‘ଆରୋହଣ’ର ନାଟ୍ୟୋତ୍ସବ ଉଦ୍‌ଘାଟିତ: ହସେଇଲା, କନ୍ଦେଇଲା ‘ମମିସ୍‌ ବାର୍ଥଡେ’

ଭୁବନେଶ୍ୱର: ବାପାମା’ ଆଜି ଅଲୋଡ଼ା। ବୃଦ୍ଧାଶ୍ରମରେ ଦିନ କଟୁଛି। ଅଥଚ ଘରେ କୁକୁର, ବିଲେଇଙ୍କ ଜନ୍ମଦିନ ପାଳନ ହେଉଛି। ଏମିତି ଏକ ଘରେ ବିଲେଇର ନାଁ ମମି। ତା’ର ଜନ୍ମଦିନକୁ ବଡ଼ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ନିମନ୍ତ୍ରିତ ଅତିଥିମାନେ ପରେ ଜାଣୁଛନ୍ତି ପୋଷା ବିଲେଇ ମମିର ଜନ୍ମଦିନ। ଏମିତି ଏକ ବ୍ୟଙ୍ଗାତ୍ମକ କାହାଣୀକୁ ନେଇ ମଞ୍ଚସ୍ଥ ନାଟକ ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କୁ ଯେତିକି ହସେଇଥିଲା, ସେତିକି କନ୍ଦେଇଥିଲା। ଆରୋହଣ ଥିଏଟରର ୨୯ତମ ନିଖିଳ ଉତ୍କଳ ନାଟ୍ୟ ଉତ୍ସବର ଉଦ୍‌ଘାଟନ ଅବସରରେ ପୀୟୂଷ ରଞ୍ଜନ ପରିଡ଼ାଙ୍କ ରଚିତ ଓ ଜ୍ୟୋତିର୍ମୟୀ ପଣ୍ଡାଙ୍କ ନିର୍ଦ୍ଦେଶିତ ଓ ୟୁନିଟ୍‌-୯ ମହିଳା ଯୋଗକେନ୍ଦ୍ର ଦ୍ବାରା ପରିବେଷିତ ଏହି ନାଟକ ବେଶ୍ ପ୍ରଶଂସିତ ହୋଇଥିଲା।

ଅତିଥିଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରବଣ ଦାସ, ଡ. ବିଧୁକଲ୍ୟାଣ ମହାନ୍ତି, ସଭାପତି ଡ. ଶୈଳେଶ୍ୱର ନନ୍ଦ, ସମ୍ପାଦକ ଇଂ ପ୍ରୀତିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ଅଭିନେତା ଅରୁଣ ପ୍ରସାଦ ନନ୍ଦଙ୍କୁ ନାଟ୍ୟପ୍ରତିଭା ସମ୍ମାନ, ଚଳଚ୍ଚିତ୍ର ଅଭିନେତା ବିନାୟକ ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ପ୍ରଦୀପ କୁମାର ପାଇକରାୟଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ କରିଥିଲେ। ଆଜିର ପ୍ରଥମ ନାଟକଟି ଥିଲା ବିକାଶ କୁମାର ମଲ୍ଲିକ ନିର୍ଦ୍ଦେଶିତ ପ୍ରକୃତ ମିତ୍ର। ଯାଜପୁର ମୂଳାପାଳ ସରସ୍ବତୀ ଶିଶୁ ମନ୍ଦିର କଳାକାରଙ୍କ ଦ୍ବାରା ପରିବେଷିତ ଏହି ନାଟକ ରଚନା କରିଛନ୍ତି ଜ୍ୟୋତିର୍ମୟୀ ଦ୍ବିବେଦୀ।

ସମ୍ବନ୍ଧିତ ଖବର