପାଇଁ ଟେଣ୍ଡର ହେବା ପରେ କାମ ଆରମ୍ଭ ହେବ। ସେହିପରି ଜବରଦଖଲ ଓ ଆବର୍ଜନା ହଟାଇବା ପାଇଁ ସେ ଵାର୍ଡ ଅଫିସର ଓ ସାନିଟାରି ଇନସ୍ପେକ୍ଟରଙ୍କ ସହ କଥା ହୋଇଛନ୍ତି। ଖୁବ୍ଶୀଘ୍ର ପଡ଼ିଆକୁ ଆବର୍ଜନା ମୁକ୍ତ କରାଯିବ ବୋଲି ସେ କହିଛନ୍ତି।