ଭୁବନେଶ୍ବର: ଲୋକକଳା ମଧ୍ୟରେ ‘ପାଲା’ ଅନ୍ୟତମ। ଯାହା ଉପରେ ରାଜ୍ୟର ଲକ୍ଷାଧିକ ଲୋକ ନିର୍ଭର କରି ଚଳନ୍ତି। କାହିଁ କେଉଁ କାଳରୁ ପାଲା କଳାକାରମାନେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଅଭିନୟ କରି ଦର୍ଶକଙ୍କୁ ବିଭୋର କରିଥାନ୍ତି। ମାତ୍ର କରୋନା ମହାମାରୀ ସେମାନଙ୍କ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି। ବର୍ତ୍ତମାନ ସମୟରେ ମଞ୍ଚ ଅନ୍ଧାର ହୋଇ ପଡ଼ିଥିବା ବେଳେ କଳାକାର ହାତ ବାନ୍ଧୀ ବସିଛନ୍ତି। ପରିବାର ପୋଶିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ଏମିତିକି କିଛି କଳାକାର ଦି ଓଳି ଦି ମୁଠା ଖାଦ୍ୟ ଯୋଗାଡ଼ କରିବାକୁ ଏବେ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଆଉ କିଛି କଳାକାର ନିଜ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରି ପେଟ ପୋଶୁଛନ୍ତି।
ଯେତେବେଳେ ମଞ୍ଚ ଚାଲିଥିଲା ସେତେବେଳେ ପାଲାକାର ଜୀବନ ସୁରୁଖୁରରେ ବିତୁଥିଲା। ଜନାଦୃତ ଗାୟକଙ୍କ ରୋଜଗାର ରାତିକୁ ୮ରୁ ୧୦ ହଜାର ହେଉଥିବା ବେଳେ ସାଧାରଣ ଗାୟକ ୬ରୁ ୮ ହଜାର ରୋଜଗାର କରୁଥିଲେ। ସମୁଦାୟ ଅର୍ଥରୁ ଗାୟକ ୨୫ ପ୍ରତିଶତ ନେଉଥିବା ବେଳେ ବାୟକ ୧୯%, ୪ଜଣ ପାଳିଆ ୧୪% ଲେଖାଏ କରି ୫୬% ବାଣ୍ଟି ନେଇଥାନ୍ତି। ଯଦି ହିସାବକୁ ଦେଖିବା ଜଣେ ଜନାଦୃତ ଗାୟକ ଗୋଟିଏ ଋତୁରେ ୨ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ସାଧାରଣ ଗାୟକର ରୋଜଗାର ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ବାୟକ ବର୍ଷକୁ ୭୦ରୁ ୮୦ ହଜାର, ପାଳିଆ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ଅଢେଇ ବର୍ଷ ହେଲା କରୋନା ପାଇଁ ରୋଜଗାର ବାଟ ବନ୍ଦ ହୋଇ ଯାଇଛି। ମଞ୍ଚ ଅନ୍ଧାର ହୋଇଥିବାରୁ ସେମାନଙ୍କ ଜୀବନ ଏବେ ଦୂର୍ବିସହ ହୋଇ ପଡ଼ିଛି। ଶ୍ରୀନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ସଭାପତି ମଦନ ମୋହନ ଜେନା କୁହନ୍ତି, ରାଜ୍ୟରେ ୪ ହଜାରରୁ ଅଧିକ ପାଲା ଗାୟକ ରହିଛନ୍ତି। ବାୟକ ଓ ପାଳିଆ ୨୫ ହଜାରରୁ ଅଧିକ ହେବେ। କରୋନା ପାଇଁ ପାଲାକାରଙ୍କ ବୃତ୍ତି ସମ୍ପୂର୍ଣ୍ଣ ବୁଡ଼ି ଗଲାଣି। କଳାକାରମାନେ ନିଜର ସମ୍ମାନକୁ ନଜରରେ ରଖି ଅନ୍ୟମାନଙ୍କ ଭଳି ରାଜରାସ୍ତାକୁ ଓହ୍ଲାଇ ନାହାନ୍ତି। ରାଜ୍ୟ ସରକାର ପାଲା ପାଇଁ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା କରିବା ସହ ବୁଡ଼ି ଯାଇଥିବା ମଞ୍ଚକୁ ପୁନଃରୁଦ୍ଧାର କରନ୍ତୁ। ପାଲା ପାଇଁ ସ୍ଵତନ୍ତ୍ର ଏକାଡେମି କରାଗଲେ ପଦ୍ଧତିଗତ ଭାବେ ପାଲା ଶାସ୍ତ୍ରୀୟ ମାନ୍ୟତା ପାଇପାରିବ।
ଗାୟକ ବସନ୍ତ କୁମାର ମହାରଣା କୁହନ୍ତି, କରୋନା ପାଇଁ ଆମ ବୃତ୍ତି ବୁଡ଼ିବାକୁ ବସିଲାଣି। ଅଢେଇ ବର୍ଷ ହେଲା ଘରେ ବସିଛୁ। ଆଗ ଭଳି ଆଉ କେହି ଡାକୁନାହାନ୍ତି। ଯାହା ରୋଜଗାର କରିଥିବାରୁ ସରିଗଲାଣି। ଶାଳ କାମ କରି ପେଟ ପୋଷିବାକୁ ପଡୁଛି। ମୋ ପରି ଅନେକ ପାଲାକାରଙ୍କ ଜୀବନ ଦୁର୍ଦ୍ଦିନରେ କଟୁଛି। କେବେ କରୋନା ପ୍ରଭାବ କମିବ, ପୁଣି ମଞ୍ଚକୁ ଫେରିବୁ ସେନେଇ ଅନେଇ ବସିଛୁ। ପାଳକ ଅଲେଖ ଚରଣ ନାୟକ କହିଛନ୍ତି ଯେ କରୋନା ଆମକୁ ବନ୍ଦୀ କରି ଘରେ ରଖିଛି। ଆଜିର ସମୟରେ ଟିଭି ପରଦାରେ ସମସ୍ତେ ନାଟକ କରୁଛନ୍ତି। ଯାହାର ପ୍ରଭାବ ଆମ ଉପରେ ପଡ଼ିଛି। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମାସକୁ ୪ ହଜାର ଟଙ୍କା କଳାକାର ଭତ୍ତା ମିଳୁଛି। କିନ୍ତୁ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଙ୍କ ପାଇଁ ସରକାରୀସ୍ତରରୁ ସାହାଯ୍ୟ ମିଳିବା ସହ ପାଲା ପାଇଁ ମଞ୍ଚକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।